ମାଲକାନିଗିରି:ଚାକିରି କରାଇଦେବା ଆଳରେ ଠକିନେଲେ ଲକ୍ଷାଧିକ ଟଙ୍କା । ସେ ପୁଣି କୌଣସି ଏଜେଣ୍ଟ କି ଦଲାଲ ନୁହନ୍ତି ବରଂ ଜଣେ ପୋଲିସ କନେଷ୍ଟବଳଙ୍କ ବିରୋଧରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଜଣେ ପୂର୍ବତନ ବରିଷ୍ଠ ପ୍ରଶାସକଙ୍କ ପରିଚିତ କହି ଏପରି ଠକେଇ ହୋଇଛି । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଦ୍ବାରସ୍ଥ ହୋଇଛନ୍ତି ଜଣେ ମହିଳାଙ୍କ ସମେତ ଏକାଧିକ ଅଭିଯୋଗକାରୀ । ମାଲକାନଗିରି ଜିଲ୍ଲାରେ ଚାକିରି ଆଳରେ ଠକେଇ ନୂଆ କଥା ନୁହେଁ । ଏହି ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ୍ କରି ଲକ୍ଷାଧିକ କିଛି ଠକ୍ ଟଙ୍କା ଠକି ନେଉଥିବା ପୂର୍ବରୁ ମଧ୍ୟ ବହୁ ନଜିର ରହିଛି । ଜଣେ ମହିଳା କୁଞ୍ଜଲତା ମହାରଣାଙ୍କୁ ତାଙ୍କ ପୁଅ ପାଇଁ ଚାକିରି କରାଇଦେବାକୁ କହି ଠକି ନେଇଛନ୍ତି ଠକ ।
- 'ପୋଲିସ ଚାକିରି ଲୋଭ ଦେଖାଇ ସାଢେ 6 ଲକ୍ଷ ଠକି ନେଲେ'
ଅଭିଯୋଗ ଅନୁସାରେ, ସ୍ଥାନୀୟ ପୋଲିସ ବିଭାଗର ସୁନୀଲ ଚୋପାଡି ନାମକ କନେଷ୍ଟବଳ କୁଞ୍ଜଲତାଙ୍କ ପୁଅକୁ ପୋଲିସ ବିଭାଗରେ ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ମାଗିଥିଲେ । ଅଭିଯୋଗକାରିଣୀ କୁଞ୍ଜଲତା ମହାରଣାକହିଛନ୍ତି, "ପ୍ରଥମେ ସେ ୩ ଲକ୍ଷ ଟଙ୍କା ଚାକିରି ବାବଦକୁ ନେଇଥିଲେ । କିନ୍ତୁ ଲିଷ୍ଟ ବାହାରିବା ପରେ ତାଙ୍କ ପୁଅର ନାମ ନଥିଲା । ଏନେଇ ସୁନୀଲକୁ ପଚାରିବାରୁ ଦ୍ବିତୀୟ ଲିଷ୍ଟରେ ନାମ ବାହାରିବ ବୋଲି କହିଥିଲେ । ଏଥିସହ ଆହୁରି ଟଙ୍କା ମଧ୍ୟ ମାଗିଥିଲେ । ଏଭଳି ସେ ପ୍ରାୟ ୬ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଛନ୍ତି । ଚାକିରି କଥା ପଚାରିଲେ, ଆଜି ନହେଲେ ଦୁଇ ବର୍ଷ ପରେ ମଧ୍ୟ ତୁମ ପୁଅ ଚାକିରି ପାଇବ ବୋଲି ମିଛ କହି ଠକି ଚାଲିଥିଲେ ।"
- FIR ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ୟ
ଏନେଇ କୁଞ୍ଜଲତା ଥାନାରେ ଏତଲା ଦେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଓଲଟା ସୁନୀଲକୁ ସାକ୍ଷୀ ଭାବେ ରଖାଗଲା ବୋଲି ଅଭିଯୋଗ କରାଯାଇଛି । ଅନ୍ୟ ଏକ ଘଟଣାରେ କାଶୀନାଥ ସରକାର ନାମକ ଜଣେ ବ୍ୟକ୍ତିଙ୍କ ଝିଅକୁ CGLରେ ଚାକିରି କରାଇ ଦେବାକୁ କହି ସୁନୀଲ୍ ୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଜଣେ ପ୍ରଶାସନିକ ଅଧିକାରୀଙ୍କ ସହ ଭଲ ସମ୍ପର୍କ ଥିବା କହି ତୁରନ୍ତ ଏହି ଚାକିରି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦେଢ ବର୍ଷ ବିତି ଯାଇଥିଲେ ମଧ୍ୟ ଚାକିରି ମିଳିନଥିବା ଅଭିଯୋଗକାରୀ କହିଛନ୍ତି ।
ଏହା ବି ପଢନ୍ତୁ... |