ଓଡିଶା

odisha

ETV Bharat / state

ମାଣ୍ଡିଆ ରାଣୀରୁ ଡକ୍ଟର ରାଇମତି ଘେଉରିଆ, କାହିଁକି ଚର୍ଚ୍ଚାରେ କୋରାପୁଟ ଝିଅ - RAIMATI GHEURAI DOCTORATE DEGREE

ଓୟୁଏଟି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ହାତରୁ ଡକ୍ଟରେଟ ଉପାଧି ପାଇଲେ କୋରାପୁଟ ଝିଅ ରାଇମତି ଘେଉରିଆ । କୋରାପୁଟରୁ ସି.ଏଚ ଶାନ୍ତାକାର ଓ ଭୁବନେଶ୍ବରରୁ ବିକାଶ ଦାସଙ୍କ ରିପୋର୍ଟ ।

RAIMATI GHEURAI
RAIMATI GHEURAI (ETV Bharat Odisha)

By ETV Bharat Odisha Team

Published : Dec 5, 2024, 4:17 PM IST

କୋରାପୁଟ/ଭୁବନେଶ୍ବର:ସମ୍ମାନଜଣକ ଡକ୍ଟରେଟ ଉପାଧି ପାଇଲେ କୋରାପୁଟ ଜିଲ୍ଲାର କୁନ୍ଦୁରା ବ୍ଲକର ଜଣେ ଆଦିବାସୀ ମହିଳା କୃଷକ ରାଇମତି ଘେଉରିଆ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(OUAT)ର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ଡକ୍ଟରେଟ ଉପାଧି ଗ୍ରହଣ କରିଛନ୍ତି କୋରାପୁଟ ଝିଅ ରାଇମତି ଘେଉରିଆ । ରାଇମତି ଜଣେ ମହିଳା କୃଷକ ଏବଂ ଜୈବିକ ଚାଷ ଉପରେ ଗୁରୁତ୍ୱ ଦେଉଥିବା ପ୍ରଶିକ୍ଷକ ଭାବେ ବେଶ ଜଣାଶୁଣା ।

କିଏ ଏହି ରାଇମତି ଘେଉରିଆ ?

କୋରାପୁଟ ଜିଲ୍ଲା କୁନ୍ଦୁର ବ୍ଲକ ନୁଆଗୁଡା ଗାଁର ରାଇମତି ଘେଉରିଆ । ସେ ଆଜି ଅନେକ ମହିଳାଙ୍କ ପାଇଁ ଏକ ଆଦର୍ଶ ପାଲଟିଛନ୍ତି । ରାଇମତି ଜଣେ ମହିଳା କୃଷକ ଏବଂ ଜୈବିକ ଚାଷ ଉପରେ ଗୁରୁତ୍ୱ ଦେଉଥିବା ପ୍ରଶିକ୍ଷକ ଭାବେ ବେଶ ଜଣାଶୁଣା । ପରିବାର ସଦସ୍ୟଙ୍କ ସାହାଯ୍ୟରେ ସେ ନିଜ ଜମିରେ ପାରମ୍ପାରିକ ଭାବେ ଦେଶୀ ଧାନ ଓ ମିଲେଟ ଜାତୀୟ ଶସ୍ୟ ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ରହିଆସିଛନ୍ତି। ସେ ଅନ୍ୟ କୃଷକ ପରିବାରଙ୍କୁ ସ୍ଥାନୀୟ ଜେନେଟିକ୍ ସମ୍ବଳ ସଂରକ୍ଷଣ ବିଷୟରେ ଶିକ୍ଷା ଦେଇ ଚର୍ଚ୍ଚାକୁ ଆସିଥିଲେ ।

raimati gheurai (ETV Bharat Odisha)

ପାରମ୍ପାରିକ ଧାନ ଓ ମିଲେଟ ସଂରକ୍ଷଣ କରିଛନ୍ତି ରାଇମତି:

ରାଇମତି ଘେଉରିଆ 72ଟି ପାରମ୍ପାରିକ ବିହନ କିସମର ଧାନ ଏବଂ 30 ପ୍ରକାରର ମିଲେଟ ସଂରକ୍ଷଣ କରିଛନ୍ତି । ସେ ତାଙ୍କ ଗ୍ରାମରେ ପ୍ରତିଷ୍ଠିତ ଏକ FPO (ବାମନ୍ଦାଇ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍)ର ମୁଖ୍ୟ ଅଟନ୍ତି । ଯାହା ବାୟୋ ସାର ଏବଂ ବାୟୋ-କୀଟନାଶକ ପ୍ରସ୍ତୁତି ଏବଂ ବିକ୍ରୟ, କ୍ରୟ, ମିଲେଟ ମାର୍କେଟିଂ ଏବଂ ମୂଲ୍ୟ ଉତ୍ପାଦ ସହିତ କାରବାର କରିଥାଏ । ସେ ତାଙ୍କ ଗାଁରେ ତାଙ୍କ ପରିବାର ଦାନ କରିଥିବା ଜମିରେ ଏକ ଫାର୍ମ ସ୍କୁଲ ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ 2012 ମସିହାରୁ ଏହି ଫାର୍ମ ସ୍କୁଲକୁ ସଫଳତାର ସହ ଚଳାଇ ଆସୁଛନ୍ତି ।

ଅନେକ ପୁରସ୍କାରର ଅଧିକାରିଣୀ ରାଇମତି:

