ଓଡିଶା

odisha

ETV Bharat / state

ଆଜିଠୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମହୋତ୍ସବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ - KONARK FESTIVAL 2024

ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ପାଇଁ ଉତ୍ସବମ୍ମୁଖର ଦ୍ୱିତୀୟ ଅର୍କକ୍ଷେତ୍ର କୋଣାର୍କ । ଆଜି ସନ୍ଧ୍ୟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

KONARK FESTIVAL 2024
KONARK FESTIVAL 2024 (ETV Bharat Odisha)

By ETV Bharat Odisha Team

Published : Dec 1, 2024, 3:08 PM IST

ନିମାପଡ଼ା:ଆଜିଠୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ୩୫ତମ କୋଣାର୍କ ମହୋତ୍ସବ ଏବଂ ୧୪ତମ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ । ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ପାଇଁ ଉତ୍ସବମ୍ମୁଖର ଦ୍ୱିତୀୟ ଅର୍କକ୍ଷେତ୍ର କୋଣାର୍କ । ଆଜି ସନ୍ଧ୍ୟାରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶାସ୍ତ୍ରୀୟ ନୃତ୍ୟରେ କମ୍ପିବ ମୁକ୍ତାକାଶ ରଙ୍ଗମଞ୍ଚ । ସେହିପରି ଚନ୍ଦ୍ରଭାଗା ଠାରେ ୧୪ତମ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ମଧ୍ୟ ଉଦଘାଟିତ ହେବ ।

୩୫ତମ କୋଣାର୍କ ମହୋତ୍ସବ:

KONARK FESTIVAL 2024 (ETV Bharat Odisha)

ରାଜ୍ୟ ପର୍ଯ୍ୟଟନ ବିଭାଗ,ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଓଟିଡିସି ପକ୍ଷରୁ ଆୟୋଜିତ ହେଉଛି ଏହି କୋଣାର୍କ ମହୋତ୍ସବ । ଏହା ୫ଦିନ ଧରି ଚାଲିବ । ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତି ସନ୍ଧ୍ୟା ୬ଟାରୁ ଓଡ଼ିଶୀ, କୁଚିପୁଡ଼ି, କଥକ, ମୋହିନୀ ଆଟମ, ମଣିପୁରୀ, ଭାରତନାଟ୍ୟମ ନୃତ୍ୟ ପ୍ରଦର୍ଶିତ ହେବ । ସେହିପରି ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ରୁ ରାତି ୯ଟା ପର୍ଯ୍ୟନ୍ତ ଦେଶ ବିଦେଶର ବାଲୁକା ଶିଳ୍ପୀଙ୍କ ଦ୍ଵାରା ବାଲୁକାକଳା ଚିତ୍ରକଳା ପ୍ରଦର୍ଶନ ହେବ ।

ପ୍ରଥମ ଦିନରେ ଓଡିଶୀ, ଦ୍ୱିତୀୟ ଦିନରେ କ'ଣ ?

KONARK FESTIVAL 2024 (ETV Bharat Odisha)

ପ୍ରଥମ ଦିନ ଅର୍ଥାତ୍ ଡିସେମ୍ବର ୧ ତାରିଖରେ ଭୁବନେଶ୍ଵର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ପ୍ରଥମ ଚରଣରେ ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ଓ ଦ୍ଵିତୀୟାର୍ଦ୍ଧରେ ନୂଆଦିଲ୍ଲୀର ମାଲତିଶ୍ୟାମଙ୍କ ଦ୍ୱାରା କଥକ ନୃତ୍ୟ ପରିବେଷଣ କରାଯିବ । ସେହିପରି ଦ୍ଵିତୀୟ ଦିବସରେ କୋଲକତାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ପ୍ରୀତିପଟେଲଙ୍କ ଦ୍ୱାରା ମଣିପୁର ନୃତ୍ୟ ପରିବେଷଣ କରାଯିବ ଓ ଦ୍ଵିତୀୟ ଚରଣରେ କୋଲକତା ଶ୍ରୀଞ୍ଜନ ନୃତ୍ୟାଳୟର ବିଶିଷ୍ଠ ଓଡିଶୀ ଗୁରୁ ଆଲୋକ କାନୁନଗୋ ଦ୍ଵାରା ଓଡିଶୀ ନୃତ୍ୟ ପରିବେଷଣ କରାଯିବ । ତୃତୀୟ ଦିବସରେ କୋଲକାତାର ଦର୍ପଣୀ ଅର୍ଣ୍ଣବ ବନ୍ଦୋପାଧ୍ୟାୟଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ହେବାକୁ ଥିଲାବେଳେ ଦ୍ୱିତୀୟାର୍ଦ୍ଧରେ ଆମେରିକାର ଡକ୍ଟର ସୁନନ୍ଦା ନାୟାରଙ୍କ ଦ୍ଵାରା ମୋହିନୀ ଆଟ୍ଟମ ନୃତ୍ୟ ପରିବେଷଣ ହେବ ।

ଚତୁର୍ଥ ଦିନରେ କୁଚୁପୁଡ଼ି

KONARK FESTIVAL 2024 (ETV Bharat Odisha)

ଚତୁର୍ଥ ଦିନରେ ପ୍ରଥମେ ହାଇଦ୍ରାବାଦର ଦୀପିକା ରେଙ୍ଗୀ ଦ୍ୱାରା କୁଚୁପୁଡ଼ି ନୃତ୍ୟ ପରିବେଷଣ ହେବାକୁ ଥିବାବେଳେ ଦ୍ୱିତୀୟ ଚରଣରେ ଭୁବନେଶ୍ଵରର ରୁଦ୍ରାକ୍ଷ ଫାଉଣ୍ଡେସନର ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ ହେବ । ଶେଷ ତଥା ପଞ୍ଚମ ଦିବସର କୋଲକାତାର ବିଶିଷ୍ଠ ଅନ୍ତର୍ଜାତୀୟ ନୃତ୍ୟଙ୍ଗନା ଡୋନା ଗାଙ୍ଗୁଲିଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବା ସହ ଦ୍ଵିତୀୟ ଚରଣ ତଥା ଶେଷରେ ନୂଆଦିଲ୍ଲୀର ଗୀତାଚନ୍ଦ୍ରନ ଅନୁଷ୍ଠାନ ପକ୍ଷରୁ ଭାରତ ନାଟ୍ୟମ ପରିବେଷଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବାଲୁକା କଳା ପ୍ରଦର୍ଶନୀ, କେତୋଟି ଦେଶ ସାମିଲ ହେବେ ?

KONARK FESTIVAL 2024 (ETV Bharat Odisha)

ଚଳିତବର୍ଷ ବାଲୁକା କଳା ପ୍ରଦର୍ଶନୀରେ 6ଟି ଦେଶର ବାଲୁକା ଶିଳ୍ପୀ ସାମିଲ ହେବ । ଯଥା ପର୍ତ୍ତୁଗାଲ, ମେକ୍ସିକୋ, ରୁଷିଆ, ଜାପାନ, ସ୍ପେନ୍ ଏବଂ ଶ୍ରୀଲଙ୍କାର ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀଙ୍କ ସମେତ ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କୋଲକାତା, ଗୁଜୁରାଟ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ପରି ୭ ରାଜ୍ୟର ୧୦ଜଣ ପ୍ରତିଷ୍ଠିତ ବାଲୁକା ଶିଳ୍ପୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ମହୋତ୍ସବରେ ୧୦୦ ଜଣ ବାଲୁକା ଶିଳ୍ପୀ ସେମାନଙ୍କର ନିଖୁଳ ବାଲୁକା ଚିତ୍ର କଳ ପ୍ରଦର୍ଶନ କରିବେ ।

ଏହା ମଧ୍ୟ ପଢନ୍ତୁ ...ବିଶ୍ୱ ଐତିହ୍ୟ ସପ୍ତାହ: ଉତ୍କଳୀୟ କଳା, ସୂକ୍ଷ୍ମ ଭାସ୍କର୍ଯ୍ୟର ଆଇନା କୋଣାର୍କ

ଏହା ମଧ୍ୟ ପଢନ୍ତୁ ...କାଲିଠୁ ଦୁଲୁକିବ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ

ସ୍ବଚ୍ଛତା ବାର୍ତ୍ତା ନେଇ ଗଣଦୌଡ:

KONARK FESTIVAL 2024 (ETV Bharat Odisha)

ଏହି ଅବସରରେ ଆଜି ସ୍ବଚ୍ଛତା ବାର୍ତ୍ତା ନେଇ ଆୟୋଜନ ହୋଇଥିଲା ଗଣଦୌଡ । ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ ବସନ୍ତ ମଞ୍ଜରୀ ପାଠାଗାର ପକ୍ଷରୁ ଆୟୋଜିତ ହେଇଥିବା ଏହି ଗଣଦୌଡ ସୂର୍ଯ୍ୟ ମନ୍ଦିରରୁ ବାହାରି ଚନ୍ଦ୍ରଭାଗା ବେଳାଭୂମିରେ ଶେଷ ହୋଇଥିଲା ।ଏଥିରେ ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ତେବେ ୩ ଜଣ ବିଜୟୀଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା । କୋଣାର୍କକୁ ସୁସ୍ଥ, ସବୁଜ ଓ ସ୍ୱଚ୍ଛତା ରଖିବା ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ ସମ୍ପାଦକ ରାମକୃଷ୍ଣ ମହାନ୍ତି କହିଛନ୍ତି ।

ଇଟିଭି ଭାରତ,ନିମାପଡା

ABOUT THE AUTHOR

...view details