ଓଡିଶା

odisha

ETV Bharat / state

ଆମ୍ବ ଟାକୁଆ ଖାଇବା ଘଟଣା; SCBରେ ୨ ଅସୁସ୍ଥଙ୍କୁ ଭେଟିଲା ବିଜେଡି ଟିମ୍‌, କ୍ଷତିପୂରଣ ପ୍ରତିଶ୍ରୁତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ - MANGO KERNEL TRAGEDY

ଦାରିଙ୍ଗବାଡି ଆମ୍ବ ଟାକୁଆ ଖାଇ SCBରେ ଚିକିତ୍ସିତ ହେଉଥିବା ଅସୁସ୍ଥଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ । ସେପଟେ ବିଜେଡି ପରେ ପରେ ଅସୁସ୍ଥଙ୍କୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ।

Mango Kernel Tragedy
Mango Kernel Tragedy (ETV Bharat Odisha)

By ETV Bharat Odisha Team

Published : Nov 4, 2024, 9:33 PM IST

Updated : Nov 4, 2024, 10:41 PM IST

କଟକ: କନ୍ଧମାଳ, ଦାରିଙ୍ଗବାଡି ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣାକୁ ନେଇ ତେଜୁଛି ରାଜନୀତି । ଏହି ଘଟଣାରେ ଗୁରୁତର ଭାବରେ ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିବା ୨ ଜଣଙ୍କୁ ଭେଟିଛନ୍ତି ବିଜେଡି ପ୍ରତିନିଧି ଦଳ । ସେମାନଙ୍କୁ ଭେଟିବା ସହ ଅବସ୍ଥା ପଚାରି ବୁଝିଛନ୍ତି । ଏହାସହ ମୃତକଙ୍କୁ କ୍ଷତିପୁରଣ ଦେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛି ବିଜେଡି । ସେପଟେ ବିଜେଡି ପରେ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଅସୁସ୍ଥମାନଙ୍କୁ ଭେଟିଛନ୍ତି ।

Mango Kernel Tragedy (ETV Bharat Odisha)


'ମୃତକମାନଙ୍କୁ କ୍ଷତିପୂରଣ ଦିଆଯାଉ'

ଆହତମାନଙ୍କୁ ଭେଟି ଚିକିତ୍ସା ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ସେ କହିଛନ୍ତି, "ଏହା ଏକ ସ୍ପର୍ଶକାତାର ଘଟଣା । ୮୦ ଓ ୯୦ ଦଶକରେ ଏଭଳି ଘଟଣା ଦେଖିବାକୁ ମିଳୁଥିଲା । ଦାରିଙ୍ଗବାଡି ଘଟଣା ଓଡ଼ିଶା ପାଇଁ ଲଜ୍ଜା । ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ନାହାନ୍ତି । କାରଣ ଖୋଜିବା ପାଇଁ ସରକାର ଟାସ୍କ ଫୋର୍ସ ମଧ୍ୟ ଗଠନ କଲେନାହିଁ । ପାରମ୍ପରିକ ଖାଦ୍ୟ କହି ସରକାର ଦୋଷ ଖସାଇ ପାରିବେ ନାହିଁ । PDS ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବା ଦରକାର । ମୃତକମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯିବା ଦରକାର ।"

Mango Kernel Tragedy (ETV Bharat Odisha)

ରାଜ୍ୟ ସରକାରଙ୍କୁ ବିଜେଡିର ସମାଲୋଚନା:

ଆମ୍ୱ ଟାକୁଆ ଜାଉ ଖାଇ ୨ ମୃତ, ୬ ଗୁରୁତର ଘଟଣା । ଘଟଣାକୁ ରାଜନୈତିକ ପ୍ରସଙ୍ଗ କରିଛି ବିଜେଡି । ଘଟଣା ପୂର୍ବରୁ ମାଣ୍ଡିପଙ୍କା ଗାଁରେ ରାସନ ବଣ୍ଟନ ହୋଇନଥିଲା ବୋଲି ଅଭିଯୋଗ କରିଛି ବିଜେଡି । ସରକାର ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେଡି ନେତା ସଞ୍ଜୟ ଦାସବର୍ମା ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ଦାୟିତ୍ୱହୀନ ମନ୍ତବ୍ୟ ସମସ୍ୟାକୁ ଜଟିଳ କରିଛି । ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସଞ୍ଜୟ ଦାବି କରିଛି ।

Mango Kernel Tragedy (ETV Bharat Odisha)

ଘଟଣାକୁ ଗୁରୁତ୍ବ ସହ ନେଉ ନାହାନ୍ତି ସରକାର!:

