ମାଲକାନଗିରି:ଶୁଖିଲା ପଡିଛି ସତୀଗୁଡା ଜଳଭଣ୍ଡାର । ମାଲକାନଗିରି ସହରରେ ପିଇବା ପାଣିର ସମସ୍ୟା । ସତୀଗୁଡା ଜଳଭଣ୍ଡାରର ପୁନରୁଦ୍ଧାର ପାଇଁ ଦାବି । ମାଟିରେ ପୋତି ହୋଇଛି ସତୀଗୁଡ଼ା ଜଳ ଭଣ୍ଡାର ।୧୯୬୬ ମସିହାରେ ନିର୍ମିତ ଏହି ଡ୍ୟାମଟି ବର୍ତ୍ତମାନ ଧିରେ ଧିରେ ପୋତି ହବା ଫଳରେ ଜଳଭଣ୍ଡାରରେ ପାଣି ସ୍ତର କମିବାକୁ ଲାଗିଛି । ପାଣି ଶୁଖିଯିବା ଫଳରେ ମାଲକାନଗିରି ସହରରେ ପିଇବା ପାଣିର ସମସ୍ୟା ଦେଖିବାକୁ ମିଳିଛି । ଯାହାକୁ ନେଇ ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ମାଲକାନଗିରି ଜିଲ୍ଲା ସଦର ମହକୁମାର ନିକଟରେ ଥିବା ସତୀଗୁଡା ଜଳଭଣ୍ଡାର । ଯାହାକି ବର୍ତ୍ତମାନ ଲୋକଙ୍କ ପାଇଁ ଏକ ପର୍ଯ୍ୟଟନୀ ସ୍ଥାନ ପାଲଟିଛି । ସୂଚନା ଅନୁଯାଇ ଏହି ଜଳ ଭଣ୍ଡାରଟି ପ୍ରକୃତରେ ବାଂଲାଦେଶରୁ ଆସିଥିବା ଶହ ଶହ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ମାଲକାନଗିରି ଠାରେ ଥଇଥାନ କରାଯିବା ସମୟରେ ସେମାନଙ୍କ ଚାଷଜମିରେ ଜଳଯୋଗାଣ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିଲା । ୧୯୬୬ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ରନାରୟଣ ସିଂଦେଓ ଏହି ଜଳଭଣ୍ଡାରର ଉଦଘାଟନ କରିଥିଲେ । ସେହି ସମୟରେ ଜଳଭଣ୍ଡାର ନିର୍ମାଣ ପାଇଁ ୨୦ କୋଟିରୁ ଊର୍ଦ୍ଧ୍ବକୁ ଟଙ୍କା ଖର୍ଚ୍ଚ ହୋଇଥିଲା ।
ତେବେ ଜଳଭଣ୍ଡାରରୁ ଡାହାଣ ଓ ବାମ କେନାଲ ମାଧ୍ୟମରେ ଚାଷୀଙ୍କ ଜମିରେ ସୁରୁଖୁରୁରେ ଜଳ ଯୋଗାଇ ଦେବା ପାଇଁ ପ୍ରକଳ୍ପ ନିର୍ମାଣ ହୋଇଥିଲ। । ଏହି ଜଳଭଣ୍ଡାରରୁ ଖରିଫ ଋତୁରେ ୯୦୬୫ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣର ବ୍ୟବସ୍ଥା ରହିଛି । ସେହିଭଳି ରବି ଋତୁରେ ୪୫୩୫ ହେକ୍ଟର ଜମିରେ ଜଳ ଯୋଗାଇବାର ବ୍ୟବସ୍ଥା ରହିଛି । ଏହାସହ ସେହି ସମୟରେ DNK ପ୍ରୋଜେକ୍ଟ ଆରମ୍ଭ ହବାପରେ ମାଲକାନଗିରି ସହରରେ ଥିବା DNK ପ୍ରୋଜେକ୍ଟର ୪ଶହ ରୁ ୫ଶହ ଷ୍ଟାପ କ୍ବାଟର ଗୁଡିକୁ ଏହି ଜଳଭଣ୍ଡାରରୁ ପାଣି ଦିଆଯାଇଥିଲା । ଯାହାକି ଏବେ ମାଲକାନଗିରି ମ୍ୟୁନିସିପାଲଟିର ୫୭୬୦ ଘରକୁ ପ୍ରତିଦିନ ୬.୩୦ ମିଲିୟନ ଲିଟର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରକୁ ପ୍ରତିଦିନ ୨ଲକ୍ଷ ଲିଟର ପାଣି ଯୋଗାଇ ଦିଆଯାଉଥିବା PHD JE ସୂଚନା ଦେଇଛନ୍ତି ।
ତେବେ ବର୍ଷା ଜଳ ଉପରେ ଜଳଭଣ୍ଡାର ସମ୍ପୂର୍ଣ୍ଣ ନିର୍ଭର କରୁଥିବାବେଳେ ଦୁର୍ଭାଗ୍ୟବଶତଃ ଯଦି କମ୍ ବର୍ଷା ହୁଏ ତେବେ ଜଳ ଯୋଗାଣରେ ବାଧା ସୃଷ୍ଟି ହେଉଥିବା ବିଗତ ଦିନ ମାନଙ୍କରେ ଦେଖା ଦେଇଛି । ଯଦି ଆବଶ୍ୟକ ପରିମାଣରେ ବର୍ଷା ନ ହୁଏ । ତେବେ ଚାଷ ଜମିତ ଦୂର କଥା ସହରକୁ ଜଳ ଯୋଗାଇବା କଷ୍ଟକର ହେବ ବୋଲି ବୁଦ୍ଧିଜୀବୀ କହିଛନ୍ତି । ଉକ୍ତ ଜଳଭଣ୍ଡାରରେ ୨୧୮ ଜଣ ପଞ୍ଜିକୃତ ମତ୍ସ୍ୟଜୀବୀ ଜଳଭଣ୍ଡାରରୁ ମାଛ ଧରି ଜୀବିକା ନିର୍ବାହ କରନ୍ତି । ହେଲେ ଏବେ ପାଣି ଶୁଖି ଯାଇଥିବାରକୁ ଜୀବିକା ହରାଇଛନ୍ତି ଶହ ଶହ ପରିବାର ।