ବାଲେଶ୍ୱର:ସହରରେ ଗୋଷ୍ଠୀ ସଙ୍ଘର୍ଷକୁ ନେଇ ଦୁଇଦିନ ଧରି କର୍ଫ୍ୟୁ ବଳବତ୍ତର ରହିଛି। ଏହି କର୍ଫ୍ୟୁ ଅନିର୍ଦ୍ଦିଷ୍ଟ କାଳ ଯାଏ ରହିବା ନେଇ ଗତକାଲି ବାଲେଶ୍ବର ଏସପି ସୂଚନା ଦେବାପରେ ଆଜି ସନ୍ଧ୍ୟାରେ ବାଲେଶ୍ୱର ସ୍ଥିତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ଏବେ ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଥିବା ବେଳେ ସନ୍ଧ୍ୟାରେ ପୁଣି ସାଂପ୍ରତିକ ପରିସ୍ଥିତି ଉପରେ ଅନୁଧ୍ୟାନ କରାଯାଇ କର୍ଫ୍ୟୁ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି । ଏବେ ସୁଦ୍ଧା 34ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗିରଫ କରାଯାଇଛି ଏବଂ ଅନେକ ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ। ଏହାସହ କର୍ଫ୍ୟୁ ଯୋଗୁଁ ସାଧାରଣ ଲୋକମାନେ କେମିତି ଅତ୍ୟାବଶକୀୟ ସାମଗ୍ରୀ ପାଇବାରେ ଅସୁବିଧା ନଭୋଗିବେ ସେନେଇ ଚେଷ୍ଟା କରାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଜିଲ୍ଲାପାଳ।
ସୂଚନା ଯୋଗ୍ୟ ଯେ, ଗତକାଲି(ମଙ୍ଗଳବାର) ଅପରାହ୍ନରୁ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ହୋଇଛି । ବାଲେଶ୍ୱର ପୌରପାଳିକା ଅଞ୍ଚଳରେ ଦୁଇଦିନ ପାଇଁ କର୍ଫ୍ୟୁ ଲାଗୁ କରିଛି ପ୍ରଶାସନ । ଦୁଇ ଦିନ ପର୍ଯ୍ୟନ୍ତ ବଜାରରେ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଜରୁରୀକାଳୀନ ସେବାକୁ ଛାଡିଦେଲେ ସାଧାରଣ ଚଳ ପ୍ରଚଳ ଉପରେ ରୋକ ଲଗାଯାଇଛି । ଏବେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଲୋକମାନଙ୍କୁ ସହଯୋଗ କରିବା ସହ ଘରେ ରହିବା ପାଇଁ ଅନୁରୋଧ କରାଯାଇଛି । ଓଟି ରୋଡ଼କୁ ସଂଯୋଗ କରୁଥିବା ବିଭିନ୍ନ ପ୍ରବେଶ ପଥ ସିଲ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସେଣ୍ଟ୍ରାଲ ଆର୍ମ ଫୋର୍ସ ନିୟୋଜିତ କରାଯାଇଛି । ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।