ବଲାଙ୍ଗୀର:ଦଇବର ଲୀଳା ବଡ଼ ବିଚିତ୍ର । କିଏ ଟଙ୍କା ଗଦା ଉପରେ ଶୋଉଛି ତ ଆଉ କିଏ ଅର୍ଥ ଅଭାବରୁ ଜୀବନ ସହ ସଂଗ୍ରାମ କରୁଛି । ଦୁର୍ଦ୍ଦିନରେ କଟୁଛି ପରିବାର ଜୀବନ । ସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରୁଥିଲେ ମଧ୍ୟ ତାହା ସଠିକ ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ସେମିତି ଜଣେ ଅସହାୟ ବ୍ୟକ୍ତି ହେଉଛନ୍ତି ବଲାଙ୍ଗୀର ସହର ଇନ୍ଦିରାନଗରର ପ୍ରଭୁ ପ୍ରକାଶ ନାୟକ । ଦିନେ ପ୍ରଭୁ ପ୍ରକାଶ ରୋଜଗାର କରି ଘର ଚଳଉଥିଲେ । ସ୍ତ୍ରୀ ଓ ପରିବାରକୁ ନେଇ ହସଖୁସିରେ ଚାଲିଥିଲା ଅଭାବୀ ସଂସାର । ହେଲେ ଦିନେ ଦୁଃଖର ପାହାଡ ତାଙ୍କ ଉପରେ ଛିଡିପଡିଲା । କିଡନୀ ରୋଗରେ ଆକ୍ରାନ୍ତ ହେଲେ ପ୍ରଭୁ ପ୍ରକାଶ । ଗତ ୮ରୁ ୯ ବର୍ଷ ହେଲା ବିଛଣାରେ ପଡି ଛଟପଟ ହେଉଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।
ବଲାଙ୍ଗୀର ସହର ଇନ୍ଦିରାନଗରରେ ରହନ୍ତି ପ୍ରଭୁ ପ୍ରକାଶ ନାୟକ । ଘରେ ସେ ଏକା ରୋଜଗାରିଆ ଥିଲେ । ଦିନେ ସେ ଲକ୍ଷାଧିକ ଟଙ୍କା ରୋଜଗାର କରି ନିଜ ପରିବାରକୁ ଅତି ହସ ଖୁସିରେ ଚଳାଇ ଆସୁଥିଲେ । ହେଲେ କିଛି ବର୍ଷ ତଳେ ତାଙ୍କୁ କାଶ ହୋଇଥିଲା । ଲମ୍ବା ସମୟ କାଶ ନଛାଡ଼ିବାରୁ ସେ ଡାକ୍ତର ଦେଖାଇଥିଲେ । ଏନେଇ ଡାକ୍ତର ତାଙ୍କୁ ଟିବି ହୋଇଥିବାର କହି ଔଷଧ ଦେଇଥିଲେ । ସେହି ଔଷଧ ଖାଇବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସେ ଡାକ୍ତରଖାନାରେ ଯାଇ ଭର୍ତ୍ତି ହେବା ପରେ ଜଣା ପଡିଥିଲା ଯେ ତାଙ୍କୁ ଭୁଲ ଔଷଧ ଦିଆଯାଇଛି । ତାଙ୍କୁ ଟିବି ରୋଗ ନଥିବାବେଳେ ଟିବି ଔଷଧ ଦିଆଯାଇଛି । ଯାହା ଫଳରେ ତାଙ୍କ ଦୁଇଟି କିଡନୀ ନଷ୍ଟ ହୋଇ ଯାଇଛି । ତେବେ ସେହି ଦିନଠାରୁ ତାଙ୍କର ଚିକିତ୍ସା ପଛରେ ସବୁ ସର୍ବସ୍ବାନ୍ତ ହୋଇଗଲା । ଘରେ ଯାହା ଥିଲା, ସବୁ ବିକି ଭାଙ୍ଗି ଚିକିତ୍ସା ସରିଲାଣି । ହେଲେ ରୋଗ ଭଲ ହେଉନି ।