କୋରାପୁଟ:କେରେଙ୍ଗ ବୃକ୍ଷର ଛାଲିରୁ ପ୍ରସ୍ତୁତ ହେଉଥିବା କେରେଙ୍ଗ ବସ୍ତ୍ରକୁ ନୂଆ ପରିଚୟ ଦେବାକୁ ଆରମ୍ଭ ହୋଇଛି ପ୍ରୟାସ । ଗଦବା ଜନଜାତିର ଲୁପ୍ତ ପ୍ରାୟ କେରେଙ୍ଗ ବସ୍ତ୍ର ଓ ତନ୍ତକୁ ପୁନଃଜୀବିତ କରିବା ପାଇଁ ଇନ୍ଟାକ, କୋଟସ ଓ କୋରାପୁଟ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜାରି ରହିଛି ପ୍ରକଳ୍ପ କାର୍ଯ୍ୟ । ଏହାରି ମଧ୍ୟରେ ଗୁରୁବାର ଦିନ ଇନଟାକ୍ର ରାଜ୍ୟ କର୍ମକର୍ତ୍ତା ରାଇପାଡୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ । ନିକଟରେ ନୂତନ ଭାବେ ବସ୍ତ୍ର ବୁଣା ଆରମ୍ଭ କରିଥିବା ଯୋଗୁଁ ଲମତାପୁଟର ରାଇପଡା ଗ୍ରାମର ମହିଳା ଓ ପୁରୁଷ ବୁଣାକାରଙ୍କୁ କୋରାପୁଟ ସ୍ଥିତ ଆଦିବାସୀ ଗବେଷଣା କେନ୍ଦ୍ର କୋଟସ ଦ୍ୱାରା ସମ୍ମାନିତ କରାଯାଇଥିଲା ।
ରାଜ୍ୟ ଇନଟାକ୍ ଶାଖାର ସଦସ୍ୟ ତଥା ବିଶିଷ୍ଟ ଗବେଷକ ଅନୀଲ ଧୀର କହିଛନ୍ତି, ''କେରେଙ୍ଗ ବସ୍ତ୍ରକୁ ପୁନଃଜୀବିତ କରିବା ପାଇଁ ଆରମ୍ଭ ହୋଇଥିବା ମିଳିତ ଅଭିନବ ପ୍ରକଳ୍ପ ସଫଳତା ହାସଲ କରିଛି । କେରାଙ୍ଗ ବସ୍ତ୍ରର 6ଟି ପେୟାର ଆମ ପାଖକୁ ଆସିଛି । ଆଗକୁ କେରାଙ୍ଗ ପାଇଁ ଜିଆଇ ଟ୍ୟାଗ ମାନ୍ୟତା ଲାଗି ଆବେଦନ କରାଯିବ । ଏହାକୁ ଆରାମରେ ଜିଆଇ ଟ୍ୟାଗ ସହଜରେ ମିଳିବ । ଏହାର କପଡାର ରଙ୍ଗରୁ ଆହୁରି ଗାଢ ଓ କୋମଳ କଲେ କେରାଙ୍ଗ ବସ୍ତ୍ରର ଉନ୍ନତି ହେବ । ''
ଇନଟାକ୍ର ବରିଷ୍ଠ ସଦସ୍ୟ ସଞ୍ଜୀବ ହୋତା କହିଛନ୍ତି, ''କେରେଙ୍ଗ ବସ୍ତ୍ରକୁ ପୁନରୁଦ୍ଧାର କରିବା ପାଇଁ ଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଛି । କେରେଙ୍ଗ ବୃକ୍ଷ ରୋପଣ ତଥା ପ୍ରାକୃତିକ ରଙ୍ଗ ପ୍ରଦାନ କରିଥିବା ଜାଫରା ଗଛ, ସିନ୍ଦୁର, ସିଉନା ବୃକ୍ଷ ପ୍ରଭୃତିର ବ୍ୟାପକ ପ୍ରସାର ପାଇଁ ଗଦବା ଜନଜାତି ମଧ୍ୟରେ ଇଚ୍ଛାଶକ୍ତିର ପୁନଃ ପ୍ରତିଷ୍ଠା କରାଯାଉଛି । ଫଳ ସ୍ୱରୂପ ବହୁ ଦିନ ପରେ ଗଦବା ଜନଜାତିର ବୁଣାକାର ପାରମ୍ପରିକ ତନ୍ତକୁ ବ୍ୟବହାର କରି ଚାରୋଟି ନୂତନ ବସ୍ତ୍ର ବୁଣିପାରିଛନ୍ତି । କେରେଙ୍ଗ ବସ୍ତ୍ର ବୟନର ପରିମାଣ ବିଗତ ଦିନ ଗୁଡିକରେ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସାମୁହିକ ପ୍ରୟାସରେ ଏହା ଗଦବା ଜନଜାତି ପାଇଁ ଆୟର ପନ୍ଥା ଖୋଲିଦେଵ । ''
ଇନଟାକ୍ ରାଜ୍ୟ ଶାଖାର ଆବାହକ ତଥା ଅବସରପ୍ରାପ୍ତ ପୋଲିସ ମହାନିର୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ କହିଛନ୍ତି, '' କିଛିଦିନ ପୂର୍ବେ ଇନଟାକ୍ ଓଡ଼ିଶା ରାଜ୍ୟ ଶାଖାର ବରିଷ୍ଠ କର୍ମକର୍ତ୍ତା, କୋରାପୁଟ ଜିଲ୍ଲା ପ୍ରଶାସନର ଓରମାସ, ହସ୍ତତନ୍ତ ବିଭାଗ ଓ ଆଇଟିଡିଏର ବରିଷ୍ଠ ଅଧିକାରୀ କାଙ୍ଗରାପଡା, ଗୋଡ଼ିହଞ୍ଜର, ସୁଏଲପଡା ଓ ରାଇପଡାରେ ଗଦବା ଜନଜାତିର ମହିଳା ଓ ପୁରୁଷଙ୍କ ସହିତ ଆଲୋଚନା କରିଥିଲେ। କୋରାପୁଟ ଜିଲ୍ଲାର ବିଶେଷ କରି ପଟ୍ଟାଙ୍ଗି, ନନ୍ଦପୁର ଓ ଲମତାପୁଟ ବ୍ଲକରେ ରହୁଥିବା ଗଦବା ଜନଜାତିର ଲୋକେ ଦୀର୍ଘ ବର୍ଷ ହେବ କେରେଙ୍ଗ ଗଛର ଛାଲିରୁ ପ୍ରସ୍ତୁତ ସୂତାରେ ବସ୍ତ୍ର ବୁଣି ପରିଧାନ କରିଥାନ୍ତି । ଗତ କିଛି ବର୍ଷ ହେବେ ସେମାନଙ୍କ ପାଖରେ ଏହି ପାରମ୍ପରିକ ବସ୍ତ୍ର ଓ ଏହାକୁ ବୁଣିବା ପାଇଁ ବ୍ୟବହାର କରାଯାଉଥିବା ତନ୍ତର ବ୍ୟବହାର କମି ଯାଇଥିଲା । ଯାହା ଫଳରେ ରାଇପଡାର ମହିଳା ବୁଣାକାରଙ୍କୁ ସହାୟତା ପ୍ରଦାନ କରାଯାଇ ଏହି ବିରଳ ଐତିହ୍ୟକୁ ସୁରକ୍ଷା ପ୍ରଦାନ କରାଯାଇଛି । ''