ସମ୍ବଲପୁର:ପ୍ରବଳ ମାତ୍ରାରେ ପ୍ରଦୂଷିତ ହେଉଛି ହୀରାକୁଦ ଜଳଭଣ୍ଡାରର ପାଣି ଓ ଏହାର ପାର୍ଶ୍ୱବର୍ତ୍ତୀ ବିସ୍ତିର୍ଣ୍ଣ ଆର୍ଦ୍ରଭୂମି ସ୍ଥଳ ଭୂଖଣ୍ଡ । ଜଳଭଣ୍ଡାର ପାଣିରେ ବଢିବାରେ ଲାଗିଛି କ୍ଷତିକାରକ କଣିକାର ମାତ୍ରା । ସେହିପରି ବସୁଥିବା ପଟୁମାଟିରେ ମଧ୍ୟ କ୍ୟାନସର ସୃଷ୍ଟିକାରୀ ଭାରୀ ଧାତବଯୁକ୍ତ କଣିକାର ମାତ୍ରା ବଢିବାରେ ଲାଗିଛି । ଏନେଇ ବିଭିନ୍ନ ଜାତୀୟ ଶିକ୍ଷାନୁଷ୍ଠାନ ଓ ଗବେଷଣା ସଂସ୍ଥାନ ପକ୍ଷରୁ କରାଯାଇଥିବା ସର୍ଭେରେ ରିପୋର୍ଟ ଆସିବା ପରେ ଉଦବେଗ ପ୍ରକାଶ ପାଇଛି । ଏହି ସାଙ୍ଘାତିକ ତଥ୍ୟକୁ ନେଇ ସର୍ବାଧିକ ଚିନ୍ତାରେ ସ୍ଥାନୀୟ ଲୋକେ । କାରଣ ହୀରାକୁଦ ଜଲଭଣ୍ଡାରର ଜଳ କେବଳ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ବ୍ୟବହାର ହୁଏ, ତାହା ନୁହେଁ, ବରଂ ଏହାକୁ ସ୍ଥାନୀୟ ଅଞ୍ଚଳରେ ପିଇବା ପାଣି ଭାବେ ବ୍ୟବହାର କରାଯାଉଛି ।
- ଓଡିଶାର 8 ଆର୍ଦ୍ରଭୂମି କ୍ଷେତ୍ରକୁ ନେଇ କରାଯାଇଥିଲା ଅନୁଧ୍ୟାନ:-
ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଯଥା ଗବେଷଣା ପ୍ରତିଷ୍ଠାନ ଓ ବିଶ୍ବବିଦ୍ୟାଳୟ ଦ୍ୱାରା କରାଯାଇଥିବା ସର୍ଭେ ଓ ‘ସାଇନଟିଫିକ୍ ରିପୋର୍ଟ’ ନାମରେ ଗତବର୍ଷ (2023) ଶେଷ ଭାଗରେ ପ୍ରକାଶିତ ଏକ ‘ଷ୍ଟଡି ଜର୍ଣ୍ଣାଲ’ରେ ଏହି ଉଦବେଗଜନକ ତଥ୍ୟ ପ୍ରକାଶ ପାଇଛି । ଓଡିଶାର 8 ଆର୍ଦ୍ରଭୂମି କ୍ଷେତ୍ରକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା । ହୀରାକୁଦ, ଟିଟିଲାଗଡ, କୋରାପୁଟ, ଡାରିଙ୍ଗବାଡି, ଚିଲିକା, ଚନ୍ଦେନଶ୍ବର, ତାଳଚେର ଓ ଭଦ୍ରକରୁ ନମୂନା ସଂଗ୍ରହ କରାଯାଇଥିଲା । ତେବେ ଏହି ଅନୁଧ୍ୟାନରେ ଯାହା ତଥ୍ୟ ଆସିଛି, ତାହା ବାସ୍ତାବରେ ଉଦବେଗଜନକ । ଏହି ସବୁ ଅଞ୍ଚଳର ଭୂମିରେ ସୀସା, କ୍ରୋମିୟମ, କ୍ୟାଡମିୟମ, ତମ୍ବା, ପାରଦ, ନିକେଲ, ଜିଙ୍କ, ମାଙ୍ଗାନିଜ ଏବଂ ଆର୍ସେନିକ ଆଦି ପରି ଧାତବ କଣିକା ଜାମା ହେବାରେ ଲାଗିଛି । ଏହି ଧାତବ କଣିକାଗୁଡିକ ମାଟି ମାଧ୍ୟମରେ ଫସଲ ଓ ଶସ୍ୟରେ ମଧ୍ୟ ପ୍ରବେଶ କରିପାରନ୍ତି, ଯାହା ପରେ ମଣିଷମାନେ ଖାଇଥା’ନ୍ତି । ଯାହା ସିଧାସଳଖ ଖାଦ୍ୟ ଶୃଙ୍ଖଳାକୁ ପ୍ରଭାବିତ କରିଥାଏ ।
- ସ୍ୱୀକାର କଲେ ମନ୍ତ୍ରୀ, କହିଲେ ସମୀକ୍ଷା ଚାଲିଛି :-
ଗୁରବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ ଏହି ପ୍ରସଙ୍ଗରେ ମତ ରଖିଛନ୍ତି । ମନ୍ତ୍ରୀ ମଧ୍ୟ ଏହି ଅନୁଧାନ ସମ୍ପର୍କରେ ଅବଗତ ଥିବା ସହ ରିପୋର୍ଟକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଏନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,‘‘ଏହି ବାବଦରେ ଅଧିକାରୀମାନଙ୍କ ସହିତ ମୁଁ କଥା ଲାଗି ରିପୋର୍ଟ ତଳବ କରି ସାରିଲିଣି । କେଵଳ ହୀରାକୁଦ ଡ୍ୟାମରେ ନୁହେଁ ହୀରାକୁଦ ଜଳ ଭଣ୍ଡାରରେ ମଧ୍ୟ ଏଭଳି ଧାତାବ ଉପାଦନ ରହିଛି । ଏହି ଧାତୁ ହ୍ୟୁମାନ କଣ୍ଟାକ୍ଟରେ ଆସିକି ମଣିଷକୁ କ୍ଷତି କରୁଛି । ଏ ବାବଦରେ ଯେଉଁ ଚର୍ଚ୍ଚା ହେଉଛି ଓ ବିଭିନ୍ନ ସଂସ୍ଥାରୁ ସୂଚନା ମିଳିଛି, ବିଭିନ୍ନ ଏଜେନ୍ସି ତାକୁ ତର୍ଜମା କରୁଛନ୍ତି । ତାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ସହ ରିପୋର୍ଟ ଦେବା ପାଇଁ କୁହାଯାଇଛି । ’’
- ବୈଠକ ପରେ ଜାରି ହେବ ମାର୍ଗଦର୍ଶିକା: ମନ୍ତ୍ରୀ
ସ୍ଥାନୀୟ କଳ କରଖାନାର ପ୍ରଦୂଷିତ କଣିକା ହ୍ୟୁମାନ ଚେନ ଜରିଆରେ ଆସି ମଣିଷଙ୍କୁ କ୍ଷତି କରୁଛି ବୋଲି କହିଛନ୍ତି ମନ୍ତ୍ରୀ । ସ୍ଥାନୀୟ ଶିଳ୍ପ ଅନୁଷ୍ଠାନ ନଦୀଗୁଡିକରେ ବର୍ଜ୍ୟବସ୍ତୁ ଛାଡି ଦେଉଛନ୍ତି ଓ ସେଟା ବିଷାକ୍ତ କରୁଛି ବୋଲି ମଧ୍ୟ ମନ୍ତ୍ରୀ ସ୍ୱୀକାର କରିଛନ୍ତି । ତେଣୁ ଏନେଇ ବିଭିନ୍ନ ବିଭାଗ ସହ ପ୍ରାଥମିକ ଆଲୋଚନା ହୋଇ ସାରିଛି । ଆସନ୍ତା 4 ଅଥବା 5ତାରିଖରେ ସମ୍ବଲପୁର, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ଅନୁଗୁଳ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କ ସହ ଏକ ବୈଠକ କରାଯିବ । ଏଥିରେ ଉତ୍ତରାଞ୍ଚଳ-ଆରଡିସି ମଧ୍ୟ ଉପସ୍ଥିତ ରହିବେ । ଏହି ବୈଠକରେ ଏହି ସମସ୍ୟା ନେଇ ଆଲୋଚନା ହେବ ଓ ଜଳ ପ୍ରଦୂଷଣ ସହିତ ବାୟୁ ପ୍ରଦୂଷଣ ରୋକିବା ପାଇଁ ମାର୍ଗଦର୍ଶିକା ଜାରି କରାଯିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
- ପ୍ଲାଣ୍ଟ ବର୍ଜ୍ୟବସ୍ତୁ ପାଇଁ ବିଷାକ୍ତ ହେଉଛି ହୀରାକୁଦ: ପରିବେଶବିତ
ହୀରାକୁଦ ଜଲଭଣ୍ଡାରର ଜଳ ପ୍ରଦୂଷଣ ସମସ୍ୟା ନେଇ ସ୍ଥାନୀୟ ପରିବେଶବିତ ରଞ୍ଜନ ପଣ୍ଡା କହିଛନ୍ତି ‘‘ ହୀରାକୁଦ ଜଳଭଣ୍ଡାର ପ୍ରଦୂଷଣର ଏକ ଗନ୍ତାଘର ହୋଇସାରିଲାଣି, ଏଥିରେ ଆଦୌ ସନ୍ଦେହ ନାହିଁ । ଏହାର ମୂଳ କାରଣ ହେଲା ଇଣ୍ଡଷ୍ଟ୍ରିଅଲ ଏଫ୍ଲୁଏଣ୍ଟ (ଶିଳ୍ପୟନ ବର୍ଜ୍ୟବସ୍ତୁ) ଆସୁଛି । ଯେଉଁଥିରେ ବର୍ଜ୍ୟ ପାଣି ଆଉ ଅନ୍ୟାନ୍ୟ ବର୍ଜ୍ୟ ସାମଗ୍ରୀ ରହିଛି । ଜଳଭଣ୍ଡାରର ପାଣିରେ ତାର ସିଧା ପ୍ରଭାବ ଦୃଶ୍ୟମାନ ହେଉଛି । ସବୁକିଛି ଖୋଲା ଆଖିରେ ଦୃଶ୍ୟମାନ ହେବନି । ମାତ୍ର ଫ୍ଲାଇଆସ ପଲ୍ୟୁସନ (ଶିଳ୍ପାଞ୍ଚଳ ପାଉଁଶ ପ୍ରଦୂଷୁତ କଣିକା) କୁ ସିଧା ଦେଖାଯାଇ ପାରୁଛି ।