ଯାଜପୁର:ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ହିତାଧିକାରୀ ତାଲିକାରୁ ନାଁ ବାଦ୍ ଦିଆଯାଇଛି । ଫଳରେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ଜଣେ ବୃଦ୍ଧା । ରାଜ୍ୟ ସରକାରଙ୍କ ପକ୍ଷରୁ ବୃଦ୍ଧ ଓ ବୃଦ୍ଧାଙ୍କୁ ସହଯୋଗ କରିବା ପାଇଁ ଭତ୍ତା ପ୍ରଦାନ କରାଯାଉଛି l ହେଲେ ଏହା କ'ଣ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚୁଛି କି ? କିଛି ଅସାଧୁ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ପାଇଁ ଯୋଜନାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ଯାହାର ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକର ମାଳତୀ ସେଠୀଙ୍କ କ୍ଷେତ୍ରରେ ।
ଜୀବିତଙ୍କୁ ଦର୍ଶାଗଲା ମୃତ:
ଅନେକ ସମୟରେ ଭତ୍ତା ପାଇଁ ବୃଦ୍ଧ ଓ ବୃଦ୍ଧାମାନେ ବ୍ଲକକୁ ଧାଇଁ ଧାଇଁ ନୟାନ୍ତ ହେଉଛନ୍ତି । ବହୁ କଷ୍ଟପରେ ଭତ୍ତା ପାଇଁ ଯଦିଓ ବ୍ୟବସ୍ଥା ହୋଇଯାଉଛି, କିନ୍ତୁ ଅସାଧୁ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁ ବଞ୍ଚିତ ହେଉଛନ୍ତି ବୃଦ୍ଧା ଓ ବୃଦ୍ଧମାନେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ କରଦା ପଞ୍ଚାୟତର ରାଣୀଗୋଡ଼ା ଗାଁରେ l ଏହି ଗାଁରେ ତିନି ପୁଅ ବୋହୂଙ୍କୁ ନେଇ ବସବାସ କରନ୍ତି ବୃଦ୍ଧା ମାଳତୀ ସେଠି l ମାଳତୀ ଏବେ ପକ୍ଷାଘାତ ରୋଗରେ ପୀଡିତ । ହେଲେ ମୃତ୍ୟୁ ହୋଇଯାଇଥିବା ନେଇ ସରପଞ୍ଚ ଭୁଲ ରିପୋର୍ଟ ଦେବା ଯୋଗୁ ଆଜି ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ମାଳତୀ ।
ବିଧାୟକ ଓ ବିଡିଓଙ୍କୁ ଅଭିଯୋଗ:
ରାଣୀଗୋଡା ଗାଁର ସ୍ବର୍ଗତଃ ବାବାଜୀ ସେଠୀଙ୍କ ପତ୍ନୀ ହେଉଛନ୍ତି ମାଳତୀ ସେଠୀ l ବୟସ ପାଖାପାଖି 78 ବର୍ଷ ହେବ । ସେ କେନ୍ଦ୍ର ସରକାରଙ୍କ ଏନଏସପି ଯୋଜନା ମାଧ୍ୟମରେ ମାସକୁ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ l ତାଙ୍କ କ୍ରମିକ ନଂ-ଓଆରଏସ 04068823 l କିନ୍ତୁ ଅଚାନକ ଗତ ଦୁଇମାସ ହେବ ହଠାତ ଟଙ୍କା ବ୍ୟାଙ୍କ ଖାତାକୁ ଆସିବା ବନ୍ଦ ହୋଇଗଲା l ଏହି କଥା ତାଙ୍କ ପୁଅ ଦୟାନିଧି ସେଠୀ ଜାଣିବା ପରେ ପ୍ରଥମେ ପଞ୍ଚାୟତ ଓ ପରବର୍ତ୍ତୀ ସମୟରେ ବ୍ଲକ କାର୍ଯ୍ୟାଳୟକୁ ଭତ୍ତା ଟଙ୍କା ନଆସିବା ପଛର କାରଣ ଜାଣିବାକୁ ଯାଇଥିଲେ l ଏଥିସହିତ ବିଭାଗକୁ ପଚାରିବାରୁ ସେ ଜାଣିବାକୁ ପାଇଥିଲେ ଯେ, ସ୍ଥାନୀୟ ସରପଞ୍ଚ ଓ ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ତାଙ୍କ ମା'ଙ୍କର ମୃତ୍ୟୁ ହେବା ଦର୍ଶାଯାଇଛି । ଫଳରେ ପୋର୍ଟାଲରୁ ନାଁ କଟାଯାଇଛି । ଭତ୍ତା ପ୍ରଦାନ କରୁଥିବା ଅଧିକାରୀଙ୍କ ଠାରୁ ଏହି କଥା ଶୁଣିବା ପରେ ଦୟାନିଧି କୋରେଇ ବିଧାୟକ ଓ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ l
'ଭତ୍ତା ଦିଅ ସରକାର'