ଭୁବନେଶ୍ବର:ଧରାପଡିଲା ଟଙ୍କା ବୋଝେଇ କାର୍ । ଏହି ମାମଲାରେ ଭୋମ ନଗର ଛକରୁ ମହୁଲ ବ୍ୟବସାୟୀଙ୍କୁ ବାନ୍ଧିଛି ପୋଲିସ । ଗାଡି଼ରୁ 10 ଲିଟର ମହୁଲ ସହ 1 ଲକ୍ଷ 80 ହଜାର ଜବତ ହୋଇଛି । ଖାରବେଳ ନଗର ଥାନା ପୋଲିସ ଜଣେ ବ୍ୟବସାୟୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପୋଲିସର ସୂଚନା ମୁତାବକ, ବଲାଙ୍ଗୀରର ମହୁଲ ବ୍ୟବସାୟୀ ଜଣକ ହେଉଛନ୍ତି ନିରଞ୍ଜନ କେଡିହା । ସେ କାର୍ ଯୋଗେ ଖାରବେଳ ନଗର ଥାନା ଅଞ୍ଚଳର ରେଡକ୍ରସ ଛକରୁ ଭୋମ ନଗର ଛକ ପର୍ଯ୍ୟନ୍ତ ଯିବାବେଳେ ଭୋମ ନଗର ଟ୍ରାଫିକ ପୋଷ୍ଟ ନିକଟରେ ପୋଲିସ ତାଙ୍କୁ କାବୁ କରିଛି ।
ପୋଲିସର ଚେକିଂ ବେଳେ ଗାଡିରୁ 18 ବିଡ଼ା ଟଙ୍କା ଜବତ ହୋଇଛି । ପ୍ରତି ବିଡାରେ 100ଟଙ୍କିଆ ନୋଟ୍ ରହିଥିବା ଜଣାପଡ଼ିଛି । ଗୋଟିଏ ବିଡ଼ାରେ ପାଖାପାଖି 10 ହଜାର ଲେଖାଏଁ ଟଙ୍କା ଥିଲା । ବିପୁଳ ଟଙ୍କା ସହ 10 ଲିଟର ମହୁଲ ମଧ୍ୟ ଜବତ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । ଏନେଇ ପୋଲିସ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଥାନାକୁ ଆଣି ପଚରାଉଚରା କରିଛି । ବ୍ୟବସାୟୀଙ୍କ କହିବା ଅନୁସାରେ, ସେ ବ୍ୟବସାୟ କାମରେ ହିଞ୍ଜିଳି ଯାଇଥିଲେ । ସେଠାରେ ସୁନିଲ ସାହୁ ନାମକ ମଦ ବ୍ୟବସାୟୀଠୁ ଟଙ୍କା ଆଣି ଭୁବନେଶ୍ୱର ଫେରିଥିଲେ । ଏନେଇ ବାପୁଜୀ ନଗରରେ ଏକ ହୋଟେଲରେ ରହିଥାନ୍ତେ । ପରେ ହାଉସିଂ ବୋର୍ଡରେ ଥିବା ଜଣେ କଣ୍ଟ୍ରାକ୍ଟର ସହ ଏକ କାମ ନେଇ ମିଟିଂ ଥିବାରୁ ଭୁବନେଶ୍ୱର ରହିଥାନ୍ତେ । ହେଲେ ଏହା ପୂର୍ବରୁ ପୋଲିସର ଚେକିଂ ବେଳେ ଧରାପଡିଛି କାର୍ ।