ପୂର୍ବତନ ମନ୍ତ୍ରୀ ତଥା ଦଳର ମୁଖପାତ୍ର ସଞ୍ଜୟ ଦାସବର୍ମା କହିଛନ୍ତି, "ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ନିୟମ ଅନୁଯାୟୀ, ରାଜ୍ୟରେ ରାସନ ବଣ୍ଟନର ସୁଷମ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଦାୟିତ୍ୱ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ବ୍ୟତୀତ ରାଜ୍ୟରେ ନବୀନ ସରକାରଙ୍କ ଦ୍ୱାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରାଯାଇଛି । ଯାହା ମାଧ୍ୟମରେ ଅଧିକ ୫୦ ଲକ୍ଷ ଲୋକଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ ପ୍ରତି ମାସ ପ୍ରଦାନ କରାଯାଉଛି । ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଅନୁଯାୟୀ, ତିନି ମାସର ରାସନ ବଣ୍ଟନ ପାଇଁ ୨୭ ସେପ୍ଟେମ୍ୱର ଦିନ ଅର୍ଡର ବାହାରି ଥିଲା । ଯାହା ୫୦ ଦିନ ଭିତରେ ବଣ୍ଟନ କାର୍ଯ୍ୟ ଶେଷ ହେବା କଥା । କିନ୍ତୁ ମାସେରୁ ଅଧିକ ସମୟ ବିତିଥିଲେ ମଧ୍ୟ ମାଣ୍ଡିପଙ୍କାରେ ରାସନ ବଣ୍ଟନ କରାଯାଇ ନଥିଲା । ଘଟଣା ପରେ ତରବରିଆ ଭାବେ ୨ ନଭେମ୍ୱର ଦିନ ରାସନ ବଣ୍ଟନ କରାଯାଇଥିଲା । ରାସନ ବଣ୍ଟନ ହୋଇପାରି ନଥିବା କଥାକୁ ଜିଲ୍ଲାପାଳ ସ୍ୱୀକାର କରିଛନ୍ତି । ସମ୍ୱେଦନଶୀଳ ଘଟଣାରେ ରାଜ୍ୟ ସରକାର ଘଟଣାକୁ ଗୁରୁତର ସହ ଗ୍ରହଣ କରିବା ପରିବର୍ତ୍ତେ ଅତ୍ୟନ୍ତ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ ।"

Mango Kernel Tragedy (ETV Bharat Odisha)

'ଯୋଗାଣ ମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ':

ସେ ଆହୁରି ମଧ୍ୟ କହିଛନ୍ତି, "ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆମ୍ୱ ଟାକୁଆ ସେ ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିଛନ୍ତି । ସେହିପରି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମଧ୍ୟ ଆମ୍ୱଟାକୁଆ ସେହି ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିଛନ୍ତି । ଏହି ଘଟଣାରେ ମୃତାହତ ହୋଇଥିବା ଲୋକଙ୍କ ଘରେ ପର୍ଯ୍ୟାପ୍ତ ପରିମାଣରେ ଚାଉଳ ଥିଲା ବୋଲି ମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ଯୋଗାଣ ମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ମୁଖରେ କ୍ଷମା ମାଗନ୍ତୁ ।"


'ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ପଦକ୍ଷେପ ନେଉଛନ୍ତି ସରକାର'

ଅନ୍ୟପଟେ ରାଜ୍ୟ ସ୍ୱସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଟକ SCBରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ସ୍ୱସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି, "ରାଜ୍ୟ ସରକାର ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ୨ ଆହତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତର ଟିମ କରାଯାଇଛି । ମୃତକଙ୍କ ପରିବାରକୁ ଖୁବଶୀଘ୍ର କ୍ଷତିପୂରଣ ମିଳିବ ।" ଏହାସହ ବିଜେଡିର ପ୍ରତିକ୍ରିୟା ଉପରେ କୋୖଣସି ପ୍ରତିକ୍ରିୟା ଦେବାକୁ ନାପସନ୍ଦ କରିଛନ୍ତି ସ୍ୱସ୍ଥ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା: ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡିର ନିନ୍ଦା, ପୂର୍ବ ସରକାରକୁ ଦାୟୀ କଲା ବିଜେପି

ଏହା ମଧ୍ୟ ପଢ଼ନ୍ତୁ...କାହିଁକି ଆମ୍ବ ଟାକୁଆ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି ଆଦିବାସୀ, ଖାଦ୍ୟ ଅଭାବ ନା ପାରମ୍ପରିକ ଆହାର? ଜାଣନ୍ତୁ


୨ ଅସୁସ୍ଥଙ୍କ କିପରି ଅଛି ସ୍ବାସ୍ଥ୍ୟବସ୍ଥା:

ଆମ୍ବ ଟାକୁଆ ଖାଇ କଟକ ଏସିବି ICUରେ ଚିକିତ୍ସିତ, ଟୁନି ମାଝୀ ଓ ଜିତା ମାଝୀଙ୍କ ଅବସ୍ଥା ଏବେବି ଗୁରୁତର ଅଛି । ଉଭୟଙ୍କ ଶରୀରର ବିଭିନ୍ନ ଅଙ୍ଗ କାର୍ଯ୍ୟ କରୁନାହିଁ । ମୁଖ୍ୟତଃ ଲିଭର, କିଡନୀ ଓ ମସ୍ତିଷ୍କ ଠିକ ଭାବେ କାର୍ଯ୍ୟ କରୁନଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଟୁନି ମାଝୀଙ୍କ ପେଟ ଓ ଛାତିରେ ପାଣି ଜମିଛି । ଜିତା ମାଝୀଙ୍କ ଲିଭର ଠିକ ଭାବରେ କାମ କରୁ ନଥିବାରୁ ମସ୍ତିଷ୍କ ପ୍ରଭାବିତ ହୋଇଛି । ଆଖିରେ ରକ୍ତ ଜମାଟ ହୋଇଛି । କେବଳ ଜ୍ୱର କମିଥିବାବେଳେ ଅନ୍ୟାନ୍ୟ ଆନୁଷଙ୍ଗିକ ପରୀକ୍ଷା ନିରୀକ୍ଷା ଏସସିବି ପକ୍ଷରୁ କରାଯାଉଅଛି । ମେଡ଼ିସିନ, ହେପଟୋଲୋଜି, କ୍ରିଟିକାଲ କେୟାର ଡାକ୍ତର ଉଭୟଙ୍କ ଚିକିତ୍ସା କରୁଛନ୍ତି ।


ଇଟିଭି ଭାରତ, କଟକ

Last Updated : Nov 4, 2024, 10:41 PM IST

ABOUT THE AUTHOR

...view details