କଟକ: କଟକ ତ୍ରିଶା ହସ୍ପିଟାଲ ଅଗ୍ନିକାଣ୍ଡ ପରେ ଆକ୍ଟିଭ ମୋଡ଼ରେ ରାଜ୍ୟ ସରକାର । ହସ୍ପିଟାଲଗୁଡିକରେ ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଗଠନ ହୋଇଛି ଯୁଗ୍ମ ଟାସ୍କଫୋର୍ସ । ହେଲେ ପ୍ରଶ୍ନ ଉଠୁଛି କଟକ ସହରରେ ଛତୁ ଫୁଟିଲା ଭଳି ଘରୋଇ ହସ୍ପିଟାଲ ଥିବାବେଳେ କିଭଳି ଅନେକ ବେଆଇନ ଭାବେ ଚାଲୁଛି ? ଆବଶ୍ୟକ ଭିତ୍ତିଭୂମି ନଥାଇ କେମିତି ପାଉଛନ୍ତି ଲାଇସେନ୍ସ ? ଆଉ BSKYରେ ଫାଇଦା ଉଠାଇବାକୁ ଖୋଲିଛି କି ମାଳ ମାଳ ନର୍ସିଂହୋମ ?
କଟକରେ ଛତୁ ଫୁଟିଛି ନର୍ସିଂହୋମ; ଆବଶ୍ୟକ ଭିତ୍ତିଭୂମି ନଥାଇ ମିଳୁଛି ଲାଇସେନ୍ସ (ETV Bharat Odisha) ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କଟକ ସହରର ବଡ଼ ଗୁରୁତ୍ବ ରହିଆସିଛି । ଏଠି ଏସସିବି ବଡ ମେଡିକାଲ ଥିବାବେଳେ ସହରର ଗଳିକନ୍ଦିରେ ମାଳ ମାଳ ଘରୋଇ ହସ୍ପିଟାଲ ରହିଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରୋଗୀ କଟକର ହସ୍ପିଟାଲଗୁଡିକୁ ଧାଇଁ ଆସିଥାନ୍ତି । ଭଲ ଚିକିତ୍ସା ପାଇବେ ଆଉ ସୁସ୍ଥ ହୋଇ ଘରକୁ ଫେରିବାର ବିଶ୍ବାସରେ ରହିଥାନ୍ତି । ହେଲେ ଏଠି ରୋଗ ଭଲ ହେବ କ'ଣ ଓଲଟା ବାଜିରେ ଲାଗିଯାଉଛି ସେମାନଙ୍କର ଜୀବନ । ନିକଟରେ ପୁରୀଘାଟ ଥାନା ଅନ୍ତର୍ଗତ ତ୍ରିଶା ନର୍ସିଂହୋମରେ ଅଘଟଣ ସମୟର ଦେଖିବାକୁ ମିଳିଥିବା ଦୃଶ୍ୟ ଏମିତି କିଛି ବୟାନ କରିଥିଲା ।
ଏହା ମଧ୍ୟ ପଢନ୍ତୁ: ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା: ଆଖି ବୁଜିଲା ଶିଶୁକନ୍ୟା, ସ୍ୱାସ୍ଥ୍ୟ ବିଭାଗର ତନାଘନା - Newborn Dead
କାରଣ ସହରରେ ଛତୁ ଫୁଟିବା ଭଳି ଘରୋଇ ନର୍ସିଂହୋମ ଓ ହସ୍ପିଟାଲ ଥିଲେ ବି କାହା ପାଖରେ ଫାୟାର ଲାଇସେନ୍ସ ତ ଆଉ କାହା ପାଖରେ କ୍ଲିନିକାଲ ଏଷ୍ଟବ୍ଳସମେଣ୍ଟ ସାର୍ଟିଫିକେଟ ନାହିଁ । ସ୍ବାସ୍ଥ୍ୟ ବିଭାଗ ଆଖିରେ ଆଙ୍ଗୁଠି ଗେଞ୍ଜି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି ଏହିସବୁ ଘରୋଇ ହସ୍ପିଟାଲ । ଯାହାକି ଏହି ହସ୍ପିଟାଲଗୁଡିକର ସ୍ବାସ୍ଥ୍ୟସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଧିକାଂଶ ନର୍ସିଂହୋମ ଓ ହସ୍ପିଟାଲକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡିଟିଏ ଯିବାପାଇଁ ରାସ୍ତା ନଥିଲେ ମଧ୍ୟ ସେମାନେ କେମିତି ଲାଇସେନ୍ସ ପାଉଛନ୍ତି ତାହା ଏକ ବଡ଼ ପ୍ରଶ୍ନ ।
ତଥ୍ୟ ଅନୁସାରେ, ୩୦ ବେଡ଼ରୁ ଅଧିକ ICU ସୁବିଧାସୁଯୋଗ ଥାଇ କଟକ ଡେପୁଟି ଫାୟାର ଅଧିକାରୀ ଓ ଆସିଷ୍ଟାଣ୍ଟ ଫାୟାର ଅଧିକାରୀ ୩୫ଟି ହସ୍ପିଟାଲକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରାଯାଇଛି । ସବୁ ହସ୍ପିଟାଲଗୁଡିକରେ ୭୫ ହଜାର ଲିଟର ଭୂତଳ ପାଣି ଟାଙ୍କି, ଛାତ ଉପର ୧୦ ହଜାର ପାଣି ଟାଙ୍କି, ୩ଟି ପାଣି ପମ୍ପ, ହୋସ ରିଲ, ସ୍ପ୍ରିଂକଲର, ଫାୟାର ଆଲାର୍ମ ରହିବା ଆବଶ୍ୟକ । ହେଲେ ଅପାତକାଳୀନ ପରିସ୍ଥିତିରେ ସେଗୁଡିକ ଉପଯୋଗ ହେଉଛି ନା ନାହିଁ ତାହା ବଡ଼ ପ୍ରଶ୍ନ ।
ଅନ୍ୟପଟେ ରାଜ୍ୟ ରୋଗୀ ଅଧିକାର ମଞ୍ଚ କହିଛି ଯେ, ଆବଶ୍ୟକ ଭିତ୍ତିଭୂମି ନଥାଇ BSKYର ଫାଇଦା ନେବାକୁ ଛତୁ ଫୁଟିବା ଭଳି ନର୍ସିଂହୋମ ଖୋଲା ହେଉଛି । ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଫାୟାର ଲାଇସେନ୍ସ ପ୍ରଦାନ ବେଳେ ଏସବୁ ଘରୋଇ ହସ୍ପିଟାଲ ନର୍ସିଂହୋମଗୁଡିକର କଡାକଡି ଯାଞ୍ଚ ହେବା ଆବଶ୍ୟକ ରହିଛି ।
ଇଟିଭି ଭାରତ, କଟକ