କୋରାପୁଟ: ପାରମ୍ପରିକ ଫସଲ ସଂରକ୍ଷଣ ଦିଗରେ ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛି କୋରାପୁଟ ସ୍ଥିତ ‘ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ’ । ବିଶ୍ବବିଦ୍ୟାଳୟର ଜୈବ ବିବିଧତା ବିଭାଗ ଏକ ପ୍ରଦର୍ଶନ କ୍ଷେତ୍ର ପ୍ରତିଷ୍ଠା କରି ପ୍ରଶଂସନୀୟ ପଦକ୍ଷେପ ନେଇଛି । ଏହି ପଦକ୍ଷେପ ଫଳରେ ଦିନକୁ ଦିନ ଅଭାବ ହେବାରେ ଲାଗିଥିବା ଚାଉଳ, ମିଲେଟ୍, ମକା, ଅଳସୀ ଏବଂ ବିଭିନ୍ନ କନ୍ଦା ଫସଲକୁ ସୁରକ୍ଷିତ ରଖାଯାଇ ପାରିବ । ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଶସ୍ୟର ଜୈବିକ ବିବିଧତାକୁ ବଞ୍ଚାଇ ରଖିବାକୁ ଏହି ଭିଜନ ମାଧ୍ୟମରେ ମିଶନ ଆରମ୍ଭ ହୋଇଥିବା କହିଛନ୍ତି, ବିଭାଗର ସହକାରୀ ପ୍ରଫେସର ଡଃ. ଦେବବ୍ରତ ପଣ୍ଡା ।
- ସଂରକ୍ଷଣ ତାଲିକାରେ ଶତାଧିକ କିସମର ପାରମ୍ପରିକ ବିହନ
ବିଶ୍ବବିଦ୍ୟାଳୟର ଏହି ସଂରକ୍ଷଣ ମିଶନରେ ଶତାଧିକ କିସମର ବିରଳ ତଥା ଚାଷରୁ ହଜିଯାଉଥିବା ବିହନ ରହିଛି । ପ୍ରାୟ 33 ପ୍ରକାରର ଅଳସୀ, 104 ପ୍ରକାରର ଧାନ, 87 କିସମ ମାଣ୍ଡିଆ, ୧୫ ପ୍ରକାରର ସୁଆଁ, ୮ ପ୍ରକାରର ଦେଶୀ କନ୍ଦା ଏବଂ 12 ପ୍ରକାରର ଦେଶୀ ମକା ବିହନ ଏହି ସଂରକ୍ଷଣ ତାଲିକାରେ ରହିଛି । ତେବେ ଏହି ଚାଷ କରି ବିଭାଗ କେବଳ ପାରମ୍ପରିକ ଫସଲକୁ ସଂରକ୍ଷଣ କରୁନାହିଁ ବରଂ ସେଗୁଡିକର ଚାଷ ଏବଂ ବ୍ୟବହାରକୁ ବର୍ତ୍ତମାନ ଓ ଆଗାମୀ ପିଢି ପାଇଁ ପ୍ରୋତ୍ସାହିତ ମଧ୍ୟ କରୁଛି । ଏହି ପାରମ୍ପରିକ ଫସଲଗୁଡିକ ସେଗୁଡିକର ପୁଷ୍ଟିକର ମୂଲ୍ୟ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସ୍ଥିରତା ପାଇଁ ଜଣାଶୁଣା । ସ୍ଥାନୀୟ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହି ପାରମ୍ପରିକ କିସମ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ ।
- ବିରଳ ହେବାରେ ଲାଗିଛି ପାରମ୍ପରିକ ବିହନ:-
କୋରାପୁଟ ଅଞ୍ଚଳର ଏହି ପାରମ୍ପରିକ କିସମ ବିହନ କ୍ରମଶଃ ବିରଳ ହୋଇଯାଉଛି । ଯାହାକି କୃଷି ଏବଂ ଖାଦ୍ୟ ନିରାପତ୍ତା ପାଇଁ ଏକ ବଡ଼ ପ୍ରତିବନ୍ଧକ ହେବାର ଆଶଙ୍କା ମଧ୍ୟ ସୃଷ୍ଟି କଲାଣି । ତେଣୁ ପାରମ୍ପରିକ ମଞ୍ଜି ସଂରକ୍ଷଣର ଜରୁରୀ ହୋଇପଡ଼ିଥିବା ପ୍ରଫେସର ଡଃ ପଣ୍ଡା ମତ ରଖିଛନ୍ତି । ଦଶମନ୍ତପୁର କୃଷି ଅଧିକାରୀ ତଥା ରାଜ୍ୟ ସରକାରଙ୍କ ମିଲେଟ ପରାମର୍ଶଦାତା ତାପସ ରାୟ, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ବୈଜ୍ଞାନିକ ସଂରକ୍ଷଣ ପଦ୍ଧତିର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି । ଏହି ପରୀକ୍ଷଣ ମାଧ୍ୟମରେ ଆବିଷ୍କୃତ ସର୍ବୋତ୍ତମ ବିହନ କିସମକୁ ତୃଣମୂଳ ସ୍ତରରେ କୃଷକମାନଙ୍କୁ ବିସ୍ତାର କରିବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ଆୟୁର୍ବେଦ ଗବେଷକଙ୍କ ଉଦ୍ୟମ, ସଂରକ୍ଷଣ କଲେଣି ୩୦୦ ଔଷଧୀୟ ବୃକ୍ଷ ବିହନ |