ଓଡିଶା

odisha

ETV Bharat / state

ଆକର୍ଷିତ କରୁଛି ଶିମିଳିପାଳ: କେଉଁଠୁ ଓ କେମିତି ପହଞ୍ଚିବେ, ପର୍ଯ୍ୟଟକଙ୍କ ପାଇଁ ଏଥର କ’ଣ ନୂଆ ?

ପ୍ରକୃତିପ୍ରେମୀଙ୍କୁ ହାତ ଠାରି ଡାକୁଛି ସୁନ୍ଦରୀ ଶିମିଳିପାଳ । ଏଥର ଏକାଧିକ ନୂଆ ବ୍ୟବସ୍ଥା ସହ ପର୍ଯ୍ୟଟକ ପାଇବେ ଭିନ୍ନ ଅନୁଭୂତି । ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

By ETV Bharat Odisha Team

Published : 5 hours ago

SIMILIPAL SANCTUARY
SIMILIPAL SANCTUARY (ETV BHARAT ODISHA)

ରାଇରଙ୍ଗପୁର (ମୟୁରଭଞ୍ଜ):ଶେଷ ହୋଇଆସୁଛି ବର୍ଷା ଋତୁ, ଆଉ ଦିନ କେଇଟା ପରେ ଶୀତଋତୁର ଆଗମନ ସହ ଆରମ୍ଭ ହୋଇଯିବ ପର୍ଯ୍ୟଟନର ପାର୍ବଣ । କୁହୁଡିର ଚାଦରରେ ଢାଙ୍କି ହେବ ପ୍ରକୃତି, ପ୍ରକୃତିପ୍ରେମୀଙ୍କୁ ହାତ ଠାରି ଡାକିବ ପର୍ଯ୍ୟଟନୀ ସ୍ଥଳୀ । ରାଜ୍ୟର ବିଭିନ୍ନ ପର୍ଯ୍ୟଟନୀ ସ୍ଥଳକୁ ଛୁଟିବ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ । ପର୍ଯ୍ୟଟକମାନେ ନିଜର ବ୍ୟସ୍ତବହୁଳ ଜୀବନରୁ କିଛି ମୁହୂର୍ତ୍ତ ବାହାର କରି ନିଜ ଆତ୍ମୀୟ, ବନ୍ଧୁ, ପରିଜନଙ୍କ ସହ ଖୁସି ମନାଇବାକୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯିବେ ଓ ପ୍ରକୃତିର ସୌନ୍ଦର୍ଯ୍ୟରେ ନିଜକୁ ହଜାଇ ଦେବେ । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଖୋଲିଯାଇଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଆଉ ଏକ ଗନ୍ତାଘର ‘ଶିମିଳିପାଳ ଜାତୀୟ ଉଦ୍ୟାନ’ । ଏଥର ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭୂତି ଦେବା ପାଇଁ କିଛି ନୂଆ ବ୍ୟବସ୍ଥା କରାଯାଇଛି ।

  • ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଠି ଶିମିଳିପାଳ:

‘‘ସୁନ୍ଦର ତୃପ୍ତିର ଅବସାନ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ ।’’ କବିବାର ରାଧାନାଥ ରାୟଙ୍କ ଏହି ଉକ୍ତିଟି ଚିଲିକା ପାଇଁ ଥିଲେ ସୁଦ୍ଧା ଶିମିଳିପାଳ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ । ପକ୍ଷୀଙ୍କ କିଚିରିମିଚିରି ଶବ୍ଦ, ଝରଣାର କୁଳୁକୁଳୁ ନାଦ, ସବୁଜ ବନାନି, ସୁଉଚ୍ଚ ପର୍ବତ ଶିଖରର, ଶାନ୍ତ ଓ ମନୋରମ ପରିବେଶ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କ ମନରେ ଶିମିଳିପାଳକୁ ଦେଇଛି ଭିନ୍ନ ଏକ ପରିଚୟ । ନିଜ ସୌନ୍ଦର୍ଯ୍ୟର ସମସ୍ତକୁ ଜାବୁଡି ଧରିବାକୁ ପର୍ଯ୍ୟଟକଙ୍କ ଅପେକ୍ଷାରେ ରହିଛି ଶିମିଳିପାଳ ଅଭୟାରଣ୍ୟ । ବନ୍ୟଜନ୍ତୁଙ୍କ ବିଚରଣ ଦୃଶ୍ୟ ଅତି ନିକଟରୁ ଦେଖିବା ପାଇଁ ଶିମିଳିପାଳ ହେଉଛି ଗୋଟିଏ ଉପଯୁକ୍ତ ଅଭୟାରଣ୍ୟ । ବାରିପଦାର ପିଠାପଟା ଓ ଯଶିପୁରର କାଳିକାପ୍ରସାଦ ଗେଟ୍ ଦେଇ ଶିମିଳିପାଳକୁ ପ୍ରବେଶ କରିବାକୁ ପଡିଥାଏ ।

