ଓଡିଶା

odisha

ETV Bharat / state

ପ୍ରଥମ ଥର ଦକ୍ଷିଣ-ଓଡିଶା ନଦୀରୁ ବିରଳ ମହାସିର ପ୍ରଜାତି ମାଛ ଆବିଷ୍କାର କଲେ CUO ଗବେଷକ - MAHSEER FISH SPECIES FOUND BY CUO

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ସଫଳତା । ଇନ୍ଦ୍ରାବତୀ ନଦୀରୁ ଦୁଇଟି ବିରଳ ମହାସିର ପ୍ରଜାତି ମାଛ ଠାବ । ସମଗ୍ର ଗୋଦାବରୀ ନଦୀ ଶୃଙ୍ଖଳାରେ ପ୍ରଥମ ।

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ସଫଳତା, ଦକ୍ଷିଣ ଓଡିଶା ନଦୀରୁ ଆବିଷ୍କୃତ ହେଲା ବିରଳ ମହାସିର ପ୍ରଜାତି ମାଛ
ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ସଫଳତା, ଦକ୍ଷିଣ ଓଡିଶା ନଦୀରୁ ଆବିଷ୍କୃତ ହେଲା ବିରଳ ମହାସିର ପ୍ରଜାତି ମାଛ (ETV Bharat Odisha)

By ETV Bharat Odisha Team

Published : Dec 2, 2024, 8:39 PM IST

କୋରାପୁଟ: ପ୍ରଥମ ଥର ଦକ୍ଷିଣ ଓଡିଶା ନଦୀରୁ ଆବିଷ୍କୃତ ହେଲା ବିରଳ ମହାସିର ପ୍ରଜାତି ମାଛ । କୋରାପୁଟ ସ୍ଥିତ ‘ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ’ର ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ଗବେଷକମାନେ ଏହି ସଫଳତା ହାସଲ କରିଛନ୍ତି । ଡିନ ପ୍ରଫେସର ଶରତ କୁମାର ପଳିତାଙ୍କ ନେତୃତ୍ଵରେ କାର୍ଯ୍ୟରତ ଗବେଷକମାନେ ପ୍ରଥମଥର ପାଇଁ ଦକ୍ଷିଣ ଓଡ଼ିଶାର ଇନ୍ଦ୍ରାବତୀ ନଦୀରୁ ଦୁଇଟି ‘ମହାସିର୍’ ପ୍ରଜାତିର ବିରଳ ମାଛ ସନ୍ଧାନ କରିବାରେ ସକ୍ଷମ ହୋଇଛନ୍ତି । ଏହା ପୂର୍ବରୁ ଉପକୂଳ ଓଡିଶାର ଏକାଧିକ ନଦୀରେ ଆବିଷ୍କୃତ ହୋଇଥିଲେ ସୁଦ୍ଧା ଦକ୍ଷିଣ-ଓଡିଶା ନଦୀବିନ୍ୟାସରେ କେବେ ହେଲେ ଆବିଷ୍କୃତ ହୋଇନଥିଲା ।

  • ‘ମହାସିର୍’ ପ୍ରଜାତି ସମ୍ପର୍କରେ...

ଏହି ଦୁଇଟି ନୂତନ ମହାସିର୍ ମାଛ ପ୍ରଜାତି ସାୟପ୍ରିନୟଡ ପରିବାର ଅନ୍ତର୍ଭୁକ୍ତ । ଏମାନେ ବଡ଼ ଶରୀର ବିଶିଷ୍ଟ ଓ ଏମାନଙ୍କର ଦେହର କାତୀଗୁଡିକ ମଧ୍ୟ ଅନ୍ୟ ମାଛଙ୍କ ଅପେକ୍ଷାକୃତ ବଡ଼ ହୋଇଥାଏ । ସାଧାରଣତଃ ଏହି ମାଛମାନଙ୍କୁ ‘ଭାରତୀୟ ନଦୀର ରାଜା’ ବୋଲି ମଧ୍ୟ କୁହାଯାଏ । ଏମାନଙ୍କୁ ପୃଥିବୀର 20ଟି ବୃହତ ମାଛ ପ୍ରଜାତି ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି । ଏମାନେ ସାଧାରଣ ଦୃତବେଗରେ ପ୍ରବାହିତ, ଶୀତଳ, ସ୍ୱଚ୍ଛ, ପାହାଡ଼ିଆ ନଦୀର ପଥୁରିଆ ଓ କଙ୍କରଯୁକ୍ତ ଚଟାଣରେ ବାସ କରିଥାନ୍ତି । ଏହି ‘ମହାସିର୍’ ମାଛମାନଙ୍କୁ ମଧ୍ୟ ଏକ ‘ପବିତ୍ର ମାଛ’ ଭାବେ ଭାରତର ଅନେକ ହିନ୍ଦୁ ମନ୍ଦିରରେ ପୂଜା କରାଯିବାର ପରମ୍ପରା ରହିଛି ।

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ସଫଳତା, ଦକ୍ଷିଣ ଓଡିଶା ନଦୀରୁ ଆବିଷ୍କୃତ ହେଲା ବିରଳ ମହାସିର ପ୍ରଜାତି ମାଛ (ETV Bharat Odisha)
  • 6 ବର୍ଷ ପୂର୍ବେ ମହାସିର ମାଛ ସମ୍ପର୍କରେ ଗବେଷଣା ଆରମ୍ଭ କରିଥିଲେ ପ୍ରଫେସର ପଳିତା

ପ୍ରଫେସର ପଳିତା ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଯୋଗଦେବା ପରେ ପ୍ରାୟ 6 ବର୍ଷ ପୂର୍ବେ ମହାସିର ମାଛମାନଙ୍କ ଉପରେ ଗବେଷଣା ଆରମ୍ଭ କରିଥିଲେ । ଏହି ମାଛ ଉପରେ ଗବେଷଣା ପାଇଁ ପି.ଏଚ.ଡି. ଗବେଷକ ଆଲୋକ କୁମାର ନାୟକଙ୍କୁ ନିୟୋଜିତ କରିଥିଲେ । ଗବେଷଣା ସମୟରେ ଏହି ମାଛଗୁଡ଼ିକ ଓଡିଶାର ନବରଙ୍ଗପୁରର ଖାତିଗୁଡା ବଜାର ବା ଇନ୍ଦ୍ରାବତୀ ବଜାରରୁ ପ୍ରଥମେ ଦେଖିବାକୁ ପାଇଥିଲେ । ପରେ ଏହି ମାଛକୁ କଳାହାଣ୍ଡିର ମୁଖିଗୁଡ଼ାଠାରେ ଥିବା ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଏବଂ ନବରଙ୍ଗପୁରର କାପୁର ଡ୍ୟାମରୁ ଆବିଷ୍କାର କରାଯାଇଥିଲା ।

  • ପୂର୍ବରୁ ଉପକୂଳରୁ ମିଳିଥିଲା, ଦକ୍ଷିଣ-ଓଡିଶାରେ ପ୍ରଥମ

ଅତୀତରେ ଓଡିଶାର ମହାନଦୀ, ବ୍ରାହ୍ମଣୀ ଏବଂ ଶିମିଳିପାଳ ଅଞ୍ଚଳରୁ ମହାସିର୍ ମାଛ ପ୍ରଜାତି ଆବିଷ୍କୃତ ହୋଇଛି । ତେବେ ଦକ୍ଷିଣ-ଓଡିଶାର କୌଣସି ନଦୀରୁ ଏହା ଆବିଷ୍କୃତ ହେବା ଏହା ପ୍ରଥମ । ଦକ୍ଷିଣ-ଓଡିଶାର ପ୍ରମୁଖ ନଦୀ ଯଥା କୋଲାବ, ଇନ୍ଦ୍ରାବତୀ ଏବଂ ମାଛକୁଣ୍ଡ ଆଦି ହେଉଛି ଗୋଦାବରୀ ନଦୀ-ଶୃଙ୍ଖଳାର ଏକ ଅଂଶ । ସେହିପରି ନାଗାବଳି ଏବଂ ବଂଶଧାରା ନଦୀ ଓଡିଶାରୁ ବାହାରି ଆନ୍ଧ୍ର ପ୍ରଦେଶରେ ବଙ୍ଗୋପସାଗରରେ ମିଶିଛନ୍ତି । ଜୈବ ବିବିଧତା ବିଭାଗର ଲାବୋରେଟୋରୀରେ ପ୍ରଫେସର ପଳିତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ମାଛଗୁଡିକ ମହାସିର୍ ପ୍ରଜାତିର ମାଛ ବୋଲି ଚିହ୍ନଟ କରାଯାଇଥିଲା ଏବଂ ପରେ କଲିକତା ସ୍ଥିତ ‘ଜାତୀୟ ପ୍ରାଣୀ ବିଜ୍ଞାନ ସର୍ଭେକ୍ଷଣ ସଂସ୍ଥା’ (ZSI) ଦ୍ଵାରା ଏହା ଦୁଇଟି ମହାସିର୍ ପ୍ରଜାତିର ମାଛ ଭାବେ ଚିହ୍ନଟ କରାଯାଇଥିଲା । ଏଗୁଡିକ ହେଲା ‘ଟର ଟର୍’ (Tor tor) ଏବଂ ‘ଟର-ପୁଟିଟୋରା’ (Tor putitora)।

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ସଫଳତା, ଦକ୍ଷିଣ ଓଡିଶା ନଦୀରୁ ଆବିଷ୍କୃତ ହେଲା ବିରଳ ମହାସିର ପ୍ରଜାତି ମାଛ (ETV Bharat Odisha)
  • ଇନ୍ଦ୍ରାବତୀରୁ ଠାବ ହେଲା ମହାସିର

ପୂର୍ବରୁ ଶିମିଳିପାଳ, ମହାନଦୀ ଏବଂ ବ୍ରାହ୍ମଣୀ ନଦୀରୁ ‘ଟର ଟର୍’ ପ୍ରଜାତିର ମାଛ ରେକର୍ଡ ହୋଇଥିବା ବେଳେ ବର୍ତ୍ତମାନର ଆବିଷ୍କାର ଦକ୍ଷିଣ-ଓଡ଼ିଶା ଦେଇ ପ୍ରବାହିତ ଆନ୍ତଃରାଜ୍ୟ ନଦୀ ଇନ୍ଦ୍ରାବତୀରୁ ଏକ ନୂତନ ରେକର୍ଡ ଭାବେ ସାମ୍ନାକୁ ଆସିଛି । ଏହି ପ୍ରଜାତି ତୁଳନାତ୍ମକ ଭାବରେ ଭାରତର ବିଭିନ୍ନ ଅଞ୍ଚଳରେ ପରିବ୍ୟାପ୍ତ । ଏହା ପଶ୍ଚିମରେ ଜାମ୍ମୁରୁ ପୂର୍ବରେ ବ୍ରହ୍ମପୁତ୍ର ଉପତ୍ୟକା ତଥା ଭାରତୀୟ ଉପଦ୍ୱୀପର (peninsular India) ନଦୀଗୁଡିକରେ ବିସ୍ତୃତ । ଗୋଲଡେନ୍ ମହାସିର୍ ‘ଟର-ପୁଟିଟୋରା’ ପ୍ରଜାତି ହିମାଳୟର ପାଦଦେଶରେ ଥିବା ବ୍ରହ୍ମପୁତ୍ର ଏବଂ ଗଙ୍ଗା ନଦୀ ଏବଂ ଉତ୍ତର-ଭାରତର ମେଘାଳୟ ଏବଂ ମଣିପୁର ପର୍ଯ୍ୟନ୍ତ ବିସ୍ତୃତି ଲାଭ କରିଥିବାର ଜଣାପଡିଛି । ମଧ୍ୟ-ଭାରତର ନର୍ମଦା ନଦୀ ଏହାର ଦକ୍ଷିଣ ସୀମା ବୋଲି ବିବେଚନା କରାଯାଉଥିଲା । ମହାନଦୀରୁ ‘ଟର-ପୁଟିଟୋରା’ ଥିବା କଥା ଏବେ ଭୁଲ ପ୍ରମାଣିତ ହୋଇଛି, କାରଣ ମହାନଦୀ ମହାସିରକୁ ଏକ ନୂତନ ପ୍ରଜାତି ‘ଟର-ମହାନଦୀକସ’ (Tor mahanadicus) ଭାବେ ବୈଜ୍ଞାନିକ ସ୍ୱୀକୃତି ମିଳିଛି ।

  • ସମଗ୍ର ଗୋଦାବରୀ ନଦୀ ଅବବାହିକା ପାଇଁ ଏକ ନୂଆ ରେକର୍ଡ

ତେଣୁ ଇନ୍ଦ୍ରାବତୀ ନଦୀରୁ ‘ଟର-ପୁଟିଟୋରାରା’ ଆବିଷ୍କାର କେବଳ ଦକ୍ଷିଣ-ଓଡିଶା ପାଇଁ ଏକ ନୂଆ ରେକର୍ଡ ନୁହେଁ, ବରଂ ଏହା ସମଗ୍ର ଭାରତର ଗୋଦାବରୀ ନଦୀ ଅବବାହିକା ପାଇଁ ଏକ ନୂଆ ରେକର୍ଡ । ଏହି ଅନୁସନ୍ଧାନମୂଳକ ତଥ୍ୟ ସମ୍ମାନଜନକ ଋସର୍ଚଜର୍ନାଲ୍ ‘ଏସିଆନ୍ ଜର୍ନାଲ୍ ଅଫ୍ କନ୍ସର୍ଭେସନ୍ ବାୟୋଲୋଜି’ରେ ପ୍ରକାଶ ପାଇଛି । ପୃଥିବୀର ମହାସିର୍ ମାଛଗୁଡିକ ତିନୋଟି ଜାତି (genera)ରେ ବିଭକ୍ତ । ସେଗୁଡିକ ହେଲା ‘ଟର’, ‘ନିଓଲିସୋଚିଲସ’ ଏବଂ ‘ନାଜିରଟର’ । ‘ଟର’ ଜାତୀୟ ମାଛ ‘ପ୍ରକୃତ ମହାସିର୍’ (true mahseer) ଭାବେ ସ୍ୱୀକୃତିପ୍ରାପ୍ତ । ଭାରତ, ଚୀନ୍, ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ମିଆଁମାର, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଆଦି ଦେଶରେ 17ଟି ‘ଟର’ ପ୍ରଜାତି ଦେଖିବାକୁ ମିଳନ୍ତି । ଭାରତରେ ବର୍ତ୍ତମାନ ନଅ (09) ପ୍ରଜାତିର ଟର ବାସ କରୁଛନ୍ତି । ସେଥିମଧ୍ୟରୁ ଓଡିଶାରେ ମହାସିର୍ ଚାରି (4)ଟି ପ୍ରଜାତି ଦେଖାଯାନ୍ତି ।

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗବେଷକଙ୍କ ସଫଳତା, ଦକ୍ଷିଣ ଓଡିଶା ନଦୀରୁ ଆବିଷ୍କୃତ ହେଲା ବିରଳ ମହାସିର ପ୍ରଜାତି ମାଛ (ETV Bharat Odisha)
  • ଦକ୍ଷିଣ-ଓଡିଶା ସ୍ଥାନୀୟ ଭାଷାରେ କୁହାଯାଏ ‘କଇଁସାରୀ’

