ହାଇଦ୍ରାବାଦ: ଦେଶ ପାଳିବ 78 ତମ ସ୍ବାଧୀନତା ଦିବସ । ଏଥି ପାଇଁ ସବୁଠି ଚାଲିଛି ପ୍ରସ୍ତୁତି । 1947 ମସିହାରେ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ଏହାକୁ ମନେ ପକାଇ ପ୍ରତିବର୍ଷ ଅଗଷ୍ଟ 15 ତାରିଖରେ ଦେଶ ପାଳୁଛି ସ୍ବାଧୀନତା ଦିବସ । ଦେଶକୁ ଗୋରା ସରକାର କବଳରୁ ରକ୍ଷା କରିବାକୁ ଅନେକ ବୀରପୁତ୍ର ଦେଇଥିଲେ ନିଜ ପ୍ରାଣବଳୀ । ଆଉ ସେହି ବୀର ପୁତ୍ରଙ୍କ ତ୍ୟାଗ ଓ ବଳିଦାନ ଆଜି ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ । ଦେଶକୁ ସ୍ବାଧୀନତା ଦେବାରେ ହୋଇଥିବା ଅନେକ ଆନ୍ଦୋଳନରେ ଓଡ଼ିଆ ମାଟିର ପୁଅଙ୍କ ଯୋଗଦାନ ମହତ୍ବପୂର୍ଣ୍ଣ ଥିଲା । ସ୍ବାଧୀନତା ଦିବସ ପୂର୍ବରୁ ଜାଣି ନିଅନ୍ତୁ ଓଡ଼ିଶାର କିଛି ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ । ଯାହାଙ୍କ ବଳିଦାନରେ ଦେଶ ପରାଧିନତାରୁ ମୁକୁଳିଥିଲା ।
ଜୟୀ ରାଜଗୁରୁ:
ଓଡିଶା ସ୍ବାଧୀନତା ସଂଗ୍ରାମର ଅନ୍ୟତମ ବିନ୍ଧାଣି ସିପାହୀ ହେଉଛନ୍ତି ଜୟୀ ରାଜଗୁରୁ । ଯାହାଙ୍କ ନାମ ଶୁଣିଲେ ଥରୁଥିଲେ ଗୋରା ସରକାର । ବ୍ରିଟିଶର ମାନେ 1803 ମସିହାରେ ଓଡିଶା ଦଖଲ କରିଥିଲେ ଏବଂ ଗୋଟିଏ ବର୍ଷ ପରେ, ବିଦେଶୀଙ୍କ ବିରୁଦ୍ଧରେ ପ୍ରଥମ ବିଦ୍ରୋହର ସ୍ବର ଉଠିଥିଲା । ଗଜପତି ମୁକୁନ୍ଦ ଦେବ-2ଙ୍କ ସମୟରେ 1805 ଜାନୁଆରୀରେ ଖୋର୍ଦ୍ଧା ଗଡ ଉପରେ ଆକ୍ରମଣ କରିଥିଲେ ଗୋରା ସାହେବ । ସେହି ସମୟରେ ରାଜଗୁରୁଙ୍କୁ ବନ୍ଦୀ କରାଯାଇଥିଲା । ମେଦିନାପୁର ବାଗୀତୋଟାରେ ବରଗଛରେ ଜୟୀ ରାଜଗୁରୁଙ୍କୁ ବାନ୍ଧୀ ନୃଶଂସ ଭାବରେ ହତ୍ୟା କରିଥିଲେ ଇଂରେଜମାନେ । ଏହାପରେ ସେ ହୋଇଯାଇଥିଲେ ଓଡିଶାର ପ୍ରଥମ ଶହୀଦ ସ୍ବାଧିନତା ସଂଗ୍ରାମୀ ।
ବକ୍ସି ଜଗବନ୍ଧୁ:
ଭାରତ ସ୍ବାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା ଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାଏ ମହାପାତ୍ର । ସେଥିଲେ ଓଡିଶାର ପ୍ରଥମ ସ୍ବାଧୀନତା ସଂଗ୍ରାମୀ ଓ ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ଯୋଦ୍ଧା । ବ୍ରିଟିଶ ବିରୋଧରେ ସେ ଦେଇଥିଲେ ରଣହୁଙ୍କାର । ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ ସେ । 1857ର ସିପାହୀ ବିଦ୍ରୋହର ବହୁ ପୂର୍ବରୁ ଵ୍ରିଟିଶ ଶାସନ ଵିରୋଧରେ ଆରମ୍ଭ ହୋଇଥିଵା ଖୋର୍ଦ୍ଧାର ଏହି ପାଇକ ଵିଦ୍ରୋହର ନାୟକ ଵକ୍ସି ଜଗଵନ୍ଧୁ ମାତ୍ର 4 ଶହ କନ୍ଧ ସୈନିକଙ୍କ ସହାୟତାରେ ଵାଣପୁର ଓ ଘୁମୁସରରୁ ଵ୍ରିଟିଶ ସୈନ୍ୟଙ୍କୁ ତଡି ଦେଇଥିଲେ । ଆନ୍ଦୋଳନ ଜୋରଦାର ହେବାରୁ ହଠାତ୍ ପାଇକ ବିଦ୍ରୋହ ହେବାରୁ ଇଂରେଜ କର୍ତ୍ତୃପକ୍ଷ ବିବ୍ରତ ହୋଇ ପଡ଼ିଲେ । ପାଇକମାନେ ବାଣପୁର ଓ ଖୋର୍ଦ୍ଧାରେ ଥିବା ସବୁ ସରକାରୀ ଅଫିସ୍ ଭାଙ୍ଗି ଦେଲେ, ଖଜଣାଖାନା ଲୁଟ୍ କଲେ । ପାଇକମାନଙ୍କ ସାଙ୍ଗରେ ଇଂରେଜ ସୈନ୍ୟଙ୍କର ଗଙ୍ଗପଡ଼ା, ବାଳକାଟି, ପିପିଲି ଇତ୍ୟାଦି ସ୍ଥାନମାନଙ୍କରେ ସଂଘର୍ଷ ହୋଇଥିଲା । ତଦ୍ଦ୍ୱାରା ପାଇକମାନଙ୍କର ଗତିରୋଧ ହୋଇ ପାରିଲା ନାହଁ । ପାଇକମାନେ ପୁରୀ ଆଡ଼କୁ ଅଗ୍ରସର ହେଲେ । ପୁରୀରେ ପାଇକମାନେ ଇଂରେଜ ସୈନ୍ୟଙ୍କ ପ୍ରତିରୋଧ କରି ପାରିଲେ ନାହଁ । ଇଂରେଜମାନେ ରାଜା ମୁକୁନ୍ଦ ଦେବଙ୍କୁ ବନ୍ଦୀ କରି କଟକ ଆଣିଲେ । ୧୮୧୭ ମସିହା ଏପି୍ରଲ ମାସ ୧୨ ତାରିଖରେ ସାମରିକ ଆଇନ ପ୍ରବର୍ତ୍ତନ କରାଗଲା । କ୍ରମେ ସେ ଆଇନ ପୁରୀ ଓ ପିପିଲିରେ ପ୍ରବର୍ତ୍ତନ କରାଗଲା । ସେହିବର୍ଷ ଅକ୍ଟୋବର ମାସ ଶେଷ ବେଳକୁ ଇଂରେଜମାନେ ବିଦ୍ରୋହକୁ ସମ୍ପୂର୍ଣ୍ଣ ଭାବରେ ଦମନ କରି ଦେଇଥିଲେ । କିନ୍ତୁ ଇଂରେଜ କର୍ତ୍ତୃପକ୍ଷ ଶାନ୍ତିରେ ନିଃଶ୍ୱାସ ମାରି ପାରିଲେ ନାହଁ । କାରଣ ଜଗବନ୍ଧୁ ବିଦ୍ୟାଧର, କୃଷ୍ଣଚନ୍ଦ୍ର ଭ୍ରମରବର ଓ ସେମାନଙ୍କ ଅନୁଚରମାନେ ଜଙ୍ଗଲରେ ଆତ୍ମଗୋପନ କରି ରହିଲେ । ପୁଣି କେତେବେଳେ ବିଦ୍ରୋହର ନିଆଁ ଜଳି ଉଠିବ ଏହି ଭୟରେ କତ୍ତର୍ପୃକ୍ଷ ସବୁବେଳେ ସତର୍କ ହୋଇ ରହିଥିଲେ । 1825 ମସିହାରେ ବ୍ରିଟିଶ ସେନା ନିକଟରେ ଵକ୍ସି ଜଗଵନ୍ଧୁ ନିଜକୁ ଆତ୍ମ ସମର୍ପଣ କରିଥିଲେ । 1829 ମସିହା ଜାନୁଆରୀ 24 ତାରିଖରେ ଇହଲୀଳା ତ୍ୟାଗ କରିଥିଲେ ବକ୍ସି ।
ଚାଖି ଖୁଣ୍ଟିଆ:
