ଓଡିଶା

odisha

ETV Bharat / state

ଆୟୋଜିତ ହେବ ମତ୍ସ୍ୟ-ପ୍ରାଣୀ ସମାବେଶ; ଯୋଗଦେବେ ୬ ହଜାରରୁ ଊର୍ଦ୍ଧ୍ବ ମତ୍ସ୍ୟଚାଷୀ-ପ୍ରାଣୀପାଳକ - Matsya Pranee Samavesh Odisha

MPSO 2024: ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେବ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ୨୦୨୪ । ସମାବେଶରେ ଯୋଗ ଦେବେ ୬ ହଜାରରୁ ଊର୍ଦ୍ଧ୍ବ ମତ୍ସ୍ୟଚାଷୀ ଓ ପ୍ରାଣୀପାଳକ । ଅଧିକ ପଢ଼ନ୍ତୁ

ଆୟୋଜିତ ହେବ ମତ୍ସ୍ୟ-ପ୍ରାଣୀ ସମାବେଶ
ଆୟୋଜିତ ହେବ ମତ୍ସ୍ୟ-ପ୍ରାଣୀ ସମାବେଶ

By ETV Bharat Odisha Team

Published : Feb 12, 2024, 9:56 PM IST

ଆୟୋଜିତ ହେବ ମତ୍ସ୍ୟ-ପ୍ରାଣୀ ସମାବେଶ

ଭୁବନେଶ୍ବର: ପ୍ରଥମ ଥର ଆୟୋଜିତ ହେବାକୁ ଯାଉଛି ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ୨୦୨୪ । ୧୬ରୁ ୧୮ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ 3 ଦିନ ଧରି ଭୁବନେଶ୍ବରର ଜନତା ମଇଦାନରେ ଅନୁଷ୍ଠିତ ହେବ ସମାବେଶ । ଚଳିତବର୍ଷର ବିଷୟବସ୍ତୁ 'କଲେ ମତ୍ସ୍ୟ-ପ୍ରାଣିପାଳନ, ଆୟ ହୋଇବ ବହୁଗୁଣ' । ସମାବେଶରେ ଯୋଗ ଦେବେ ୬ ହଜାରରୁ ଊର୍ଦ୍ଧ୍ବ ମତ୍ସ୍ୟଚାଷୀ ଓ ପ୍ରାଣିପାଳକ । ପ୍ରାୟ ୪୦୦ ଷ୍ଟଲ ପ୍ରଦର୍ଶିତ ହେବା ସହ ୧୨ଟି ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ପ୍ରଦର୍ଶିତ ହେବ ଯୁବରାଜ ବୋଫାଲୋ ବୁଲ, ଏଲ୍‌ଇଡି ଟନେଲ ଆକ୍ବାରିୟମ, ଭର୍ଚୁଆଲ ରିୟଲିଟି ଫାର୍ମ ଟୁର୍‌ ଓ ଡଗ ସୋ । ଗୋଟିଏ ମଞ୍ଚରେ ମତ୍ସ୍ୟ ଓ ପ୍ରାଣିପାଳନର ସର୍ବୋତ୍ତମ ଉତ୍ପାଦ ଓ ଅନୁଶୀଳନ ପ୍ରଦର୍ଶିତ ହେବ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ।

ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା ୨୦୨୪ ଉପଲକ୍ଷେ ଆଜି କୃଷି ଭବନରେ ଆୟୋଜିତ ହୋଇଛି ସାମ୍ବାଦିକ ସମ୍ମିଳନୀ । ଏଥିରେ ମନ୍ତ୍ରୀ କହିଛନ୍ତି, "ଏହି ସମାବେଶ ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ, ଗୋପାଳକ, ପ୍ରାଣିପାଳକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ବ୍ୟବସାୟିକ ସଂସ୍ଥା, କୃଷି ଉଦ୍ୟୋଗୀ, ସେବା ପ୍ରଦାନକାରୀ ସଂସ୍ଥା ଓ ଶିଳ୍ପଗୁଡ଼ିକ ମଧ୍ୟରେ ସଂଯୋଗ ସ୍ଥାପନ ପାଇଁ ଏକ ମଞ୍ଚ ପ୍ରସ୍ତୁତ କରିବା ସହ ମତ୍ସ୍ୟ ଓ ପ୍ରାଣିପାଳନର ସର୍ବୋତ୍ତମ ଉତ୍ପାଦ ଓ ଅନୁଶୀଳନକୁ ପ୍ରଦର୍ଶନ କରିବା ପାଇଁ ଲକ୍ଷ୍ୟ ରଖିଛି ।'କଲେ ମତ୍ସ୍ୟ-ପ୍ରାଣିପାଳନ, ଆୟ ହୋଇବ ବହୁଗୁଣ' ଥିମ୍‌କୁ ନେଇ ଏହି ସମାବେଶ ୧୬ରୁ ୧୮ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ 3 ଦିନ ଧରି ଭୁବନେଶ୍ବର ଜନତା ମଇଦାନରେ ଅନୁଷ୍ଠିତ ହେବ । ଜିଲ୍ଲାସ୍ତରରେ ଆୟୋଜିତ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ସଫଳ ଆୟୋଜନ ଓ ଏଥିପ୍ରତି ଚାଷୀ ଓ ଜନସାଧାରଣଙ୍କ ଆଗ୍ରହକୁ ଲକ୍ଷ୍ୟରେ ରଖି ରାଜ୍ୟସ୍ତରରେ ମତ୍ସ୍ୟ-ପ୍ରାଣୀ ସମାବେଶର ଆୟୋଜନ କରାଯାଉଛି ।"