ସେମାନଙ୍କ ମଧ୍ୟରେ ‘ଟର ଟର୍’, ‘ଟର-ମହାନଦୀକସ’, ‘ଟର-ପୁଟିଟୋରା’ ଏବଂ ‘ଟର ଖୁଦ୍ରି’ । ସ୍ଥାନୀୟ ଭାବେ ନବରଙ୍ଗପୁରର ଖାତିଗୁଡା ଅଞ୍ଚଳରେ ଏହି ମାଛମାନଙ୍କୁ ‘କଇଁସାରୀ’ ବା “ଖାଇସର” ନାମରେ ଡକାଯାଏ, ମାତ୍ର ଏହି ଅଞ୍ଚଳର ବଙ୍ଗାଳୀ ଲୋକମାନେ ଏହାକୁ “ମହାସୋଲ” ବୋଲି ଡାକନ୍ତି । ‘ମହା-ସିର୍’ର ଶବ୍ଦର ଅର୍ଥ ହେଉଛି ‘ବଡ ମୁଣ୍ଡ’, ମାତ୍ର ଏହା ଭୁଲ୍ ପ୍ରମାଣିତ ହୋଇଛି ଏବଂ ‘ମହାସୋଲ୍’ ’ଅର୍ଥାତ୍ ‘ବଡ଼ କାତିଯୁକ୍ତ’ ଶବ୍ଦ ଅଧିକ ଗ୍ରହଣୀୟ ହୋଇଛି ।

  • ସର୍ବାଧିକ 54 କେଜିର ମହାସିର ମାଛ ଚିହ୍ନଟ ହୋଇଛି :-

ଭାରତରେ ‘ଟର’ ମାଛଗୁଡିକ ମୁଖ୍ୟତଃ ଜଳକ୍ରୀଡା ଏବଂ ଖାଦ୍ୟ ମାଛ ଭାବରେ ସ୍ୱୀକୃତିପ୍ରାପ୍ତ । ଗୋଲ୍ଡେନ ‘ମହାସିର’ର ସର୍ବାଧିକ ରେକର୍ଡ ହୋଇଥିବା ଲମ୍ବ 275 ସେ.ମି ଏବଂ ସର୍ବାଧିକ ଓଜନ 54 କିଲୋଗ୍ରାମ । ଏହି ମାଛ ମାନେ ସ୍ଵାଦିଷ୍ଟ ମାଂସଯୁକ୍ତ ତଥା ଜଳକ୍ରୀଡା ପାଇଁ ସଠିକ ଗୁଣବତ୍ତାପୂର୍ଣ ହୋଇଥିବାରୁ ଏମାନଙ୍କୁ ମଧୁରଜଳ ମାଛ ଚାଷ ପାଇଁ ଉପଯୁକ୍ତ ମତ୍ସ୍ୟପ୍ରଜାତି ଭାବରେ ଚିହ୍ନଟ କରାଯାଇଛି । ବିଭିନ୍ନ ଉତ୍ସରୁ ପ୍ରଦୂଷିତ ଜଳ ନିଷ୍କାସନ, ଅବିଶୋଧିତ ମଇଳାଯୁକ୍ତ ଜଳ ମିଶିବା ଯୋଗୁଁ ଭାରତ ତଥା ଓଡିଶାରେ ପ୍ରବାହିତ ନଦୀଗୁଡିକରେ ଜଳର ପ୍ରାକୃତିକ ଗୁଣବତ୍ତାରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ଏହା କ୍ରମଶଃ ଘଟି ଚାଲିଛି ।

  • ଏକାଧିକ ରାଜ୍ୟ ‘ଜାତୀୟ ମତ୍ସ୍ୟ’ ଘୋଷଣା କରିଛନ୍ତି :

