ବାଲେଶ୍ବର: ଶିକାରୀ ଏବଂ ବନକର୍ମଚାରୀ ମୁହାଁମୁହିଁ । ବାଲେଶ୍ବର ଜିଲ୍ଲା ନୀଳଗିରି ସ୍ଥିତ କୁଲହିଡା ସଂରକ୍ଷିତ ଜଙ୍ଗଲରେ ଗତ ଦୁଇଦିନ ତଳେ ଶିକାରୀମାନେ ବନକର୍ମଚାରୀଙ୍କୁ ଗୁଳିମାଡ କରିଥିଲେ । ଏହି ଗୁଳିମାଡରେ ତିନି ଜଣ ବନକର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ କରୁଥିବା ବେଳେ ଜଙ୍ଗଲ ମଧ୍ୟରେ ଏକ ବନ୍ଧୁକ ତିଆରି କାରଖାନା ମଧ୍ୟ ଠାବ କରାଯାଇଛି । ଏହାକୁ ନେଇ ବାଲେଶ୍ବର ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଧିକ ସୂଚନା ପ୍ରଦାନ କରିଛନ୍ତି ।
ଏସପିଙ୍କ ସୂଚନା ଅନୁସାରେ, ବନକର୍ମଚାରୀଙ୍କୁ ଗୁଳିମାଡ଼ ଘଟଣାରେ ନୀଳଗିରି ଥାନାରେ ୮୭/୨୪ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ପୋଲିସ ଯେଉଁ ଶିକାରୀମାନଙ୍କୁ ଅଟକ ରଖିଥିଲା ଏବଂ ଯେଉଁ ବନ୍ଧୁକ ବ୍ୟବହୃତ ହୋଇଥିଲା ସେସବୁ ମଧ୍ୟ ଜବତ କରାଯାଇଛି । ଦୁଇ ଜଣ ଶିକାରୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ସେମାନେ ଶିଆଳୀବନ୍ଧ ଏବଂ ଶ୍ୟାମସୁନ୍ଦରପୁର ଅଞ୍ଚଳର ବୋଲି ଏସପି କହିଛନ୍ତି । ଏହା ସହିତ ପୋଲିସ ଏବଂ ବନ ବିଭାଗର ମିଳିତ ଉଦ୍ୟମରେ ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଏକ ବେଆଇନ ବନ୍ଧୁକ କାରଖାନା ଚାଲୁଥିବା ଜଣାପଡ଼ିଥିଲା। ଏନେଇ ନୀଳଗିରି ଥାନାରେ ୮୮/୨୪ନମ୍ବରରେ ଏକ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରାଯାଇଛି। ଏହାଛଡା ତା ନିକଟରୁ ୪ଟି ବନ୍ଧୁକର ବିଭିନ୍ନ ସାମଗ୍ରୀ ସମେତ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି । ଏହି ଘଟଣାରେ ମୋଟ ୬ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ବିରୋଧରେ ପ୍ରମାଣ ରହିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ କ୍ଷେତ୍ରରେ ତଦନ୍ତ ଚାଲିଛି। ଏମାନେ ସବୁ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ନିକଟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି ବନ୍ଧୁକ ସହିତ ବନ୍ଧୁକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।