Opening Of Sri Mandira Ratna Bhandar (ETV Bharat Odisha) ପୁରୀ: ଆଜି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ରତ୍ନ ଗଣତି ମଣତି କୁ ନେଇ ଗୁରୁତ୍ବପୁର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଗଣତି, ମଣତି ପାଇଁ କିଭଳି ବ୍ୟବସ୍ଥା ହୋଇପାରିବ ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦ୍ଵାରା ଗଠିତ ରତ୍ନଭଣ୍ଡାର କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ପରିଚାଳନା କମିଟି ସେବାୟତ ସଦସ୍ୟ, ଏଏସଆଇ ଅଧିକାରୀ ଏବଂ ରତ୍ନଭଣ୍ଡାର କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ବୈଠକରେ ଉପସ୍ଥିତ ଥିଲେ। ତେବେ ବୈଠକ ଶେଷ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜଷ୍ଟିସ ଅରଜିତ ପଶାୟତ କହିଛନ୍ତି ରତ୍ନଭଣ୍ଡାର ଖୋଲିବା ବେଳେ କ'ଣ ସବୁ ସମସ୍ୟା ଆଗକୁ ଆସିବ ଏବଂ କିଭଳି ଭାବେ ଏହାର ସମାଧାନ କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା। ତେବେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ଥିବା ସମୟରେ ତଥା ରଥଯାତ୍ରା ସମୟରେ ହିଁ ରତ୍ନଭଣ୍ଡାର ଖୋଲାଯାଇ ଗଣତି, ମଣତି ହୋଇପାରିବ ବୋଲି ଜଷ୍ଟିସ ପଶାୟତ କହିଥିଲେ।
ଏହା ମଧ୍ୟ ପଢନ୍ତୁ ...ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ 3 ସପ୍ତାହ ସମୟ ନେଲେ ସରକାର
୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯାଇଥିବା ବେଳେ ତାହାର ସମସ୍ତ ରିପୋର୍ଟ ତାଙ୍କ ପାଖରେ ହସ୍ତଗତ ହୋଇଛି। ଉକ୍ତ ରିପୋର୍ଟ ଆଧାରରେ ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି କରାଯିବ। ବର୍ତ୍ତମାନ ସମୟରେ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଇ ରତ୍ନଭଣ୍ଡାର ଅଳଙ୍କାରର ଗଣତି, ମଣତି କିଭଳି କରାଯାଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା ବୋଲି ଜଷ୍ଟିସ ପଶାୟତ କହିଛନ୍ତି । ପୂର୍ବରୁ ବ୍ରିଟିଶ ସମୟରେ ୧୯୨୬ ମସିହାରେ ଓ ପରେ ଶେଷ ଥର ପାଇଁ ୧୯୭୮ ମସିହାରେ ରତ୍ନ ଭଣ୍ଡାରର ଯାଞ୍ଚ ହୋଇଥିବା ନେଇ ସୂଚନା ଦେଇଥିଲେ ଜଷ୍ଟିସ ଅରିଜିତ ପଶାୟତ । ବୈଠକ ପୂର୍ବରୁ ଜଷ୍ଟିସ ପଶାୟତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ। ମହାପ୍ରଭୁଙ୍କ ଇଛାରେ ହିଁ ସବୁ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟ ଯେ ୧୯୭୮ ମସିହାରେ ପ୍ରତ୍ୟେକ ଅଳଙ୍କାରର ଓଜନ କେତେ ଏବଂ ତାହା କିଭଳି ଅବସ୍ଥାରେ ରହିଛି ସେଥିପାଇଁ ଯାଞ୍ଚ କରିବାକୁ ଦୀର୍ଘ ୪ ମାସ ସମୟ ଲାଗିଥିଲା । ଓଡିଶା ହାଇକୋର୍ଟଙ୍କ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁସାରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ୧୨ ଜଣିଆ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ଏହି କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡ. ରମାକାନ୍ତ ପଣ୍ଡା, ସେ ଏହି କମିଟିର ଉପାଧ୍ୟକ୍ଷ ଅଛନ୍ତି । ସେହିପରି ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD ଡ. ବିଧୁଭୁଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ ସାବତ, ପୁରୀ ଗଜପତି ମହାରାଜା ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଦିବ୍ୟସିଂହ ଦେବଙ୍କ ପ୍ରତିନିଧି, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି, ସେବକ ପ୍ରତିନିଧି ଦୁର୍ଗାପ୍ରସାଦ ଦାସ ମହାପାତ୍ର ଆଦି ସାମିଲ ଅଛନ୍ତି ।
ଇଟିଭି ଭାରତ, ପୁରୀ