ଭଦ୍ରକ: ବୁଥ୍ ନିକଟରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଉପୁର ପଞ୍ଚାୟତ ମୁକ୍ତାଡ଼ିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା 4 ନମ୍ବର ବୁଥ୍ ପରିସୀମା ଭିତରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ତେବେ ପାରିବାରିକ କଳହ ପାଇଁ ଗୋଟେ ନିଷ୍ପାପ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ବାମୀ ପ୍ରଭାକରକୁ ଅଟକ ରଖିଥିବା ସୂଚନା ମିଳିଛି । ଭଦ୍ରକ ଚିକିତ୍ସାଳୟରେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ପହଞ୍ଚି ମୃତକଙ୍କ ପରିବାରକୁ ସମାବେଦନା ଜଣାଇଥିଲେ ।
ସୂଚନା ଅନୁଯାୟୀ, ଆଜି ଭୋଟ ଦେବାକୁ ରଶ୍ମିରେଖା ଯାଇଥିଲେ । ସେଠାରେ ସେ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ହଠାତ୍ ତାଙ୍କ ସ୍ବାମୀ ପ୍ରଭାକର କେଉଁଠୁ ଆସି ତାଙ୍କୁ ଧକ୍କା ମାରିଥିଲେ । ଫଳରେ ରଶ୍ମିରେଖା ଧାଡ଼ିରୁ ତଳକୁ ଖସି ଯାଇଥିଲେ । ସେ ତଳେ ପଡ଼ି ଯିବା ପରେ ପ୍ରଭାକର ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କ ବେକ, ହାତ ଏବଂ ମୁହଁକୁ ଆକ୍ରମଣ କରିଥିଲେ । ଧାରୁଆ ଅସ୍ତ୍ର କାରଣରୁ ରଶ୍ମିରେଖାଙ୍କ ଦେହ ମୁହଁ ହାଣି ହୋଇଯାଇଥିଲା । ସେଠାରେ ଉପସ୍ଥିତ ଥିବା ରଶ୍ମିରେଖାଙ୍କ ଦାଦା ଅଭିଯୁକ୍ତ ପ୍ରଭାକର ଉପରକୁ ଟେକା ଫୋପାଡ଼ିବା କାରଣରୁ ସେ ତାଙ୍କ ଅସ୍ତ୍ର ଫୋପାଡ଼ି ଦେଇଥିଲେ । ସେଠାରୁ ରଶ୍ମିରେଖାଙ୍କୁ ତୁରନ୍ତ ବରପଦା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହି ମରଣାନ୍ତକ ଆକ୍ରମଣ ପରେ ସେଠାରେ ହିଁ ଲିଭିଯାଇଥିଲା ରଶ୍ମିରେଖାଙ୍କ ଜୀବନ ଦୀପ ।