ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେନ୍ସରେ ଗ୍ୟାସ ଲିକ ଘଟଣା ଘଟିଛି । ଏଥି ଯୋଗୁଁ ୯ ଜଣ ଆହତ ହୋଇଛନ୍ତି । ଏହା ଏକ ଅଭାବନୀୟ ଓ ଦୁର୍ଭାଗ୍ୟଜନକ ଅଘଟଣ । ଏହି ଘଟଣାରେ ଭୁଲ ଓ ଅବହେଳା ଥିଲେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଏ ସମ୍ବନ୍ଧରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ରାଉରକେଲା ଷ୍ଟିଲ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେନ୍ସରେ ଆଜି ପୂର୍ବାହ୍ନ ୧୦.୧୫ ମିନିଟରେ ଗ୍ୟାସ ଲିକ ହୋଇଥିଲା । ଏଥିରେ ୯ ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ନିୟମିତ ଓ ୬ ଜଣ ଠିକା ଶ୍ରମିକ ଆହତ ହୋଇଛନ୍ତି । ଡେପୁଟି ଡାଇରେକ୍ଟର ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ ଫ୍ୟାକ୍ଟ୍ରିଜ ଓ ବଏଲରସ ତୁରନ୍ତ ଘଟଣାସ୍ଥଳକୁ ଯାଇଛନ୍ତି । ଆହତ ୯ ଜଣଙ୍କୁ ତତକ୍ଷଣାତ ଷ୍ଟିଲ ପ୍ଲାଣ୍ଟର ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା । ତନ୍ମଧ୍ୟରୁ ଜଣଙ୍କୁ ଅକ୍ସିଜେନ ଦେବା ପରେ ଛାଡ଼ି ଦିଆଯାଇଛି । ଅନ୍ୟ ୮ ଜଣଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୭ ଜଣ ଶ୍ରମିକଙ୍କ ସ୍ବାସ୍ଥ୍ୟାବସ୍ଥା ବିପଦମୁକ୍ତ । ତେବେ ସେମାନେ ଆଇସିୟୁରେ ଅଛନ୍ତି । ଅକ୍ସିଜେନ ଦିଆଚାଲିଛି ।