୧୮୫୭ ମସିହା ପ୍ରଥମ ସ୍ବାଧୀନତା ସଂଗ୍ରାମ ସିପାହୀ ବିଦ୍ରୋହର ପ୍ରମୁଖ ଭୂମିକା ନେଇଥିଥିଲେ ବିପ୍ଳବୀ ଚାଖି ଖୁଣ୍ଟିଆ ତଥା ଚନ୍ଦନ ହଜୁରୀ । ସେ ପୁରୀ ଜଗନ୍ନାଥ ମନ୍ଦିରକୁ ଆସୁଥିବା ନେପାଳୀ ଭକ୍ତମାନଙ୍କର ପଣ୍ଡା ଥିଲେ । ସିପାହୀ ବିଦ୍ରୋହ ବେଳେ ସେ ଉତ୍ତର-ପଶ୍ଚିମାଞ୍ଚଳର ହିନ୍ଦୁ ନେପାଳୀ ସୈନ୍ୟଙ୍କୁ ଇଂରେଜମାନଙ୍କ ବିପକ୍ଷରେ ଉତ୍ତେଜିତ କରିଥିଲେ । ପରେ ସେ ଧରାପଡ଼ି ବ୍ରିଟିଶମାନଙ୍କଦ୍ୱାରା ନିହତ ହୋଇଥିଲେ । ମହାନ୍ ବିପ୍ଳବୀ ଚାଖି ଖୁଣ୍ଟିଆ ୧୮୨୨ ମସିହା ଜାନୁଆରୀ ୨୨ ତାରିଖ ଶାମ୍ବ ଦଶମୀ ତିଥିରେ ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ଶ୍ରୀକ୍ଷେତ୍ରର ପରମ୍ପରା, କୁସ୍ତି ବା ମଲ୍ଲଯୋଦ୍ଧା ବିଦ୍ୟାରେ ନିଜକୁ ସାମିଲ କରି ସେଥିରେ ବେଶ୍ ସିଦ୍ଧହସ୍ତ ହୋଇଥିଲେ । ଉତ୍ତର ପ୍ରଦେଶ ଝାନ୍ସିର ରାଣୀ ଲକ୍ଷ୍ମୀବାଇ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ଚାଖି ଖୁଣ୍ଟିଆଙ୍କ ସାହାଯ୍ୟ ମାଗିଥିଲେ । ୧୮୫୭ ମସିହାରେ ଚାଖି ଖୁଣ୍ଟିଆ ରାଣୀ ଲକ୍ଷ୍ମୀବାଇଙ୍କ ସହ ଯୋଗଦେଇ ଇଂରେଜ ସରକାରଙ୍କ ବିରୋଧରେ ଲଢ଼େଇ କରିଥିଲେ । ସେହି ସମୟରେ ଥିବା ବିଭିନ୍ନ ପ୍ରସିଦ୍ଧ ସ୍ବାଧିନତା ସଂଗ୍ରାମୀ ତାନ୍ତିଆ ଟୋପେ ସହ ମିଶି ଇଂରେଜ ସରକାରଙ୍କ ବିରୋଧରେ ଜୋରଦାର ଲଢେ଼ଇ କରିଥିଲେ । ଚାଖି ଖୁଣ୍ଟିଆ ଛଦ୍ମବେଶ ଧାରଣ କରି ଇଂରେଜ ସରକାରର ପ୍ରତିଟି ଗତିବିଧି ଉପରେ ନଜର ରଖୁଥିଲେ । ୧୮୮୧ ମସିହା ନଭେମ୍ବର ୧୭ ତାରିଖରେ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କର ତିରୋଧାନ ଘଟିଥିଲା । ମହାନ୍ ବିପ୍ଳବୀ ଚାଖି ଖୁଣ୍ଟିଆ ବା ଚନ୍ଦନ ହଜୁରୀଙ୍କ ବୀରତ୍ବ ଇତିହାସରେ ବେଶ୍ ଚର୍ଚ୍ଚିତ ।
ସାରଳା ଦେବୀ:
ଓଡ଼ିଶାର ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ସରଳା ଦେବୀ ଥିଲେ ଅନ୍ୟତମ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ସହ ଲେଖିକା ମଧ୍ୟ ଥିଲେ । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଇଂରେଜ ସରକାର ଅଧୀନରେ ଥିବା ବେଳେ ଭାରତରେ, ନାରୀମାନଙ୍କର ସାମାଜିକ ଓ ରାଜନୈତିକ ଅଧିକାର ପାଇଁ ଆନ୍ଦୋଳନ ଦେଖା ଦେଇଥିଲା । ସେହି ସମୟରେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାରଳା ଦେବୀ ମଧ୍ୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ । 1921 ଅସହଯୋଗ ଆନ୍ଦୋଳନରେ ତାଙ୍କର ଭୂମିକା ମଧ୍ୟ ରହିଥିଲା । ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବିଧାୟିକା ହେଉଛନ୍ତି ସାରଳା ଦେବୀ । ସାରଳା ଦେବୀ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ସେ ପ୍ରଥମ ଓଡିଆ ମହିଳା ଯିଏକି ଭାରତୀୟ ଜାତୀୟ କଂଗ୍ରେସରେ ପ୍ରତିନିଧୀ ଭାବରେ ମନୋନୀତ ହୋଇଥିଲେ।
ସ୍ବାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏ:
ଭାରତର ତଥା ଓଡି଼ଶାର ଅନ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ବୀର ସୁରେନ୍ଦ୍ର ସାଏ । ସେ ଥିଲେ ଗରିଲା ଯୁଦ୍ଧରେ ପାରଙ୍ଗମ, ବିଚକ୍ଷଣ ବୁଦ୍ଧିର ଅଧିକାରୀ, ଚୌହାନ ରାଜବଂଶର ଦାୟାଦ । ତାଙ୍କ ନାଁ ଶୁଣିଲେ ମନେପଡେ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମର କାହାଣୀ । ତାଙ୍କ ଗର୍ଜନରେ ଥରହର ହୋଇ ଉଠିଥିଲା ଗୋରା ସରକାର । 1809 ମସିହା ଜାନୁଆରୀ 23 ତାରିଖରେ ଜନ୍ମ ଏହି ବୀରପୁତ୍ର ଇଂରେଜମାନଙ୍କ ବିରୁଦ୍ଧରେ ଦୀର୍ଘ 20 ବର୍ଷ ଧରି ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ କରିଥିଲେ । ଆଉ ଜୀବନର 37 ବର୍ଷ ଜେଲରେ ବିତେଇଥିଲେ । ଆଉ ସବୁଠାରୁ ବଡ଼ କଥା ହେଲା 1857ର ସିପାହୀ ବିଦ୍ରୋହ ପୂର୍ବରୁ ମାତ୍ର 18 ବର୍ଷ ବୟସରେ ସେ 1827 ମସିହାରୁ ଏହି ସମ୍ବଲପୁର ମାଟିରେ ଇଂରେଜ ମାନଙ୍କ ବିରୁଦ୍ଧରେ ଆରମ୍ଭ କରିଥିଲେ ଗରିଲା ଯୁଦ୍ଧ । ସେ 1827-1864 ମସିହା ଜାନୁଆରୀ 23 ତାରଖି ପର୍ଯ୍ୟନ୍ତ ଇଂରେଜଙ୍କ ବିରୋଧରେ ବିଦ୍ରୋହର ବହ୍ନିକୁ ପ୍ରଜ୍ଜ୍ୱଳତି କରି ରଖିଥିଲେ । ସୁରେନ୍ଦ୍ର ସାଏ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଓ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟରେ ୨୦ ବର୍ଷ ଇଂରେଜ ସରକାରଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବରେ ଲଢ଼େଇ କରିଥିଲେ । ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ, ବିଚକ୍ଷଣ ବୃଦ୍ଧି ଓ ଗୋଟି ଚାଳନା ଇଂରେଜ ସରକାରଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଥିଲା ।