ବୌଦ୍ଧ: ଆଉ ଦିନ କେଇଟା ପରେ ରାଜ୍ୟରେ ନିର୍ବାଚନ । ଘମାଘୋଟ ଲଢ଼େଇ ପାଇଁ ଚାଲିଛି ଦଳୀୟ ପ୍ରସ୍ତୁତି । ପ୍ରାର୍ଥୀମାନେ ଡୋର ଟୁ ଡୋର କ୍ୟାମ୍ପେନ ସହିତ ଶୋଭାଯାତ୍ରା କରି ନିଜ ଶକ୍ତି ପ୍ରଦର୍ଶନରେ ଲାଗିପଡିଛନ୍ତି । ଏହାରି ଭିତରେ ଚର୍ଚ୍ଚାରେ ରହିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ । ଲଗାତାର ଦୁଇଥର ଏହି ଆସନ ବିଜେଡି କବ୍ଜାର ରହିଥିବା ବେଳେ ଦୁଇଥର ଯାକ ମହୀଧର ରଣା ବିଧାୟକ ରହିଛନ୍ତି । କିନ୍ତୁ ଏଥର ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦୋଳ ଦେଖିବାକୁ ମିଳିଛି । ଯାହା କଣ୍ଟାମାଳରେ ବିଜେପିର ବିଜୟ ଆଡକୁ ସୁହାଉଥିବା ଆଲୋଚନା ହେଉଛି ।
ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଚଳିତ ସାଧାରଣ ନିର୍ବାଚନ ବେଶ ରୋଚକ ହେବାକୁ ଯାଉଅଛି । କାରଣ ଏହି ଆସନରୁ ଦୁଇ ଦୁଇଥର ବିଧାୟକ ହୋଇଥିବା ମହୀଧର ରଣାଙ୍କୁ ବିଜେଡି ତୃତୀୟ ଥର ପାଇଁ ଟିକେଟ ପ୍ରଦାନ କରିଛି । ସେପଟେ ବିଜେଡି ଦଳର ବରିଷ୍ଠ ନେତା ଓ କର୍ମୀଙ୍କୁ ଦୀର୍ଘ ଦିନ ଧରି ମହୀଧର ଅଣଦେଖା କରି ଅନ୍ୟ ଦଳର ନେତା କର୍ମୀଙ୍କୁ ଗୁରୁତ୍ବ ପ୍ରଦାନ କରୁଥିବା ଅଭିଯୋଗ କରି ବିଜେଡି ଦଳର ଅନ୍ୟ ଏକ ଗୋଷ୍ଠୀ ମହୀଧର ହଟାଓ ଅଭିଯାନ ଆରମ୍ଭ କରିଛନ୍ତି । ଗତ କିଛିଦିନ ପୂର୍ବରୁ ମହୀଧର ରଣା ବିରୋଧିଙ୍କୁ ମାତ୍ ଦେବାକୁ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତାନନ୍ଦ ସାମନ୍ତଙ୍କୁ ନେଇ ବିଶାଳ ବାଇକ ଶୋଭାଯାତ୍ରାର ଆୟୋଜନ କରିଥିଲେ ।
ସେହିପରି ବିଜେପି ଦଳର ଟାଣୁଆ ନେତା ତଥା ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗଙ୍କ ସଂଗଠନ ଖୁବ ସୁଦୃଢ ହେବାରେ ଲାଗିଛି । ମହୀଧରଙ୍କ ଗଡ଼ ଭାଙ୍ଗିବାକୁ ବିଜେପି ଯୋରଦାର ପ୍ରସ୍ତୁତି କରୁଥିବା ବେଳେ ଆସନ୍ତାକାଲି (ଶନିବାର) କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପଲସାଗୋରା ଠାରେ ବହୁ ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ ବିଜେପି ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଏଯାବତ୍ ଘୋଷଣା ହୋଇନଥିବା ବେଳେ ଏଠାରେ କଂଗ୍ରେସ ଦଳ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଛି । ଏପରିକି ଶନିବାର କଂଗ୍ରେସର କେତେକ ନେତା ଓ କର୍ମୀ ବିଜେପି ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି ।