ଭୁବନେଶ୍ବର:ରାଜ୍ୟରେ ଉପରମୁହାଁ ପାରଦ। ଝାଞ୍ଜି ପବନ ସହ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ବାୟୁ ମଣ୍ଡଳର ଉପରି ଭାଗରେ ଜଳୀୟବାଷ୍ପରେ ପରିମାଣ ଅଧିକ ରହିବା ସହ ଅତ୍ୟଧିକ ଆଦ୍ରତା ଯୋଗୁ ଗୁଳୁଗୁଳି ଲାଗି ରହୁଛି । ଶରୀର ତାତି ଗଲା ପରି ଅନୁଭବ ହେଇଛି । ଏଭଳି ପାଗ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଆହୁରି ୪ରୁ ୫ ଦିନ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ବର୍ତ୍ତମାନ ଅନେକ ସହରରେ ୩୭ ଡିଗ୍ରୀ ଉପରେ ତାପମାତ୍ରା ରହିଥିବାବେଳେ ଆହୁରି ୨ ରୁ ତିନି ଡିଗ୍ରୀ ବୃଦ୍ଧି ପାଇପାରେ।
ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ବର୍ଦ୍ଧିତ ତାପମାତ୍ରାକୁ ନେଇ ଉଷ୍ମ ରାତ୍ରିର ସ୍ଥିତି ଉପୁଜୁଛି। ଦିନର ତାପମାତ୍ରାଠାରୁ ରାତି ତାପମାତ୍ରା ୪ରୁ ୫ ଡିଗ୍ରୀ ଅଧିକ ରହୁଥିବାରୁୁ ରାତିରେ ଉଷ୍ମତା ଅନୁଭବ ହେଉଥିବାବେଳେ ଆହୁରି ୨ ରୁ ତିନିଦିନି ଏଭଳି ସ୍ଥିତି ରହିବ। ରାଜ୍ୟରେ ସର୍ବନିମ୍ନ ୩୫ ଓ ସର୍ବାଧିକ ଜଳୀୟବାଷ୍ପର ପରିମାଣ ୬୫ ପ୍ରତିଶତ ରହୁଥିବାବେଳେ ଆଦ୍ରତାର ପରିମାଣ ବଢୁଛି ଓ ଗୁଳୁଗୁଳି ଲାଗି ରହୁଛି। ଆଗାମୀ ୪ ରୁ ୫ ଦିନ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଟାଣ ଖରା ସହ ଗୁଳୁଗୁଳି ଓ ଝାଞ୍ଜି ପବନ ଲାଗି ରହିବ। ଏହାସହ ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡା, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର ,ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱରରେ ବର୍ଷା ହେବାର ସମ୍ଭାବନା ରହିଛି ।