ଫୁଲବାଣୀ: ପୁଣି ଲାଗିଲା ମାଓ ପୋଷ୍ଟର । ଶନିବାର ସକାଳୁ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଗତ 3 ତାରିଖରେ ପୋଲିସ ଗୁଳିରେ ନିହତ ହୋଇଥିବା ମାଓନେତା ଦସ୍ରୁକୁ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛି ମାଓ ସଙ୍ଗଠନ । କେକେବିଏନ୍ ଡିଭିଜନାଲ କମିଟି ପକ୍ଷରୁ ଜାରି ଏହି ପୋଷ୍ଟରରେ ଦସ୍ରୁକୁ ଶହୀଦ ଆଖ୍ୟା ଦିଆଯାଇ ତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କୁହାଯାଇଛି । ତେବେ ପ୍ରଥମେ ଦସ୍ରୁର ମୃତ୍ୟୁକୁ ଗ୍ରହଣ କରିନଥିଲା ଏହି ମାଓ ସଂଗଠନ । ବରଂ ତାକୁ ପୋଲିସ ଧରି ନେଇ ନିର୍ଯାତନା ଦେଉଥିବା ପୋଷ୍ଟର ମାରି ଅଭିଯୋଗ କରିଥିଲା ସଂଗଠନ ।
ତେବେ ଦସ୍ରୁକୁ ଶ୍ରଦ୍ଧାଞ୍ଜଳି ପାଇଁ ଜାରି କରାଯାଇଥିବା ପୋଷ୍ଟରରେ ୨୦୧୪ମସିହାରୁ ପାର୍ଟିରେ ସାମିଲ ହୋଇ ସେ ଦଳିତ ଆଦିବାସୀଙ୍କ ପାଇଁ କାମ କରୁଥିଲେ ବୋଲି ଉଲ୍ଲେଖ ଅଛି । ଲଢେଇରେ ସହଯୋଗ ପାଇଁ ଲୋକଙ୍କୁ ଆହ୍ବାନ ଦେଇଛି ଲାଲବାହିନୀ । ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ସୁପଲା, ଡାଙ୍ଗେଣାମା, ପକାରୀ, ବାଲନ୍ଦାପଡ଼ା, କୁମେଲସିଂ, ସୁଟେଣୀ ଘାଟି, କ୍ରାଣ୍ଡିବାଲି ସମେତ ସାଡ଼ିଙ୍ଗିଆ ଠାରେ ମଧ୍ୟ ବହୁ ସଂଖ୍ୟକ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ବାରମ୍ବାର ଏହି ଅଞ୍ଚଳରେ ମାଓ ପୋଷ୍ଟର ଓ ବ୍ୟାନର ଦେଖି ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଯାହାକୁ ନେଇ ପୋଲିସର ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଅଞ୍ଚଳର ଜନସାଧାରଣଙ୍କୁ ଭୟଭୀତ ନହେବା ପାଇଁ ପୋଲିସ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।