କେନ୍ଦ୍ରାପଡା:ଜାନୁଆରୀ ୨୬ରେ ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ କର୍ତ୍ତବ୍ୟ ପଥରେ ହେବାକୁ ଥିବା ପରେଡରେ ଯୋଗ ଦେବାକୁ ଦେଶ ବିଦେଶର ଅତିଥିଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର ସରକାର । ସାରା ରାଜ୍ୟରୁ ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ ମିଳିଥିବା ବେଳେ କେନ୍ଦ୍ରାପଡାର ଦୁଇ ପଞ୍ଚାୟତ ପ୍ରତିନିଧିଙ୍କୁ ମଧ୍ୟ ଦିଲ୍ଲୀ ଯିବେ । ସେମାନେ ହେଲେ କେନ୍ଦ୍ରାପଡା ଜିଲ୍ଲାର ମୋହନ ଚରଣ ସାହୁ ଓ ଅରକ୍ଷିତ କାଣ୍ଡି । ପଞ୍ଚାୟତର ଉନ୍ନତିମୂଳକ କାମ କରି ସାରା ରାଜ୍ୟରେ ଉଦାହରଣ ସାଜିଥିବାରୁ ଉପକୂଳ ଜିଲ୍ଲାର ଦୁଇ ସରପଞ୍ଚଙ୍କୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପକ୍ଷରୁ ଚୟନ କରାଯାଇଛି ।
କିଏ ଏହି ଦୁଇ ସରପଞ୍ଚ ଓ କଣ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ?
ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ସାରା ଦେଶ ପାଳନ କରିବ ଗଣତନ୍ତ୍ର ଶାସନର ବାର୍ଷିକ ଉତ୍ସବ । ଜାତିର ପିତାଙ୍କ ଆହ୍ବାନ କ୍ରମେ ଗାଁରୁ ହିଁ ଦେଶର ଉନ୍ନତି କଥାକୁ ପ୍ରତିପାଦିତ କରି ପ୍ରତିବର୍ଷ ଦେଶର କୋଣ ଅନୁକୋଣରେ ଥିବା ପଞ୍ଚାୟତ ପ୍ରତିନିଧିମାନଙ୍କୁ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥ ପରେଡ଼ରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିଥାଏ । ତେବେ ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲାର ଦୁଇଜଣ ପଞ୍ଚାୟତ ପ୍ରତିନିଧି ତଥା ସରପଞ୍ଚଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିଛି । କେନ୍ଦ୍ରାପଡା ଡେରାବିଶ୍ ବ୍ଲକ ବେଣୀପୁର ପଞ୍ଚାୟତର ୭୪ ବର୍ଷୀୟ ମାଟ୍ରିକ ପାସ କରିଥିବା ସରପଞ୍ଚ ମୋହନ ଚରଣ ସାହୁ ଓ ଏହି ବ୍ଲକ ଅଧିନ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ସ୍ନାତକୋତ୍ତର (ଇତିହାସ) ପାସ କରିଥିବା ଅରକ୍ଷିତ କାଣ୍ଡିଙ୍କୁ ଏହି ପରେଡରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିଛି ।
କେଉଁ ଜନାଭିମୁଖୀ କାର୍ଯ୍ୟ ପାଇଁ ମିଳିଛି ସ୍ୱୀକୃତି ?
ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପକ୍ଷରୁ ଦିଆ ଯାଇଥିବା ତାଲିକା ମୁତାବକ ସାରା ରାଜ୍ୟରୁ ୮ ଜଣ ସରପଞ୍ଚ ଏହି ପରେଡରେ ଭାଗ ନେବାକୁ ଯାଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରୁ ମୋହନ ଓ ଅରକ୍ଷିତ ଦୁଇଜଣ ଏଥିପାଇଁ ମନୋନୀତ ହୋଇଛନ୍ତି । ବେଣୀପୁର ସରପଞ୍ଚ ମୋହନ ଚରଣଙ୍କୁ ପିଏମ ପୋଷଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ଏନଆରଏଲଏମ,କିଷାନ କ୍ରେଡିଟ କାର୍ଡ, ବିଏସକେୱାଇ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋନୀତ କରାଯାଇଥିବା ବେଳେ ଲକ୍ଷ୍ମୀନାରାୟଣପୁର ସରପଞ୍ଚ ଅରକ୍ଷିତଙ୍କୁ କେନ୍ଦ୍ର ସରକାରଙ୍କ ମାତୃବନ୍ଦନା, ପିଏମ ପୋଷଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ହର ଘର ଜଲ୍ ଯୋଜନା, କିଷାନ କ୍ରେଡିଟ କାର୍ଡ ଏବଂ ବିଏସକେୱାଇ(BSKY) କ୍ଷେତ୍ରରେ ଅବଦାନ ପାଇଁ ମନୋନୀତ କରାଯାଇଥିବା ରାଜ୍ୟ ସରକାରଙ୍କ ଚିଠିରୁ ସ୍ପଷ୍ଟ ହେଉଛି ।
ଦିଲ୍ଲୀ ଯିବେ, କଣ କହିଲେ ୨ ସରପଞ୍ଚ ?
ବେଣୀପୁର ସରପଞ୍ଚ ମୋହନ ଚରଣ ସାହୁ କହିଛନ୍ତି, "ମୁଁ ମୋ ପଞ୍ଚାୟତରେ ନିର୍ବାଚିତ ହେବା ପରେ ପ୍ରଥମେ ଶିକ୍ଷା, ଗମନାଗମନ, ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଫୋକସ କରିଛି । ଲୋକମାନଙ୍କ ଆବଶ୍ୟକତା ସବୁଦିନ ରହିଛି ତେବେ କିଛି ଆବଶ୍ୟକତାକୁ ପୂରଣ କରାଯାଇଛି ଓ ଆଗକୁ ଏହି ଧାରା ବଜାୟ ରହିବ"।
ଲକ୍ଷ୍ମୀ ନାରାୟଣପୁର ସରପଞ୍ଚ ଅରକ୍ଷିତ କାଣ୍ଡିକହିଛନ୍ତି,"ପିଏମ ପୋଷଣଠାରୁ ଆରମ୍ଭ କରି ମାତୃ ବନ୍ଦନା ପର୍ଯ୍ୟନ୍ତ ମୁଁ ସବୁ କାମରେ ଯତ୍ନବାନ ହୁଏ । ମୁଁ ଜଣେ ଟ୍ୟୁସନ ଶିକ୍ଷକ ହୋଇଥିବା କାରଣରୁ ୨୦୨୨ ମସିହାରେ ମୁଁ ନିର୍ବାଚିତ ହେବା ପରେ ପ୍ରଥମ ଫୋକସ ଶିକ୍ଷା ଉପରେ ଦେଇଥିଲି । ଏହାଛଡା ନାରୀକୁ ସମ୍ମାନ, ମାତୃବନ୍ଦନା ଇତ୍ୟାଦି କାର୍ଯ୍ୟକ୍ରମ ପାଇଁ ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ସୁଯୋଗ ପାଇଥିବାରୁ ମୁଁ ବହୁତ ଧନ୍ୟ ।’
ଏହା ମଧ୍ୟ ପଢନ୍ତୁ: |