SIMILIPAL SANCTUARY (ETV BHARAT ODISHA)
  • କେମିତି ଯିବେ ଶିମିଳିପାଳ :

ଭୁବନେଶ୍ବରରୁ ୨୫୦ କିଲୋମିଟର ସଡ଼କ ପଥରେ ପଡ଼ିଥାଏ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହର । ବାରିପଦାରୁ ୨୦/୨୧ କିଲୋମିଟର ଗଲେ ପଡେ ପିଠାବଟା । ଭୁବନେଶ୍ବରରୁ ବାରିପଦା ଟ୍ରେନ ଯୋଗେ ମଧ୍ୟ ଆସିପାରିବେ ପର୍ଯ୍ୟଟକ । ପଡୋଶୀ ରାଜ୍ୟ ଝାଡଖଣ୍ଡର ଟାଟାନଗରରୁ ସଡ଼କ ପଥରେ ରାଇରଙ୍ଗପୁର ଦେଇ ୧୧୧ କିଲୋମିଟର ଗଲେ ଯଶିପୁର ପଡ଼ିଥାଏ । ସେଠାରୁ କାଳିଆଣୀ (କାଳିକାପ୍ରସାଦ) ୧୨ କିଲୋମିଟର ପଡ଼ିଥାଏ । ପିଠାବଟା ଓ କାଳିଆଣୀ ତନଖି ଫାଟକରେ ଥିବା ବୁକିଂ କାଉଣ୍ଟରରୁ ଧାର୍ଯ୍ୟ କରାଯାଇଥିବା ପ୍ରବେଶ ଶୁଳ୍କ ଦେଇ ବୈଧ ଟିକେଟ ସହ ଶିମିଳିପାଳ ମଧ୍ୟକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ । ମାର୍ଗଦର୍ଶିକା ଅନୁପାଳନ ସହ ଶିମିଳିପାଳ ଅଭୟାରଣ୍ୟକୁ ସ୍ବଚ୍ଛ ରଖିବା ପାଇଁ ପ୍ରବେଶ ସମୟରେ ପର୍ଯ୍ୟଟକମାନେ ନିଜ ସାଥିରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକଦ୍ରବ୍ୟ, ଆମିଷ ଖାଦ୍ୟ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ନେବା ଉପରେ କଟକଣା ରହିଛି ।

SIMILIPAL SANCTUARY (ETV BHARAT ODISHA)
  • କେମିତି ଶିମିଳିପାଳ ବୁଲିବେ ପର୍ଯ୍ୟଟକ ?

ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଶିମିଳିପାଳ ପରିଦର୍ଶନରେ ଆସିଥାନ୍ତି । ଗୁରୁବାର ଏହା ଖୋଲିଯାଇଥିବା ବେଳେ ପର୍ଯ୍ୟଟକଙ୍କ ଭିଡ ମଧ୍ୟ ଜମିବା ଆରମ୍ଭ ହୋଇଗଲାଣି । ତାଳବନ୍ଧ, ଜାମୁଆଣି ଓ ଗୁଡୁଗୁଡିଆ କୋର ଏରିଆରେ ବଲିବା ପାଇଁ ଘରୋଇ ଗାଡ଼ି ପରିବର୍ତ୍ତେ ୩୫ଟି ଖୋଲା ଜିପ୍ ଅର୍ଥାତ୍ ସଫାରି ଗାଡିର ବ୍ୟବସ୍ଥା କରାଯାଇଛି । ସୁରକ୍ଷିତ ଭାବରେ ପର୍ଯ୍ୟଟକମାନେ କିପରି ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିପାରିବେ ଓ ବନ୍ୟଜନ୍ତୁଙ୍କ ଚଳପ୍ରଚଳକୁ ଅତି ନିକଟରୁ ଦେଖିପାରିବେ ସେନେଇ ସ୍ବତନ୍ତ୍ର ରୁଟ୍‌ (ମାର୍ଗ) ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲାବାକୁ ନେଇ ଉତ୍ସାହିତ ଥିବା କହିଛନ୍ତି ପର୍ଯ୍ୟଟକ ।