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ମାଛଚାଷ ଓ ପ୍ରାଣିପାଳନ ସଂପ୍ରତି ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ଓ ସଶକ୍ତ କରିବାରେ ବିଶେଷ ଭୂମିକା ଗ୍ରହଣ କରିଛି । ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟ ସରକାର ଜେଣ୍ଡର ବଜେଟିଂ କାର୍ଯ୍ୟକାରୀ କରୁଛନ୍ତି । ଏହା ଅନ୍ତର୍ଗତ କିଛି କାର୍ଯ୍ୟକ୍ରମର 100 ପ୍ରତିଶତ ଏବଂ ଆଉ କିଛି କାର୍ଯ୍ୟକ୍ରମରେ ଅତି କମରେ 30 ପ୍ରତିଶତ କେବଳ ମହିଳାଙ୍କ ପାଇଁ କାର୍ଯ୍ୟକାରୀ ହେବ । ଏହି ସମାବେଶରେ ପ୍ରତି ବ୍ଲକରୁ 20 ଜଣ ଚାଷୀ ମିଶାଇ 6,000ରୁ ଊର୍ଦ୍ଧ୍ଵ ମତ୍ସ୍ୟଚାଷୀ, ପ୍ରାଣୀପାଳକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ଉଦ୍ୟୋଗୀମାନେ ଯୋଗଦେବେ । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ, ଆଇସିଏଆର୍‌, ୱାର୍ଲ୍ଡ ଫିସ, ବିଭିନ୍ନ ବିଶ୍ବବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ବେସରକାରୀ ସଂଗଠନକୁ ସାମିଲ କରାଯିବ । ବୈଷୟିକ ଅଧିବେଶନ, କୃଷକ-ବୈଜ୍ଞାନିକ ଆଲୋଚନା, ସେମିନାର, ଅତ୍ୟାଧୁନିକ ଯନ୍ତ୍ରପାତିର ପ୍ରଦର୍ଶନ, ଜୀବନ୍ତ ପ୍ରାଣୀ ଓ ମତ୍ସ୍ୟ ପ୍ରଦର୍ଶନୀ, ଅଭିଜ୍ଞତା ବଣ୍ଟନ ଆଦି କାର୍ଯ୍ୟକ୍ରମ କରାଯାଉଛି । ପ୍ରାୟ ୨୦୦ ଚାଷୀ ଏବଂ ଉଦ୍ୟୋଗୀଙ୍କୁ ମତ୍ସ୍ୟ ଏବଂ ପ୍ରାଣିପାଳନ କ୍ଷେତ୍ରରେ ସେମାନଙ୍କର ସଫଳତା ପାଇଁ ଚମ୍ପିଆନ୍‌ ଭାବରେ ପୁରସ୍କୃତ କରାଯିବ । ଶ୍ରେଷ୍ଠ ବିଭାଗୀୟ ଅଧିକାରୀମାନଙ୍କୁ ମଧ୍ୟ ମତ୍ସ୍ୟ ଓ ପ୍ରାଣିସମ୍ପଦ କ୍ଷେତ୍ରର ବିକାଶରେ ଅବଦାନ ପାଇଁ ସମ୍ମାନିତ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ପ୍ରସ୍ତୁତ ହେବ ଇଭି ଓ ବ୍ୟାଟେରୀ, ରାଜ୍ୟ ସରକାର ଓ ଜେଏସଡବ୍ଲୁ ମଧ୍ୟରେ ଏମଓୟୁ ସ୍ବାକ୍ଷର

