ଓଡିଶା

odisha

ETV Bharat / state

କାଲି ଅନ୍ତର୍ଜାତୀୟ ଯୋଗ ଦିବସ, ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ - INTERNATIONAL YOGA DAY2024 - INTERNATIONAL YOGA DAY2024

CM Mohan majhi to participate in state level program: କାଲି ପୁରା ବିଶ୍ବ ପାଳିବ ଯୋଗ ଦିବସ । ଭୁବନେଶ୍ବରରେ କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକ ପଢନ୍ତୁ

ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ, ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ
ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ, ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ (ETV Bharat Odisha)

By ETV Bharat Odisha Team

Published : Jun 20, 2024, 10:06 AM IST

ଭୁବନେଶ୍ବର: ଚଳିତବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବ । ଏହିବର୍ଷ ଯୋଗ ଦିବସ ପାଳନର ଥିମ ବା ଅନୁଚିନ୍ତା ରହିଛି ‘ନିଜ ଓ ସମାଜ’ ପାଇଁ ଯୋଗ । ରାଜ୍ୟସ୍ତରୀୟ ଯୋଗ ଦିବସ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ । ମୁଖ୍ୟ କର୍ଯ୍ୟକ୍ରମକୁ ବାଦ ଦେବା ପରେ ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ମଧ୍ୟ ଅଂଶଗ୍ରହଣ କରିବେ ।

ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ, ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ (ETV Bharat Odisha)

ସକାଳ ୬ରୁ ୭ ମଧ୍ୟରେ ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମ ସ୍ଥଳରେ ସମବେତ ହେବେ । ସମାରୋହର ଶୁଭାରମ୍ଭ ସହିତ ଅତିଥିମାନେ ଯୋଗ ଦିବସ ପରିପ୍ରେକ୍ଷୀରେ ନିଜର ବକ୍ତବ୍ୟ ପ୍ରଦାନ କରିବେ । ସକାଳ ୭ଟାରେ ୧ ମିନିଟ ପ୍ରାର୍ଥନା କରାଯିବ । ୭ଟା ୧ରୁ ୭.୩୨ ମିନିଟ ପର୍ଯ୍ୟନ୍ତ ଯୋଗ ପ୍ରଶିକ୍ଷକଙ୍କ ଦ୍ୱାରା ଯୋଗ ଅଧିବେଶନ ଅନୁଷ୍ଠିତ ହେବ । ୭.୩୨ରୁ ୭.୪୪ ପର୍ଯ୍ୟନ୍ତ କ୍ରିୟା, ପ୍ରାଣାୟମ, ଧ୍ୟାନ, ସଂକଳ୍ପ ଅନୁଷ୍ଠିତ ହେବ । ପରେ ପରେ ଶାନ୍ତିମନ୍ତ୍ର ଓ ଶପଥପାଠ ଅନୁଷ୍ଠିତ ହେବ । ସକାଳ ୬ରୁ ୮ଟା ମଧ୍ୟରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ସମ୍ପର୍କରେ ମାର୍ଗଦର୍ଶିକା ଜାରି କରାଯାଇଛି ।

କାର୍ଯ୍ୟକ୍ରମର ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଉଚ୍ଚଶିକ୍ଷା ବିଭାଗ କମିଶନର ଅରବିନ୍ଦ ଅଗ୍ରୱାଲ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ, ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ, କ୍ରୀଡା ଓ ଯୁବ ସେବା ବିଭାଗ ସଚିବ ଆର. ଭିନୀଲ କ୍ରୀଷ୍ଣା, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡ. ବୃନ୍ଦା ଡି. ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ଜିଲ୍ଲାପାଳ, ସମସ୍ତ ମହାନଗର ନିଗମର କମିଶନରମାନେ ଭିସି ଜରିଆରେ ବୈଠକରେ ଯୋଗ ଦେଇଛନ୍ତି ।

ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସେହିପରି କଟକର ଜବହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ମଧ୍ୟ ଏହି ଦିବସ ଅନୁଷ୍ଠିତ ହେବ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଯୋଗ ଦିବସ ବିଜ୍ଞାପିତ ଅଞ୍ଚଳ ଓ ବ୍ଲକସ୍ତରରେ ସମ୍ପୃକ୍ତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ବିଭିନ୍ନ ମେଡିକାଲ କଲେଜ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ, ସମସ୍ତ ବ୍ଲକ ଓ ଏନଏସିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ଉପଯୋଗିତା ସଂପର୍କରେ ଜାଣିବା । ଏହାକୁ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ସଂକଳ୍ପ ନେବା । ସୁସ୍ଥ ଜୀବନଶୈଳୀ ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଜନ ସାଧାରଣଙ୍କୁ ଉତ୍ସାହିତ କରିବା ଚଳିତ ଯୋଗ ଦିବସ ପାଳନର ଉଦ୍ଦେଶ୍ୟ ରହିଛି । ଏ ବର୍ଷ ଯୋଗ ଦିବସ ରାଜ୍ୟରେ ବିଭିନ୍ନ ଅନୁଷ୍ଠାନ, ବ୍ଲକ, ଜିଲ୍ଲା, ସ୍କୁଲ, କଲେଜ, ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ରାଜ୍ୟ ସ୍ତରରେ ଅନୁଷ୍ଠିତ ହେବ । ବ୍ୟକ୍ତି ବିଶେଷ, ଛାତ୍ରଛାତ୍ରୀ, ଯୁବ ବର୍ଗ, ମହିଳା, ସରକାରୀ ପଦାଧିକାରୀ, ସାଧାରଣ ଜନତା ଅଂଶଗ୍ରହଣ କରିବେ ।

ଏହା ମଧ୍ୟ ପଢନ୍ତୁ:- ତାମିଲନାଡୁରେ ବିଷାକ୍ତ ମଦ ପିଇ ୧୦ ମୃତ, ୨୦ରୁ ଉର୍ଦ୍ଧ୍ବ ଗୁରୁତର - Illicit Liquor Death

କୋଣାର୍କରେ “ସୂର୍ଯ୍ୟ ନମସ୍କାର” ଯୋଗାସନ କରାଯିବ । ସେହିପରି ପୁରୀ ସମୁଦ୍ର କୂଳ ଓ ବଡ଼ଦାଣ୍ଡ ପରିକ୍ରମା ପ୍ରକଳ୍ପ ନିକଟରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଯୋଗାଯୋଗ ରଖାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହିତ ଯୋଗାଯୋଗ ରଖାଯାଇଛି । ଯେଉଁ ଜିଲ୍ଲା ଚାହିଁବେ, ସଦରମହକୁମାରେ ଏକାଧିକ ସ୍ଥାନରେ କାର୍ଯ୍ୟକ୍ରମ କରିପାରିବେ । ଯୋଗ କରିବା ପାଇଁ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଏକ ଯୋଗ ପ୍ରଶିକ୍ଷଣ ସଂପର୍କିତ ଭିଡିଓ ପ୍ରସ୍ତୁତ କରାଯାଇଛି । ଗର୍ଭବତୀ ମହିଳା ଓ ରକ୍ତଚାପ ରହୁଥିବା ବ୍ୟକ୍ତି ଅନ୍ୟାନ୍ୟ ସମସ୍ୟା ରହୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଡାକ୍ତରକୁ ପଚାରି ଯୋଗରେ ସାମିଲ ହେବାକୁ ଉନ୍ନୟନ କମିଶନର ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details