SIMILIPAL SANCTUARY (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ ... ଆସନ୍ତାକାଲିଠୁ ଖୋଲିବ ପ୍ରକୃତିପ୍ରେମୀଙ୍କ ଭୂସ୍ବର୍ଗ ଶିମିଳିପାଳ, ଏଥର ଏହି ନୂଆ ବ୍ୟବସ୍ଥା

ଏହା ମଧ୍ୟ ପଢନ୍ତୁ ... Sniffer Dogs to protect wildlife; ସନ୍ଧାନୀ କୁକୁର ଜଗିବ ଜଙ୍ଗଲ; 5 ଡିଭିଜନ ପାଇଁ 10 ସ୍ନିଫର ଡଗ୍, ଆଉ ଖସି ପାରିବେନି ଶିକାରୀ - sniffer dogs to guard forests

ଏହା ମଧ୍ୟ ପଢନ୍ତୁ ... ବିଶ୍ବ ରେକର୍ଡ କରିବ ଓଡ଼ିଶା: ଶିମିଳିପାଳରେ ହେବ ଦେଶର ପ୍ରଥମ କଳା ବାଘ ସଫାରୀ, ଡିସେମ୍ବର ସୁଦ୍ଧା ହୋଇପାରେ କାର୍ଯ୍ୟକ୍ଷମ - Similipal Black Tiger Safari

ଏହା ମଧ୍ୟ ପଢନ୍ତୁ-ଖୋଲିଲା ଶିମିଳିପାଳ: କେଉଁଠି ରହିବେ, କେମିତି ବୁଲିବେ ? ପର୍ଯ୍ୟଟକଙ୍କ ହୋଇଛି ଏସବୁ ବ୍ୟବସ୍ଥା

  • ପର୍ଯ୍ୟଟକଙ୍କ ପାଇଁ କଣ ରହିଛି ବ୍ୟବସ୍ଥା:

ଶିମିଳିପାଳରେ ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାତ୍ରିଯାପନ ସହିତ ଖାଇବା ପିଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାତିରେ ରହିବାକୁ ହେଲେ ଏଠାରେ ବୁକିଂ କରିବାକୁ ପଡିବ । ବରେହିପାଣି, ଗୁଡୁଗୁଡିଆ, ରାମତୀର୍ଥ, ଜାମୁଆଣୀ ଓ କୁମାରୀ ଆଦି ସ୍ଥାନରେ ରହିବାର ବ୍ୟବସ୍ଥା କରାଯାଇଛି । ସେହିପରି କୁମାରୀ ଗାଁ ନିକଟରେ ସ୍ବତନ୍ତ୍ର ବାଉଁଶ କୁଟୀରର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାହା ପରିଭ୍ରମଣକାରୀଙ୍କୁ ଭିନ୍ନ ଏକ ଅନୁଭୂତି ଦେବ ।

SIMILIPAL SANCTUARY (ETV BHARAT ODISHA)
  • ଏଥର ନୂଆ କଣ ?

ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବାକୁ ଚଳିତ ଥର କିଛି ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଶିମିଳିପାଳରେ ଦୁଃସାହସିକ କ୍ରୀଡା, ମାଉଣ୍ଟେନ ସାଇକେଲିଂ, ନେଚର ଗେମିଙ୍ଗ ଓ ଜଙ୍ଗଲ ସଫାରୀ ଭଳି କିଛି ନୂତନ ବ୍ୟବସ୍ଥା କରାଯାଇଛି । ଯାହା ପର୍ଯ୍ୟଟକଙ୍କୁ ଭଲ ଅନୁଭୂତି ଦେବ ବୋଲି ଆଶା କରାଯାଉଛି । ସୁରକ୍ଷିତ ଭାବରେ ଅତି ନିକଟରୁ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେଇଛନ୍ତି । ପର୍ଯ୍ୟଟକମାନେ ପ୍ରତି ଗାଡ଼ିରେ ଜଣେ ବିଭାଗୀୟ ଗାଇଡଙ୍କୁ ନେଇ ଜାତୀୟ ଉଦ୍ୟାନ ଭ୍ରମଣ କରିବେ ।

