କେନ୍ଦୁଝର/ ଯାଜପୁର/ଅନୁଗୋଳ/ ବୌଦ୍ଧ:ସୁସ୍ଥ ଓ ନିରାୟମ ଜୀବନର ମୂଳମନ୍ତ୍ର ହେଉଛି ଯୋଗ । ସ୍ବାସ୍ଥ୍ୟ ଭଲ ରହିଲେ ସୁସ୍ଥ ଜୀବନ ପ୍ରାପ୍ତ ହେବ । ମାନସିକ, ଶାରୀରିକ ଓ ସାମାଜିକ ସୁସ୍ଥତା ପାଇଁ ଯୋଗର ମହତ୍ତ୍ବ ରହିଛି । ମଣିଷର ମନ ସହ ଶରୀରର ମିଳନର ଏକମାତ୍ର ମାଧ୍ୟମ ହେଉଛି ଯୋଗ । ଯୋଗ ଅଭ୍ୟାସ କରିବା ଦ୍ବାରା ମନ ଶାନ୍ତ ରହେ ଏବଂ ଶରୀରକୁ ଶକ୍ତି ମିଳେ । ସମଗ୍ର ବିଶ୍ବରେ ଯୋଗର ଉପାଦେୟତାକୁ ନେଇ ପ୍ରତିବର୍ଷ ଜୁନ ୨୧ ତାରିଖକୁ ବିଶ୍ବବ୍ୟାପୀ ଯୋଗ ଦିବସ ଭାବେ ପାଳନ କରାଯାଉଛି ।
Odisha celebrates Yoga Day 2024 (ETV Bharat Odisha) ସାରା ବିଶ୍ବ ଆଜି ଯୋଗମୁଦ୍ରାରେ । ରାଜ୍ୟରେ ମଧ୍ୟ ରାଜ୍ୟ ସ୍ତରୀୟ, ଜିଲ୍ଲା ସ୍ତର ଓ ବ୍ଲକ ସ୍ତରରେ ଯୋଗ ଦିବସ ପାଳନ କରାଯାଇଛି । ସୁସ୍ଥ ନିରାମୟ ଜୀବନ ପାଇଁ ଯୋଗ ଦିବସରେ ସାମିଲ ହୋଇଛନ୍ତି ନେତା, ପ୍ରଶାସକ ଓ ଜନତା । କେନ୍ଦୁଝର ସହରର ସ୍ଥାନୀୟ ହ୍ୟାଣ୍ଡବଲ ପଡିଆରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ନାୟକ ସାମିଲ ହୋଇ ଯୋଗ ଦ୍ଵାରା ମନ ସ୍ଥିର ରହିବା ସହ ସବୁଦିନେ ଯୋଗ କରିବା ଦ୍ୱାରା ସୁସ୍ଥ ନିରାମୟ ଦୀର୍ଘାୟୁ ଜୀବନଯାପନ କରିହେବ ବୋଲି ପ୍ରକାଶ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକର ଦଗଡୁ, ଡିଏଫ୍ଓ ଏଚ ଡି ଧନରାଜ୍, ଜିଲ୍ଲା ପରିଷଦ ସିଇଓ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁଙ୍କ ସହ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଯୋଗ କରିଥିଲେ । ଏହି ଯୋଗ ଦିବସରେ ଯୋଗ ପ୍ରଶିକ୍ଷକ ୨୮ରୁ ଉର୍ଦ୍ଧ୍ୱ ପ୍ରକାରର ଯୋଗଭ୍ୟାସ କରିଥିବା ବେଳେ ଏକ ହଜାରରୁ ଉର୍ଦ୍ଧ୍ୱ ସହରବାସୀ ସାମିଲ ହୋଇ ଯୋଗ କରିଥିଲେ ।
ଏହାମଧ୍ୟ ପଢନ୍ତୁ.. ସୁସ୍ଥତାର ମନ୍ତ୍ର ଯୋଗ; କେଉଁ ବୟସରେ ଏବଂ କେମିତି କରିବେ ଯୋଗାଭ୍ୟାସ ? କଣ କୁହନ୍ତି ଯୋଗ ଗୁରୁ... - WORLD YOGA DAY 2024
ସେହିଭଳି ଯାଜପୁରରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଛି । ଜିଲ୍ଲାର ବ୍ୟାସନଗର ସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମରେ କୋରେଇ ବ୍ଲକ ଓ ପୌର ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ପାଳିତ ହେଇଯାଇଛି । ଏହି ପରିପେକ୍ଷରେ କୋରେଇ ବ୍ଲକ ବିଡ଼ିଓ ଅଶୋକ କୁମାର ମାଝୀ ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ ଏକ ମଣିଷ ସୁସ୍ଥ ଜୀବନ ବିତାଇବା ପାଇଁ ଯୋଗର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର କ୍ରୀଡ଼ାବିତ ଓ ବୃଦ୍ଧିଜୀବୀ ଯୋଗଦେଇ ଯୋଗ କରିଥିଲେ ।
ସେହିପରି ବ୍ୟାସନଗର କଲେଜ ପକ୍ଷରୁ କଲେଜ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହେଇଯାଇଛି । ଆଜି କଲେଜର ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ବିବେଦୀ ନେତୃତ୍ୱରେ ଏହି ଯୋଗ ଦିବସ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଧାୟକ ଆକାଶ ଦାସନାୟକଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ସାମିଲ ହେଇଥିଲେ l ବିଂଝାରପୁର, ଦଶରଥପୁର, ଯାଜପୁର, ସୁକିନ୍ଦା, ଦାନ ଗଦି, ବଡ଼ଚଣା, କୋରେଇ ଓ ବରୀ ରସୁଲପୁର, ଧର୍ମଶାଳା ବ୍ଲକ ସମେତ ଯାଜପୁର ଟାଉନ ଓ ବ୍ୟାସନଗର ପୌର ପରିଷଦରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗ ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି l
ଅନ୍ୟପଟେ ଅନୁଗୋଳ ଇଣ୍ଡୋର ଷ୍ଟାଡିଅମ୍ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ ସାମିଲ ହୋଇ ଯୋଗର ମହତ୍ୱ ସମ୍ପର୍କରେ ନିଜର ମତ ଦେଇଥିଲେ । ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତର, ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ସରକାରୀ ଅଧିକାରୀମାନେ ମଧ୍ୟ ସାମିଲ ହୋଇ ଯୋଗ କରିଥିଲେ ।
ବୌଦ୍ଧରେ ମଧ୍ୟ ପାଳନ ହୋଇଯାଇଛି ଅନ୍ତର୍ଜାତୀୟ ଯୋଗ ଦିବସ । ଜିଲ୍ଲାର ସଦରମହକୁମା ଟାଉନ୍ ହଲ୍ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର ଯୋଗ କାର୍ଯ୍ୟକ୍ରମରେ ଅତିଥି ରୂପେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କ ସମେତ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ତଥା ଶତାଧିକ ନାଗରିକ ଯୋଗ ଦେଇ ଯୋଗାସନ ଓ ପ୍ରାଣାୟାମ କରିଥିଲେ । ସୁସ୍ଥ ଶରୀର ସହିତ ସୁସ୍ଥ ମାନସିକ ପାଇଁ ଯୋଗାଭ୍ୟାସର ଏକାନ୍ତ ଜରୁରୀ ଥିବା ବେଳେ ପ୍ରତ୍ୟେକ ଦିନ ଯୋଗ କରିବା ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ ।
ଇଟିଭି ଭାରତ, କେନ୍ଦୁଝର/ ଯାଜପୁର/ଅନୁଗୋଳ/ ବୌଦ୍ଧ