ଭୁବନେଶ୍ବର:ରାଜଧାନୀ ଭୁବନେଶ୍ୱରରେ ରାଜନୈତିକ ତାତି ଦେଖିବାକୁ ମିଳିଲାଣି । ବିଜେଡି ଓ ବିଜେପି ପ୍ରଚାର ଆରମ୍ଭ କଲେଣି । ଏହି କ୍ରମରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ। ବିଜୁପଟ୍ଟନାୟକ ପାର୍କ ବା ଫରେଷ୍ଟ ପାର୍କରେ ଆଜି ସକାଳୁ ମର୍ଣ୍ଣିଂ ୱାକ୍ ପାଇଁ ଆସୁଥିବା ଲୋକଙ୍କୁ ଭେଟି ଜନସମ୍ପର୍କ ଯୋଡିଲେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ। ଆଜି ସକାଳୁ ମନ୍ମଥ ରାଉତରାୟ ଲୋକଙ୍କ ସହ ବ୍ୟାୟାମ ଓ ଜୁମ୍ବା ଡ୍ୟାନ୍ସ କରିଥିବା ଦେଖିବାକୁ ମିଳିଛି। ସାଙ୍ଗରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଉପସ୍ଥିତ ରହିଥିଲେ।
ଏହି ଜନସମ୍ପର୍କ କାର୍ଯ୍ୟକ୍ରମରେ ମନ୍ମଥ ରାଉତରାୟ କହିଛନ୍ତି, "ଲୋକସମ୍ପର୍କ ବଢ଼ାଇବା ପାଇଁ ଆସିଥିଲି। ଏଠି ସମସ୍ତଙ୍କ ପାଖରେ ମୁଁ ସୁରଙ୍କ ପୁଅ ବୋଲି ପରିଚିତ। ଛୋଟ ବେଳୁ ମୁଁ ଏଠାରେ ବଢ଼ିଛି । ଲୋକଙ୍କ ଆଶୀର୍ବାଦ ନେବାକୁ ଆସିଥିଲି। ଆଜିର ଯୁବପିଢ଼ି ମୋ ସାଙ୍ଗରେ ଅଛନ୍ତି। ରାଜ୍ୟ ରାଜଧାନୀରେ ଆଞ୍ଚଳିକ ପୁଅ ଭଲ ପ୍ରଦର୍ଶନ କରିବ । ଲୋକଙ୍କ ଆଶୀର୍ବାଦ ମୋ ଉପରେ ରହିଛି ।" ସେପଟେ ଦଳର ପ୍ରଚାର ପାଇଁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ସହ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କୁ ମଧ୍ୟ ପାର୍କରେ ଦେଖିବାକୁ ମିଳିଥିଲା ।