SIMILIPAL SANCTUARY (ETV BHARAT ODISHA)
  • ଶିମିଳିପାଳର ମୁଖ୍ୟ ଆକର୍ଷଣ :

ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ରହିଥିବା ସମସ୍ତ ସ୍ଥାନ ବେଶ ଆକର୍ଷଣୀୟ । ସେଥି ମଧ୍ୟରୁ ବରେହିପାଣି, ଯୋରନ୍ଦା, ଚହଲା, ଉସ୍କିରେ ଥିବା ଜଳପ୍ରପାତ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରେ । କୋର ଏରିଆରେ ମହାବଳ ବାଘ, ବିରଳ ମେଲାନିଷ୍ଟିକ ପ୍ରଜାତିର ବାଘ, ହରିଣ, ଝିଙ୍କ, ଭାଲୁ, ମୟୂର ଆଦି ଜୀବଜନ୍ତୁ ଦେଖବାକୁ ମିଳିଥାଏ । ଯାହାକୁ ଅତି ନିକଟରୁ ଦେଖି ପର୍ଯ୍ୟଟକମାନେ ଆତ୍ମସନ୍ତୋଷ ଲାଭ କରିଥାନ୍ତି । ସେପଟେ ଶିମିଳିପାଳ ଅଭୟାରଣ୍ୟରେ ଥିବା କେତୋଟି ଗାଁର ଲୋକଙ୍କୁ ବିସ୍ଥାପିତ କରାଯାଇ ଥଇଥାନ କରାଗଲେ ଶିମିଳିପାଳ ଜାତୀୟ ଉଦ୍ୟାନର ମାନ୍ୟତା ପାଇବା ସହ ବିଶ୍ବ ଐତିହ୍ୟର ମାନ୍ୟତା ପାଇପାରିବ ବୋଲି ମତ ବ୍ୟକ୍ତ କରିଛନ୍ତି ପ୍ରକୃତିପ୍ରେମୀ ।

SIMILIPAL SANCTUARY (ETV BHARAT ODISHA)
  • ଶିମିଳିପାଳ ଅଭୟାରଣ୍ୟ ବିଷୟରେ :

ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ଏହାର ଆୟତନ ହେଉଛି ୨୭୫୦ ବର୍ଗ କି.ମି । ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ, ଯାହାକି ଭାରତର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ। ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ, ଭାସ୍ୟମାନ ମେଘମାଳା ଓ କଳ କଳ ନାଦ କରି ବହି ଯାଉଥୁବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ । ଏଠାରେ ବିଭିନ୍ନ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦ ଦେଖୁବାକୁ ମିଳେ । ତନ୍ମଧ୍ୟରୁ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀଶୃପ ରହିଛନ୍ତି ।

ସମୁଦ୍ର ପତ୍ତନଠାରୁ ଶିମିଳିପାଳର ହାରାହାରି ଉଚ୍ଚତା ହେଉଛି ୯୦୦ ମି.। ସୁଉଚ୍ଚ ପର୍ବତ ଶିଖର ଗୁଡିକ ଯଥା ଖୈରିବୁରୁ (୧୧୭୮ ମି.) ଓ ମେଘାସନୀ (୧୧୫୮ ମି.) ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ। ବିଭିନ୍ନ ନଦୀ ଗୁଡିକ ଯଥା ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ପଳପଳା ଇତ୍ୟାଦି ଶିମିଳିପାଳରୁ ଉତ୍ପନ୍ନ ହୋଇଛନ୍ତି। ଉକ୍ତ ଜୈବ ମଣ୍ଡଳରେ ହଜାରେ ପ୍ରଜାତିର ସପୁଷ୍ପକ ଉଦ୍ଭିଦ ସହିତ ୧୦୪ ପ୍ରଜାତିର ଅର୍କିଡ ଓ ବରେହିପାଣି (୪୦୦ ମି.), ଯୋରନ୍ଦା ଜଳପ୍ରପାତ (୧୫୦ ମି.), ଉସକୀ, ଦେବକୁଣ୍ଡ ଏବଂ ସୀତାକୁଣ୍ଡ ଜଳପ୍ରପାତର ଦୃଶ୍ୟ ଅତୀବ ମନୋରମ । ଯାହା ପ୍ରକୃତୀପ୍ରେମୀଙ୍କୁ ଆକୃଷ୍ଟ କରିଥାଏ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details