ନୟାଗଡ଼: ବାଘ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ । ନୟାଗଡ଼ ନୂଆଗାଁ ବ୍ଲକ ଯାକେଡ଼ା ପଞ୍ଚାୟତରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି । କଲରାପତରିଆ ଆକ୍ରମଣରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିବା ଅଭିଯୋଗ ହୋଇଛି । ତେବେ ଆହତ ଦୁଇ ଜଣ ହେଲେ ଯାକେଡ଼ା ପଞ୍ଚାୟତ ସୁଡ଼ିଙ୍ଗି ଗାଁର ସଜୁ ନାୟକ ଏବଂ କରଚୁଲି ଗାଁର ପ୍ରମୋଦ ଗୁରୁ । ଉଭୟଙ୍କୁ ଉଦ୍ଧାର କରି ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଝାମ୍ପିଲା କଲରାପତରିଆ:
ଗତ ମଙ୍ଗବାର ସନ୍ଧ୍ୟାରେ ପ୍ରମୋଦ ଗୁରୁ ଗାଈ ଚରାଇ ଘରକୁ ଫେରିବା ବେଳେ ହଠାତ୍ ପଛପଟୁ କଲରାପତରିଆବାଘଟି ଆକ୍ରମଣ କରିଥିଲା । ସେହିଭଳି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସଜୁ ନାୟକ ଘର ଦୁଆର ପାଖରେ ବସି ନିଆଁ ପୁଇଁ ଥିବାବେଳେ ହଠାତ୍ ବାଘଟି ଆସି ତାଙ୍କୁ ଆକ୍ରମଣ କରିଥିଲା । ପରେ ସଜୁଙ୍କ ଚିତ୍କାର ଶୁଣି ପରିବାର ଲୋକେ ବାଘଟିକୁ ଘଉଡ଼ାଇବାରୁ ବାଘଟି ସେଠାରୁ ଚାଲିଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଚି ହୋଇଛି । ସେପଟେ ବାଘଟି ସ୍ଥାନୀୟ ଅଞ୍ଚଳରେ ଘୁରିବୁଲୁଥିବାବେଳେ ଜଙ୍ଗଲ ଭିତରକୁ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ଏଭଳି ଘଟଣା ପ୍ରଥମଥର ଘଟିଥିବା ନେଇ କହିଛନ୍ତି ସ୍ଥାନୀୟ ଲୋକେ ।
ଏମିତି କହିଲେ ପରିବାର ଲୋକେ:
ଆହତ ସଜୁ ନାୟକଙ୍କ ପୁଅ ଦୀନବନ୍ଧୁ କହିଛନ୍ତି," ସବୁଦିନ ପରି ଖାଇସାରି ରାତି 7ଟା ପରେ ଥଣ୍ଡା ପଡୁଥିବାରୁ ନିଆଁ କରି ସମସ୍ତେ ବସିଥିଲେ । ହଠାତ ପଛପଟୁ କଲରାପତରିଆ ବାଘ ଡେଇଁ ଆସି ମୋ ବାପାଙ୍କୁ ଆକ୍ରମଣ କରିଥିଲା l ବାପାଙ୍କୁ ବାଘ ନଛାଡିବାରୁ ତାକୁ ଘଉଡ଼ାଇ ଥିଲୁ । ପରେ ବାଘ ରକ୍ତାକ୍ତ କରି ଛାଡି ପଳାଇଥିଲା ।"
ଦ୍ୱିତୀୟ ଆହତ ବ୍ୟକ୍ତି ପ୍ରମୋଦ ଗୁରୁ କହିଛନ୍ତି,"ଗାଈ ଚରାଇ ଘରକୁ ଫେରିବା ବାଟରେ ହଠାତ ବାଘଟି ଆକ୍ରମଣ କରିଥିଲା ।ସବୁ ଗାଇ ଦୌଡ଼ି ପଳାଇ ଥିଲେ । ମୁଁ ଚିତ୍କାର କରିବାକୁ ଆଖପାଖରେ ଥିବା ଲୋକେ ମୋ ପାଖରେ ପହଞ୍ଚିଥିଲେ ।ଏହାପରେ ବାଘଟି ଜଙ୍ଗଲ ଭିତରକୁ ପଳାଇଥିଲା ।"