ଗଜପତି:ଶଙ୍କ ଛାଡି ପଦ୍ମ ପୋଖରୀରେ କାଶୀନଗର ଏନଏସି ଅଧ୍ୟକ୍ଷା ଏମ.ସୁଧାରାଣୀ । ୩ଥର ହେଲା ଲଗାତାର ଭାବେ ସେ ବିଜେଡିରୁ ଏନଏସି ଅଧ୍ୟକ୍ଷା ହୋଇଥିବା ବେଳେ ଏବଂ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ତେବେ ସୁଧାରାଣୀଙ୍କ ସମେତ କାଶୀନଗର ବ୍ଲକର ଆଉ ଜଣେ ଟାଣୁଆ ବିଜେଡି ନେତା ଏମ.ସତୀଶ ଓ ଏନଏସି ମହିଳା ବିଜେଡି ସଭାନେତ୍ରୀ ଆର.ସୁଜାତା ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି । କେବଳ ଏହି ୩ଜଣ ନୁହନ୍ତି କାଶୀନଗର ଏନଏସି ତଥା ବ୍ଲକର ବହୁ ବିଜେଡି ନେତା ଓ କର୍ମୀ ଆଜି ବିଜେପିରେ ସାମିଲ ହୋଇଛନ୍ତି ।
ତେବେ ଦଳରେ ଯୋଗ ଦେବା ପରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । କାଶୀନଗର ଠାକୁରାଣୀ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ମିଶ୍ରଣ ପର୍ବରେ ଏମାନେ ବିଜେପିରେ ସାମିଲ ହୋଇଥିଲେ ।
ଏହି ଅବସରରେ ସୁଧାରାଣୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, "କିଛି ଲୋକଙ୍କ ଆତ୍ମଗର୍ବ ଦଳକୁ ନିମ୍ନଗାମୀ କରୁଛି । ଏନେଇ ଦଳର ଶୀର୍ଷ ନେତୃତ୍ବ ନିକଟରେ ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ କରିବା ପରିବର୍ତ୍ତେ ମୋର ରାଜନୈତିକ ଭବିଷ୍ୟତକୁ ନଷ୍ଟ କରିଦେବା ପାଇଁ ଧମକ ଦିଆଗଲା । ଯାହା ମୋର ସ୍ବାଭିମାନ ପ୍ରତି ଆଞ୍ଚ ଆଣିଥିଲା । ମୁଁ ଓଡିଶା ମାଟିର ଝିଅ । ସ୍ବାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରିପାରିବି ନାହିଁ । ତେଣୁ ଦଳ ଛାଡିଲି ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଆଜି ସାମିଲ ହୋଇଛି ।"