ଦୃଢ ନେତୃତ୍ୱ ଏବଂ ବହୁ କୁଶଳୀ କାର୍ଯ୍ୟକଳାପ ପାଇଁ ରାଇମତି ଅନେକ ପୁରସ୍କାର ପାଇଛନ୍ତି । ସେ ସେହି ଦଳର ଜଣେ ସଦସ୍ୟ ଥିଲେ ଯେଉଁମାନେ ନୂଆଦିଲ୍ଲୀ ସ୍ଥିତ ପିପିଭି ଆଣ୍ଡ ଏଫଆର କର୍ତ୍ତୃପକ୍ଷଙ୍କ ଦ୍ବାରା 2012ରେ ଜେନୋମ ସେଭର୍ କମ୍ୟୁନିଟି ପୁରସ୍କାର ଗ୍ରହଣ କରିଥିଲେ ବୋଲି ଜୟପୁର ସ୍ଥିତ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ନିର୍ଦ୍ଦେଶକ ପ୍ରଶାନ୍ତ ପରିଡା କହିଛନ୍ତି ।

G-20ରେ ବିଶ୍ବକୁ ଦେଖାଇଥିଲେ ମାଣ୍ଡିଆ ଶସ୍ୟ:

raimati gheurai (ETV Bharat Odisha)

ଗତବର୍ଷ(2023)ରେ ଦିଲ୍ଲୀରେ ଅନୁଷ୍ଠିତ ଜି-20 ସମ୍ମିଳନୀରେ ରାଇମତି କୋରାପୁଟ ଅଞ୍ଚଳରେ ବ୍ୟବହୃତ ପାରମ୍ପାରିକ ଜ୍ଞାନ କୌଶଳ ଏବଂ ବତି ମାଣ୍ଡିଆ ଏବଂ ମାମି ମାଣ୍ଡିଆ ପରି ଉଚ୍ଚମାନର ପାରମ୍ପାରିକ ମିଲେଟ ଶସ୍ୟ ଉପରେ ନିଜର ମତ ଉପସ୍ଥାପନ କରିଥିଲେ । ଜୈବିକ ମିଲେଟ ଚାଷ ଏବଂ ବିହନ ସଂରକ୍ଷଣ କ୍ଷେତ୍ରରେ ଅଗ୍ରଣୀ ଗବେଷଣା କେନ୍ଦ୍ର ଭାବରେ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ରାଇମତିଙ୍କୁ ସମର୍ଥନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:

ବିଶ୍ବ ଦେଖିଲା ରାଇମତିଙ୍କ ମାଣ୍ଡିଆ ଶସ୍ୟ, ଅନ୍ତର୍ଜାତୀୟ କୃଷି ସମ୍ମିଳନୀରେ ସାମିଲ ହେଲେ ହର୍ଷିତା

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିହନ ସଂରକ୍ଷଣ, ଖାଦ୍ୟ ନିରାପତ୍ତା ପାଇଁ ପ୍ରୟାସ

ଅନୁଗୋଳରେ ବଢୁଛି ମାଣ୍ଡିଆ ଚାଷର ଚାହିଦା, ଏଥର ଉତ୍ପାଦନ ଲକ୍ଷ୍ୟ ୫ ହଜାର କୁଇଣ୍ଟାଲ

ସ୍ବାସ୍ଥ୍ୟ ପାଇଁ ସୁପରଫୁଡ୍ ମାଣ୍ଡିଆ, ହେଲେ ଏହି ଲୋକମାନେ ଖାଆନ୍ତୁ ନାହିଁ

ମାଣ୍ଡିଆ ରାଣୀ ରାଇମତି:

ମିଲେଟକୁ ବିଶ୍ୱ ଗୁରୁତ୍ୱ ଦେଉଥିବା ବେଳେ କୋରପୁଟର ମାଣ୍ଡିଆ ରାଣୀ ରାଇମତି ମାଧ୍ୟମରେ କୋରାପୁଟ ଚାଷୀଙ୍କ ଅଦମ୍ୟ ଉଦ୍ୟମ କଥା ବିଶ୍ୱ ଜାଣିପାରିବ । ଦୁଇ ବର୍ଷ ପୂର୍ବେ ପଦ୍ମଶ୍ରୀ କମଲା ପୂଜାରୀ ପାରମ୍ପାରିକ ଧାନ ସଂରକ୍ଷଣ କ୍ଷେତ୍ରରେ ଅସାଧାରଣ କାର୍ଯ୍ୟ କରି ଜୋହାନ୍ସବର୍ଗର ଅନ୍ତର୍ଜାତୀୟ ଫୋରମରେ କୋରାପୁଟ ଅଞ୍ଚଳରେ ଚାଷ କରାଯାଉଥିବା ଶହ ଶହ ପ୍ରକାରର ଧାନ ବିଷୟରେ ସୂଚନା ଉପସ୍ଥାପନ କରି କୋରାପୁଟ ଜିଲ୍ଲାକୁ ଗୌରବ ଆଣିଥିଲେ ରାଇମତି । ବର୍ତ୍ତମାନ ରାଇମତି ମଧ୍ୟ ନିଜ କ୍ଷେତରେ ପାରମ୍ପାରିକ ଧାନ ଓ ମାଣ୍ଡିଆ ଜାତୀୟ ଶସ୍ୟକୁ ସଂରକ୍ଷଣ କରି କୋରାପୁଟ ଅଞ୍ଚଳକୁ ଗୌରବାନ୍ୱିତ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details