ରାଉରକେଲା: ଇତିହାସର ଗନ୍ତାଘର ହେଉଛି ସୁନ୍ଦରଗଡ଼ ଜିଲ୍ଲା । ଆଧୁନିକ ଇତିହାସ ଠାରୁ ଆରମ୍ଭ କରି ପୌରାଣିକ ଇତିହାସ ଭରି ରହିଛି ଏହି ଜିଲ୍ଲାରେ। କାହିଁ କେଉଁ ଯୁଗରୁ ଏଠାରେ ରହି ଆସିଛି ପୌରାଣିକ ଐତିହାସିକ ସ୍ଥଳୀ। ଏହାରି ମଧ୍ୟରେ ରାଉରକେଲା ସହର ଉତ୍ପତ୍ତି ହୋଇଥିବା ବ୍ରାହ୍ମଣୀ ନଦୀର ମଧ୍ୟ ରହିଛି ଏକ ଐତିହାସିକ କାହାଣୀ। ପୌରାଣିକ ଇତିହାସ ସହ ଅଙ୍ଗାଙ୍ଗୀ ଭାବରେ ଜଡିତ ରହିଛି ଏହି ବ୍ରାହ୍ମଣୀ ନଦୀ। ଏହି ପବିତ୍ର ନଦୀ କୂଳରେ ବେଦର ବିଭାଗୀ କରଣ ସହ ରଚନା ହୋଇଛି ମହାଭାରତ ।
ବ୍ରାହ୍ମଣୀ ନଦୀର ପୌରାଣିକ ଇତିହାସ: ବେଦବ୍ୟାସ ପୀଠରେ ଥିବା ମହାବୀର ପାହାଡରେ ମହର୍ଷି ପରାଶର ମୁନି ରହି ଦେବ ଦେବ ମହାଦେବଙ୍କୁ ପୂଜା ଅର୍ଚ୍ଚନା କରୁଥିଲେ। ତିନି ନଦୀ ଶଙ୍ଖ ,କୋଏଲ ଏଵଂ ସରସ୍ୱତୀ ମିଶି ଏଠାରେ ହୋଇଛି ତ୍ରିବେଣୀ ସଙ୍ଗମ। ଲୋକକଥା ଏବଂ ଇତିହାସ ଅନୁଯାୟୀ ମହର୍ଷି ପରାଶର ଏହି ପାହାଡ଼ରେ ମହାଦେବଙ୍କୁ ପୂଜା ଅର୍ଚ୍ଚନା କରିବା ସହ ତପସ୍ୟା କରୁଥିଲେ । ଦିନେ ତପସ୍ୟା ସାରି ଫେରୁଥିବା ବେଳେ ନଦୀ ପାରି ହେବା ପାଇଁ ଧୀବର ରାଜାଙ୍କୁ ଡାକିଥିଲେ । ତାଙ୍କ ଦେହ ଅସୁସ୍ଥ ରହିଥିବାରୁ ସେ ତାଙ୍କର କନ୍ୟା ମତ୍ସ୍ୟଗନ୍ଧାଙ୍କୁ ଧୀବର ରାଜା ପଠାଇଲେ ଏବଂ କହିଲେ ଯେ ଯାଇ ମହର୍ଷି ପରାଶରଙ୍କୁ ନଦୀ ପାରି କରିଦେବା ପାଇଁ। ନଦୀ ପାରି ହେବା ପାଇଁ ମହର୍ଷିଙ୍କୁ ଡଙ୍ଗାରେ ବସାଇ ମତ୍ସ୍ୟଗନ୍ଧା ନେଇ ଯାଉଥିଲେ ଶୁନ୍ୟରୁ ଆକାଶବାଣୀ ହୋଇଥିଲା ଯେ, ଏହି ମତ୍ସ୍ୟଗନ୍ଧା ନାମକ କନ୍ୟା ଗର୍ଭରୁ ଯେଉଁ ପୁତ୍ର ଜାତ ହେବ ସେ ରଚିବ ମହାଭାରତ ବା ଅଷ୍ଟାଦଶ ପୂରାଣ। ଏହାପରେ ମହର୍ଷି ପରାଶର ମତ୍ସ୍ୟଗନ୍ଧା କନ୍ୟାକୁ ଏକ ସୁନ୍ଦର ବୟସ୍କ କନ୍ୟାରେ ପରିଣତ କରିଥିଲେ। ପରେ ତାଙ୍କ ସାଙ୍ଗରେ ସଙ୍ଗମ କରିଥିଲେ ଏବଂ ସେଠାରୁ ଏକ ଛୋଟ ଦ୍ବୀପ ଉପରେ ଜନ୍ମ ହୋଇଥିଲେ ବ୍ୟାସଦେବ। ଏହାପରେ ମତ୍ସ୍ୟଗନ୍ଧା କନ୍ୟାଙ୍କୁ ମହର୍ଷି ବରଦାନ ଦେଲେ ଯେ ଆଜିଠୁ ତୁମେ ହେଉଛ ଜଣେ ବ୍ରାହ୍ମଣ କନ୍ୟା । ଯେପର୍ଯ୍ୟନ୍ତ ଏହି ପବିତ୍ର ତ୍ରିବେଣୀ ସଙ୍ଗମ ଯାଇଛି ତାହାକୁ ତୁମରି ନାମ ଅନୁସାରେ ବ୍ରାହ୍ମଣୀ ନଦୀ ବୋଲି ଲୋକେ ଜାଣିବେ । ଏହାପରେ ଏହି ନଦୀର ନାମ ରହିଛି ବ୍ରାହ୍ମଣୀ ନଦୀ । ଏଠାରେ ରହି ବ୍ୟାସଦେବ ମହାଦେବଙ୍କୁ ପୂଜା ଅର୍ଚ୍ଚନା କରନ୍ତି। ଏବଂ ଏହି ବ୍ରାହ୍ମଣୀ ନଦୀ କୂଳରେ ହିଁ ରଚନା ହୋଇଥିଲା ମହାଭାରତ ।