ଭୁବନେଶ୍ବର:ପୂର୍ବତଟ ରେଳପଥ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଭୁବନେଶ୍ୱରର ରେଳବାଇ ଷ୍ଟାଡିୟମଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଜାତୀୟ ପତାକା ଉତ୍ତୋଳନ କରି ରେଳ ସୁରକ୍ଷା ବଳ (ଆରପିଏଫ), ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍, ସିଭିଲ ଡିଫେନ୍ସ ଏବଂ ସ୍କୁଲ ପିଲାମାନଙ୍କ ଦ୍ୱାରା ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରେଳ କର୍ମଚାରୀଙ୍କ ପିଲାମାନଙ୍କ ଦ୍ୱାରା ଦେଶପ୍ରମ ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
'ଭାରତୀୟ ରେଳବାଇର ପୂର୍ବତଟ ରେଳପଥ ଗୁରୁତ୍ୱପୂର୍ଣ୍ଣ'
ରେଳ କର୍ମଚାରୀ ଓ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି, "ସ୍ୱାଧୀନତା ପରେ ୭୮ ବର୍ଷର ଯାତ୍ରାର ମହତ୍ତ୍କୁ ସମସ୍ତେ ବୁଝିଛନ୍ତି । ଭାରତର ପ୍ରଗତିକୁ ପ୍ରଭାବିତ କରି ସ୍ଥିରତା, ନିଷ୍ଠା ଏବଂ ଦୃଢତାର ସହିତ ଆଗକୁ ବଢି ଚାଲିଛି । ଜାତୀୟ ବିକାଶରେ ଭାରତୀୟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ପୂର୍ବତଟ ରେଳପଥ। ଏହା ପ୍ରକୃତରେ 'ଦେଶର ଜୀବନ ରେଖା' ଭାବରେ କାର୍ଯ୍ୟ କରୁଛି ।"
'ପୂର୍ବତଟ ରେଳପଥ ଭାରତର ସର୍ବାଧିକ ପଣ୍ୟ ବୋଝେଇ ଜୋନ୍'
"ପୂର୍ବତଟ ରେଳପଥ କ୍ରମାଗତ ଭାବେ ୭ ବର୍ଷ ଧରି ଭାରତୀୟ ରେଳବାଇରେ ସର୍ବାଧିକ ପଣ୍ୟ ବୋଝେଇ ଜୋନ୍ ରହିଆସିଛି । ୨୫୦ ନିୟୁତ ଟନ ମାଇଲଖୁଣ୍ଟ ଅତିକ୍ରମ କରିଥିବା ଏକମାତ୍ର ଜୋନ୍ ଭାବେ ନିଜକୁ ପ୍ରତିପାଦନ କରିପାରିଛି ପୂର୍ବତଟ। ୨୦୨୩-୨୪ ଆର୍ଥିକ ବର୍ଷରେ, ପୂର୍ବତଟ ରେଳପଥ ୨୫୬.୨୨ ନିୟୁତ ଟନର ପଣ୍ୟ ବୋଝେଇ କରି ପୂର୍ବ ବର୍ଷର ଲୋଡିଂ ୨୪୧.୫୧ ନିୟୁତ ଟନକୁ ଅତିକ୍ରମ କରି ୬.୦୯% ଅଭିବୃଦ୍ଧି ପ୍ରତିଫଳିତ କରିଛି । ଏହା ସହିତ ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ୮୩.୩୨ ନିୟୁତ ଟନ ପଣ୍ୟ ପରିବହନ କରିଛି । ଯାହା ଗତ ବର୍ଷ ତୁଳନାରେ ୩.୫୫% ବୃଦ୍ଧି ହୋଇଛି" ବୋଲି କହିଛନ୍ତି ପରମେଶ୍ୱର ଫୁଙ୍କୱାଲ ।
ରେଳ ଯାତ୍ରୀଙ୍କ ପାଇଁ ସୁବିଧା:
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କହିଛନ୍ତି, "9 ଟି ସ୍ଥାନରେ ଏଟିଭିଏମ ସ୍ଥାପନ ଏବଂ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ଅଧୀନରେ ଥିବା ଅନେକ ଷ୍ଟେସନରେ QR କୋଡ୍ ଦେୟ ସୁବିଧା ପ୍ରଦାନ କରାଯାଉଛି। ଅନ୍ୟାନ୍ୟ ଉନ୍ନତିରେ 4 ଟି ଷ୍ଟେସନରେ କୋଚ୍ ଇଣ୍ଡିକେସନ୍ ବୋର୍ଡ, ୨୮ ୱାଟର କୁଲର୍ ଏବଂ ପ୍ଲାଟଫର୍ମ ଏବଂ ସର୍କୁଲାର୍ ଅଞ୍ଚଳରେ ୩୪୨ ଟି ସୌର ଚାଳିତ ଷ୍ଟ୍ରିଟ୍ ଲାଇଟ୍ ଅନ୍ତର୍ଭୁକ୍ତ ରହିଛି । ୮ଟି ଷ୍ଟେସନରେ ଫୁଟ୍ ଓଭର ବ୍ରିଜ୍ (FOB) ନିର୍ମାଣ, ୩ ଟି ଷ୍ଟେସନରେ ଅତିରିକ୍ତ ପ୍ଲାଟଫର୍ମ ଆଶ୍ରୟସ୍ଥଳୀ, ୨ ଟି ଷ୍ଟେସନରେ ଉନ୍ନତମାନର ୱେଟିଂ ହଲ୍ ଏବଂ ବିଭିନ୍ନ ଷ୍ଟେସନରେ ୮୫ ଟି ବେଞ୍ଚ ଯୋଗାଣ ଅନ୍ତର୍ଭୁକ୍ତ କରାଯାଇଛି ।"
ଅମୃତ ଭାରତ ଯୋଜନାରେ ୫୭ ଷ୍ଟେସନର ଚାଲିଛି ବିକାଶମୂଳକ କାର୍ଯ୍ୟ:
"ଷ୍ଟେସନ ପୁନଃବିକାଶରେ ପୂର୍ବତଟ ରେଳପଥ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରୁଛି । ଭୁବନେଶ୍ୱର, କଟକ ଏବଂ ପୁରୀ ସମେତ ୧୧ ଟି ଷ୍ଟେସନରେ ପ୍ରମୁଖ ଉନ୍ନୟନ କାର୍ଯ୍ୟ ଚାଲିଛି। ଅମୃତ ଷ୍ଟେସନ ଯୋଜନା ଅଧୀନରେ ପୂର୍ବତଟ ରେଳପଥର ୫୭ ଟି ଷ୍ଟେସନରେ ବିକାଶ କାର୍ଯ୍ୟ ଦ୍ରୁତଗତିରେ ଅଗ୍ରଗତି କରୁଛି" ବୋଲି କହିଛନ୍ତି ପରମେଶ୍ୱର ଫୁଙ୍କୱାଲ ।
ହାତୀ ମୃତ୍ୟୁ ରୋକିବାକୁ ହାତୀ କରିଡର ଚିହ୍ନଟ ପକ୍ରିୟା: