ପୁରୀ:ପର୍ଯ୍ୟଟନର ପେଣ୍ଠସ୍ଥଳୀ ହେଉଛି ପୁରୀ । ହେଲେ ଏଠାରେ ଥିବା ପ୍ରାୟ ୮୦ ପ୍ରତିଶତ ହୋଟେଲରେ ନାହିଁ ସଠିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା । ଜିଲ୍ଲା ପ୍ରଶାସନର ଖାମଖିଆଲି ମନୋଭାବକୁ ବୁଦ୍ଧିଜୀବୀ ସମାଲୋଚନା କରିଛନ୍ତି । ସେପଟେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ୫୦ଟି ହୋଟେଲକୁ ଏନେଇ ନୋଟିସ ଦିଆଯାଇଛି।
ଅଧିକାଂଶ ହୋଟେଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା:
ପୁରୀ ସହରରେ କିଛି ହାତ ଗଣତି ହୋଟେଲକୁ ଛାଡିଦେଲେ ଅଧିକାଂଶ ହୋଟେଲରେ ପର୍ଯ୍ୟାପ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଯଦି କୌଣସି ହୋଟେଲରେ ଅଗ୍ନିକାଣ୍ଡ ଘଟେ ଗ୍ରାହକଙ୍କ ଜୀବନ ବଞ୍ଚାଇବାରେ ହୋଟେଲ ଗୁଡ଼ିକ ସକ୍ଷମ ନୁହନ୍ତି । ଅଗ୍ନି ନିରାପତ୍ତା ପାଇଁ ଯେଉଁ ମାର୍ଗଦର୍ଶିକା ରହିଛି ତାହା ଖୋଲା ଉଲ୍ଲଘଂନ କରିଛନ୍ତି ଅଧିକାଂଶ ହୋଟେଲ । କେବଳ କାଗଜ କଲମରେ ରହିଯାଇଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା । ଅଗ୍ନିକାଣ୍ଡକୁ ମୁକାବିଲା କରିବା ପାଇଁ ଯାହା ବ୍ୟବସ୍ଥା ଓ ନିୟମ ରହିଛି ଅଧିକାଂଶ ହୋଟେଲ ସେସବୁ ମାନୁନାହାନ୍ତି । ହୋଟେଲ, ଲଜ୍, ଗେଷ୍ଟ ହାଉସ ନିର୍ମାଣ ପୂର୍ବରୁ ନକ୍ସାକୁ ଦେଖି ଅଗ୍ନିଶମ ବିଭାଗ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ NOC ଦେଇଥାଏ । ସବୁ ନିୟମକୁ ପାଳନ କରିବା ବାଧ୍ୟତାମୂଳକ । ତେବେ ପୁରୀରେ ଥିବା ଅଧିକାଂଶ ହୋଟେଲ ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କେବଳ କାଗଜ କଲମରେ ସୀମିତ ଥିବାବେଳେ ଧନଜୀବନ ହାନିର ଭୟ ରହିଛି ।
ନିୟମକୁ ବେଖାତିର:
ପୁରୀରେ ବାରମ୍ବାର ଅଗ୍ନିକାଣ୍ଡ ଘଟଣା ସତ୍ତ୍ୱେ ହୋଟେଲ ମାଲିକଙ୍କ ଚେତା ପଶୁନି । ଅଧିକାଂଶ ହୋଟେଲରେ ଅଗ୍ନି ନିର୍ବାପକ ଯନ୍ତ୍ର କେବଳ ସୋ ପିସ ଭାବେ ରହିଛି । ପୁରୀ ଅଗ୍ନିଶମ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୀ ସହରରେ ୬୦୦ରୁ ଅଧିକ ହୋଟେଲ, ଲଜ ଓ ଗେଷ୍ଟ ହାଉସ ରହିଛି। ମାତ୍ର କିଛି ବଡ଼ ପ୍ରମୁଖ ହୋଟେଲକୁ ଛାଡିଦେଲେ କୌଣସି ହୋଟେଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ମାର୍ଗଦର୍ଶିକା ଅନୁଯାୟୀ ନାହିଁ । ଗତ ତିନି ମାସ ଭିତରେ ପୁରୀ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ପଚାଶ ୫୦ଟି ହୋଟେଲକୁ ଏନେଇ ନୋଟିସ ଦିଆଯାଇଛି । ଅନ୍ୟ ହୋଟେଲ ଗୁଡ଼ିକୁ ପର୍ଯ୍ୟାୟକ୍ରମେ ନୋଟିସ ଦିଆଯିବ ।
ସୂଚନା ଅନୁଯାୟୀ, ପୁରୀ ସହରରେ ଥିବା ୮୦ ପ୍ରତିଶତ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପାଇଁ ଅଗ୍ନିଶମ ବିଭାଗର NOC ନାହିଁ । ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଦୃଷ୍ଟିରେ ରଖାଯାଇ ସବୁ ହୋଟେଲ ପକ୍ଷରୁ ସେମାନଙ୍କ କର୍ମଚାରୀଙ୍କୁ ନେଇ ମକଡ୍ରିଲ ପାଇଁ ବାରମ୍ବାର ଅଗ୍ନିଶମ ବିଭାଗ ସଚେତନ କରୁଛି । ହେଲେ ହୋଟେଲ କର୍ତ୍ତୃପକ୍ଷ ଏହାକୁ ପାଳନ କରୁନାହାନ୍ତି । ପୁରୀ ସହରରେ 25 ରୁ 30ଟି ବଡ ହୋଟେଲ ରହିଛି । ଏହି ହୋଟେଲ ଗୁଡ଼ିକରେ ନିଆଁ ଲାଗିଲେ ବଡ ଧରଣର ଅଘଟଣ ଘଟିବାର ଆଶଙ୍କା ରହିଛି।
ପ୍ଲାନ ଅନୁଯାୟୀ ହୋଇନି ବିଲ୍ଡିଂ:
ପୁରୀ ସହରର ଜନବହୁଳ ସ୍ଥାନ ସିଟି ରୋଡ, ସି ବିଚ୍, ସ୍ବର୍ଗ ଦ୍ବାର, ଲାଇଟ୍ ହାଉସ, ବଳିଆପଣ୍ଡା, ବଡଦାଣ୍ଡ ସମେତ ଶ୍ରୀମନ୍ଦିର ଚାରି ପାଖରେ ଅନେକ ଲଜ, ଗେଷ୍ଟ ହାଉସ ଓ ହୋଟେଲ୍ ରହିଛି । ହୋଟେଲ ଗୁଡ଼ିକର ପର୍ଯ୍ୟାପ୍ତ ଖୋଲା ସ୍ଥାନ ନାହିଁ । ଅନେକ ସାହି ଗଳିରେ ଛୋଟ ଛୋଟ ଲଜ୍ ରହିଛି । ରାସ୍ତା ସଂକୀର୍ଣ୍ଣ ଓ ହୋଟେଲ ଚାରିପଟେ ପର୍ଯ୍ୟାପ୍ତ ଖୋଲା ସ୍ଥାନ ନ ଥିବାରୁ ଅଗ୍ନିକାଣ୍ଡ ହେଲେ ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ପାରିବ ନାହିଁ। ଫଳରେ ଅଗ୍ନିକାଣ୍ଡ ଘଟିଲେ ଲୋକଙ୍କ ବହୁ ଧନ ଜୀବନ ହାନିର ଆଶଙ୍କା ରହିଛି । ପୁରୀ ସହରରେ ଅନେକ ହୋଟେଲ ଗୁଡ଼ିକ ଜନଗହଳି ଅଞ୍ଚଳରେ ରହିଛି ।
ହୋଟେଲ ଗୁଡ଼ିକରେ ଥିବା ରୋଷେଇ ଗୃହରେ ଚୁଲା ନିକଟରେ ଗ୍ୟାସ ସିଲିଣ୍ଡର ଅସୁରକ୍ଷିତ ଭାବେ ରହିଛି । ତେବେ ରୋଷେଇ ଘରେ ଅଗ୍ନି ନିରାପତ୍ତା ଯନ୍ତ୍ର ନାହିଁ। ଅଗ୍ନିକାଣ୍ଡରୁ ରକ୍ଷା ପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ ନାହିଁ। ଏହି ସ୍ଥିତିରେ ଯଦି ଅଗ୍ନିକାଣ୍ଡ ଘଟେ ଅନେକ ଲୋକଙ୍କ ଜୀବନ ହାନିର ଆଶଙ୍କା ରହିଛି । ବଡ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନରେ ବଡ ପାଣିଟାଙ୍କି ନ ଥିବାରୁ ଅଗ୍ନିକାଣ୍ଡବେଳେ ନିଆଁ ଲିଭାଇବା ବି ମୁସ୍କିଲ । ତେବେ ଦୁର୍ଭାଗ୍ୟର ବିଷୟ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ନିୟମିତ ଯାଞ୍ଚ କରାଯାଉନାହିଁ । ଅନେକ ହୋଟେଲ, ରେସ୍ତୋରାଁ, ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ବିଲ୍ଡିଂ ପ୍ଲାନ ଅନୁଯାୟୀ କରିନାହାନ୍ତି ।
ଆଇନଜୀବୀଙ୍କ ମତ:
ପୁରୀ ସହର ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ରମେଶ ପ୍ରସାଦ ସିହ୍ନା ନିଜ ପ୍ରତିକ୍ରିୟାରେ କହିଛନ୍ତି, "ପୁରୀ ହେଉଛି ବିଶ୍ବର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ । ହଜାର ହଜାର ପର୍ଯ୍ୟଟକ ପ୍ରତିଦିନ ପୁରୀ ସହରକୁ ଆସୁଛନ୍ତି । ପୁରୀ ସହରରେ ଶହ ଶହ ହୋଟେଲ, ଲଜ, ଗେଷ୍ଟ ହାଉସ ରହିଛି । ହେଲେ ଆଶ୍ଚର୍ଯ୍ୟର ବିଷୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ଅନେକ ଲୋକ ହୋଟେଲରେ ରହୁଥିବାବେଳେ ହଠାତ ଅଗ୍ନିକାଣ୍ଡ ନ ଘଟିବ ବୋଲି କିଏ କହିବ? ଯେତେବେଳେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଥା ଉଠୁଛି ସେତେବେଳେ ଅଗ୍ନିଶମ ବିଭାଗ କେବଳ ଲୋକ ଦେଖାଣିଆ ଭାବେ ନୋଟିସ କରି ବସିଯାଉଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଠିକ ଢଙ୍ଗରେ ଲାଗୁ କରିବା ନେଇ ଅଗ୍ନିଶମ ଅଧିକାରୀଙ୍କ ନିଷ୍ଠା ନାହିଁ । ଏହା ଓଡ଼ିଶା ସରକାରଙ୍କ ଦାୟିତ୍ଵ । ଯେଉଁଠାରେ ପର୍ଯ୍ୟଟକ, ଯାତ୍ରୀ ରହୁଛନ୍ତି ସେଠାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହେବା ଉଚିତ୍ । ତେଣୁ ସରକାର ନିୟମ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।"