‘IUCN’ ଦ୍ଵାରା ଗୋଲଡେନ୍ ମହାସିର୍ ଟର ପୁଟିଟୋରା ବିପନ୍ନ (Endangered) ଘୋଷିତ ହୋଇଥିବା ବେଳେ, ଟର ଟରକୁ ବିପନ୍ନ ନିକଟବର୍ତୀ (Near Thretened) ବୋଲି ଘୋଷଣା କରାଯାଇଛି । ଫଳରେ ଆଜି ଏହି ମତ୍ସ୍ୟ ସମ୍ପଦର ସଂରକ୍ଷଣ ଖୁବ ଗୁରୁତ୍ଵ ବହନ କରେ । ଏହା ଅତ୍ୟନ୍ତ ଖୁସିର ବିଷୟ ଯେ ଭାରତର ଅନେକ ରାଜ୍ୟ ସରକାର (ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ନାଗାଲାଣ୍ଡ ଏବଂ ସିକ୍କିମ) ମହାସିରକୁ ରାଜ୍ୟ ମତ୍ସ୍ୟ (State Fish) ଭାବେ ଘୋଷଣା କରିଛନ୍ତି । ଓଡିଶା ସରକାର ମଧ୍ୟ ମହାନଦୀ ମହାସିର୍ କୁ 'ରାଜ୍ୟ ମତ୍ସ୍ୟ' ଭାବେ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଓଡ଼ିଶାରେ ଅଛନ୍ତି 30ଟି ମହାବଳ ବାଘ; 5 ମାସରେ ମରିଛନ୍ତି 5 କଲରାପତରିଆ ବାଘ

  • ସଂରକ୍ଷଣ ଓ କୃତ୍ରିମ ପ୍ରଜନନ ଜରୁରୀ: ଗବେଷକ

ପ୍ରଫେସର ପଳିତାଙ୍କ ନେତୃତ୍ୱରେ ହୋଇଥିବା ଏହି ଗବେଷଣାରେ ଆଲୋକ କୁମାର ନାୟକ ମୁଖ୍ୟ ଭୂମିକା ନିର୍ବାହ କରିଥିବାବେଳେ ଅନ୍ୟ ଜଣେ ଗବେଷକ ଡ. ଅନିର୍ବାଣ ମହତଙ୍କର ସହୋଯୋଗରେ ଏହା ସମ୍ପାଦିତ ହୋଇଛି । ପ୍ରଫେସର ପଳିତାଙ୍କ ମତରେ ଦକ୍ଷିଣ-ଓଡିଶାର ନଦୀଗୁଡିକରେ ମିଳୁଥିବା ମହାସିର୍ ମାଛଗୁଡ଼ିକର ଜିନୀୟ ବିଶ୍ଳେଷଣ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାତ୍ର ଏମାନଙ୍କର ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ପ୍ରଫେସର ପଳିତା ଦକ୍ଷିଣ-ଓଡ଼ିଶାର ସମୃଦ୍ଧ ଜୈବ-ବିବିଧତାର ଅନୁସନ୍ଧାନ ଏବଂ ବିଶେଷ କରି କୋରାପୁଟ ଅଞ୍ଚଳରେ ଏହି ଅନୁସନ୍ଧାନର ଭୂମିକା ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଯେ ଦକ୍ଷିଣ-ଓଡିଶାର ଏହି ମାଛଗୁଡ଼ିକର ଜେନେଟିକ ବିଶ୍ଳେଷଣ ସମାପ୍ତ ହେବାକୁ ଯାଉଥିବା ବେଳେ ସେମାନଙ୍କ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବା ଅତ୍ୟନ୍ତ ଜରୁରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମହାସିର୍ ମାନଙ୍କର କୃତ୍ରିମ ପ୍ରଜନନ ପାଇଁ ଗବେଷଣା କରାଯିବା ଦରକାର, ଯାହାକି ଏହି ଅଞ୍ଚଳର ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details