ରାଜ୍ୟର ୨୪୦୦ ଅଗ୍ରଣୀ କୃଷକ, ଉଦ୍ୟୋଗୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ମତ୍ସ୍ୟ, ପ୍ରାଣିସମ୍ପଦ ଏବଂ କୃଷି ଉପରେ ୧୨ଟି ଇଣ୍ଟରାକଫିଭ ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରିବେ । ଦେଶର ବିଭିନ୍ନ ସ୍ଥାନରୁ ଏବଂ ବିଦେଶରୁ ପ୍ୟାନେଲିଷ୍ଟ ଦୁଗ୍ଧ ଉତ୍ପାଦନ ଏବଂ ମୂଲ୍ୟଯୁକ୍ତ ବ୍ୟବସ୍ଥା, ଛେଳିମେଣ୍ଢା ଫାର୍ମିଂ ମାଧ୍ୟମରେ କୃଷକଙ୍କ ଆୟବୃଦ୍ଧି, ଉଦ୍ୟୋଗ ବିକାଶ ପାଇଁ ବାୟୋ-ଫ୍ଲକ୍‌ ଏବଂ କେଜ ପଦ୍ଧତିରେ ମାଛଚାଷ ପରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ । ଏକ ନୂତନ କାର୍ଯ୍ୟକ୍ରମ ‘ଆସ୍କ ଦି ମିନିଷ୍ଟର’ର ପରିକଳ୍ପନା କରାଯାଇଛି । ଏଥିରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ମନ୍ତ୍ରୀ କୃଷକ ମାନଙ୍କ ବିଭିନ୍ନ ପ୍ରଶ୍ନର ସିଧାସଳଖ ଉତ୍ତର ରଖିବେ । ଶତାଧିକ କମ୍ପାନି, ଏନଜିଓ, ଜାତୀୟ ସ୍ତରର ଅନୁଷ୍ଠାନ, ସରକାରୀ ବିଭାଗ, ନିର୍ଦ୍ଦେଶାଳୟ ଏବଂ ସମବାୟ ସଂସ୍ଥା ମତ୍ସ୍ୟ, ପ୍ରାଣିସମ୍ପଦ, କୃଷି ଓ ଅନ୍ୟାନ୍ୟ ବିଷୟରେ ୪ ଟି ହ୍ୟାଙ୍ଗର ମଧ୍ୟରେ ପ୍ରାୟ ୪୦୦ ଷ୍ଟଲ ସହିତ ଆଧୁନିକ ଜ୍ଞାନକୌଶଳର ପ୍ରଦର୍ଶନ କରିବେ । ୨ ଟି ଖୋଲା ହ୍ୟାଙ୍ଗରରେ ଜୀବନ୍ତ ପ୍ରାଣୀ ଏବଂ ମତ୍ସ୍ୟ ପ୍ରଦର୍ଶନୀ କରାଯାଇ ବାୟୋ-ଫ୍ଲକ ଟେକ୍ନୋଲୋଜି, କେଜ ପଦ୍ଧତି ମାଛଚାଷ, କ୍ରସବ୍ରିଡ ଗାଈ, ସେକ୍ସ ସର୍ଟେଡ ସିମେନ ବାଛୁରୀ, ପରିବେଶ ନିୟନ୍ତ୍ରିତ କୁକୁଡ଼ା ଘର ଇତ୍ୟାଦି ପ୍ରଦର୍ଶିତ ହେବ ।

ସମାବେଶର ଖୋଲା ସ୍ଥାନରେ ପ୍ରଦର୍ଶିତ ହେବାକୁ ଯାଉଥିବା ଯୁବରାଜ ବୋଫାଲୋ ବୁଲ, ଏଲ୍‌ଇଡି ଟନେଲ ଆକ୍ବାରିୟମ, ଭର୍ଚୁଆଲ ରିଅଲିଟି ଫାର୍ମ ଟୁର, ଡଗ ସୋ ଆଦି ଆୟୋଜିତ ହେବ । ହରିୟାଣାର 'ବୋଫାଲୋ ବୁଲ ଯୁବରାଜ' ମୁରା ପ୍ରଜାତିର ଅଟେ । ଓଡିଶାର ଦୁଗ୍ଧଚାଷୀଙ୍କ ମଧ୍ୟରେ ଉନ୍ନତ ଦୁଗ୍ଧ ଉତ୍ପାଦନ ପାଇଁ ମଇଁଷିଙ୍କ ମୁରା ସହିତ ପ୍ରଜନନ କରିବାକୁ ସଚେତନତା ସୃଷ୍ଟି କରିବ । ୧୬ ଫେବୃଆରୀ ୨୦୨୪ ଦିନ ସକାଳ ୬ଟା ସମୟରେ ଏକ ୱାକାଥନ୍‌ ଆୟୋଜିତ ହେବ । ଏହି ଉପଲକ୍ଷେ ଭେଟେରିନାରୀ, ଫିସରିଜ ଏବଂ ମ୍ୟାନେଜମେଣ୍ଟ କଲେଜ, ପଲିଟେକନିକ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତବ୍ୟ ଏବଂ କୁଇଜ୍‌ ପ୍ରତିଯୋଗିତା ଆୟୋଜିତ କରାଯାଉଛି । ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ସମାବେଶରେ ପୁରସ୍କୃତ କରାଯିବ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ମତ୍ସ୍ୟ-ପ୍ରାଣୀ ସମାବେଶର ଲୋଗୋ, ମାସ୍କଟ, ଥିମ୍‌ ଏବଂ ଥିମ୍‌ ସଙ୍ଗର ଉନ୍ମୋଚନ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ରାମାଶିଷ ହାଜରା, ଓମଫେଡର ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦୁ ରାୟ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details