ପୁରୀ: ଦେଶରଶ୍ରେଷ୍ଠ ପର୍ଯ୍ୟଟନ ଗାଁର ମାନ୍ୟତା ପାଇଥିବା ଐତିହ୍ୟ ଗ୍ରାମ ରଘୁରାଜପୁର ଏବେ ପୁଣି ଚର୍ଚ୍ଚାରେ । ପଟ୍ଟଚିତ୍ରକଳାକୁ ନେଇ ରଘୁରାଜପୁର ସାରା ବିଶ୍ୱରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି । ଓଡିଶାର ଏହି ପାରମ୍ପରିକ ଚିତ୍ରକଳାକୁ କେବଳ ବିଶ୍ବରେ ପ୍ରସିଦ୍ଧ କରିନାହାନ୍ତି ବରଂ ଏହାକୁ ରୋଜଗାରର ମାଧ୍ୟମ କରି ବଞ୍ଚିଛନ୍ତି ଏହି ଗ୍ରାମର ଶହ ଶହ କାରିଗର । ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ରଘୁରାଜପୁର ଗାଁ ବୁଲିବା ସହ ସେଠାକାର ଚିତ୍ରକଳା, ସଂସ୍କୃତି ଓ ଐତିହ୍ୟକୁ ବେଶ ପ୍ରଶଂସା କରିଛନ୍ତି ।
- ଶିଳ୍ପୀଗ୍ରାମର ମାନ୍ୟତା ଦେଇଛନ୍ତି ଭାରତ ସରକାର
ରଘୁରାଜପୁର, ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ । ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି ଏହି ଗ୍ରାମ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୦ ମସିହାରେ ଏହି ଗ୍ରାମକୁ ଶିଳ୍ପୀଗ୍ରାମର ମାନ୍ୟତା ଦିଆଯାଇଛି । ଗତ 18 ତାରିଖରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନମୁଗରତ୍ନମ ଏହି ଗ୍ରାମ ପରିଦର୍ଶନରେ ଆସିଥିଲେ। ତେବେ ରଘୁରାଜପୁରର ଚିତ୍ରକଳା, ସଂସ୍କୃତି ଓ ଐତିହ୍ୟକୁ ଦେଖି ବେଶ ପ୍ରଶଂସା କରିଥିଲେ ସିଙ୍ଗାପୁର ରାଷ୍ଟ୍ରପତି । ରାମାୟଣ କଥାବସ୍ତୁ ଥିବା ଏକ ପଟ୍ଟଚିତ୍ର ନେଇଥିଲେ ସିଙ୍ଗାପୁର ରାଷ୍ଟ୍ରପତି ।
Pattachitra Art By Artisans (ETV Bharat Odisha) - ପଟ୍ଟଚିତ୍ର କ'ଣ ଓ କିଭଳି ପ୍ରସ୍ତୁତ କରାଯାଏ ?
ପଟ୍ଟଚିତ୍ର ଓଡ଼ିଶାର ଏକ ପାରମ୍ପରିକ ଚିତ୍ରକଳା । ଏହା ମୁଖ୍ୟତଃ ପ୍ରଭୁ ଶ୍ରୀ ଜଗନ୍ନାଥ ତଥା ରାଧାକୃଷ୍ଣଙ୍କ ପ୍ରେମକଥାର ବର୍ଣ୍ଣନାକୁ ନେଇ ଅଙ୍କା ଯାଇଥାଏ । ପଟ୍ଟଚିତ୍ର ଜଗନ୍ନାଥ ସଂସ୍କୃତିରୁ ସୃଷ୍ଟି ହୋଇଛି । ରଘୁରାଜପୁର ଗ୍ରାମର ଜଣେ ବରିଷ୍ଠ ପଟ୍ଟଚିତ୍ର ଶିଳ୍ପୀ ଭଗବାନ ସ୍ୱାଇଁ କହିଛନ୍ତି," ଚିତ୍ରକାରମାନେ ବିଭିନ୍ନ ପ୍ରାକୃତିକ ରଙ୍ଗ ବ୍ୟବହାର କରି ମଣ୍ଡଦିଆ କନା ଉପରେ ଚିତ୍ର ଆଙ୍କିଥାନ୍ତି । ଏହା ଓଡ଼ିଶାର ଏକ ବହୁ ପୁରାତନ କଳା । ପଟ୍ଟ ଶବ୍ଦର ଅର୍ଥ କନା । ଏକ ସ୍ଵତନ୍ତ୍ର କନା ଉପରେ ଅଙ୍କିତ । ଏଥିରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଚିତ୍ର ଅଙ୍କା ଯାଇଥାଏ । ଏହି ପଟ୍ଟଚିତ୍ର ପାଇଁ ପୁରୀର ରଘୁରାଜପୁରର ରହିଛି ସ୍ଵତନ୍ତ୍ର ସ୍ଥାନ । ଏହି ଗ୍ରାମରେ ବାସ କରିଥିବା ସବୁ ପରିବାର ପୁରୁଷାନୁକ୍ରମିକ ଭାବେ ପଟ୍ଟଚିତ୍ର କରିଆସୁଛନ୍ତି ।’’
Pattachitra Art By Artisans (ETV Bharat Odisha) - ହଜାରେ ବର୍ଷ ପୁରାତନ ଏହି କାରିଗରୀ
ରଘୁରାଜପୁର ଗ୍ରାମବାସୀଙ୍କ ମତ ଅନୁଯାୟୀ, ପଟ୍ଟଚିତ୍ରର ଇତିହାସ ପ୍ରାୟ ହଜାରେ ବର୍ଷରୁ ଅଧିକ । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀ ପୂର୍ବରୁ କଳିଙ୍ଗ ତଥା ବର୍ତ୍ତମାନର ଓଡ଼ିଶାର ଚିତ୍ରଶିଳ୍ପୀମାନେ ତାଳପତ୍ର ସହିତ ରାଜପ୍ରସାଦର ମନ୍ଦିର, ମଠ କାନ୍ଥ ଇତ୍ୟାଦିରେ ବିଭିନ୍ନ ଆଧ୍ୟାତ୍ମିକ ଚିତ୍ର ଆଙ୍କୁଥିଲେ । ପୁରୀ, କୋଣାର୍କ ଓ ଭୁବନେଶ୍ୱରର କାନ୍ଥରେ ଅଙ୍କା ଛବିସବୁରୁ ପଟ୍ଟଚିତ୍ରର ଜନ୍ମ । ପୁରୀର ରଘୁରାଜପୁରଠାରେ ଏହି କଳା ପୁରୁଷ ପୁରୁଷ ଧରି ଜାରି ରହିଛି । ଏଣୁ ଏହି ଗ୍ରାମକୁ ଐତିହ୍ୟ ଗ୍ରାମର ମାନ୍ୟତା ମିଳିଛି । ବୈଷ୍ଣବ ଚିତ୍ର ସହିତ ଭାଗବତ, ରାମାୟଣ, ଜଗନ୍ନାଥ, ଶୈବ, ଶାକ୍ତ, ବିଭିନ୍ନ ପୁରାଣ ଚିତ୍ର ସହିତ ରାଗ, ବାନ୍ଧ, ଶ୍ରୀମନ୍ଦିରର ଚିତ୍ର ତଥା ଛବିକୁ ନେଇ ପଟ୍ଟଚିତ୍ର ତିଆରି ହୋଇଥାଏ ।
HERITAGE VILLAGE RAGHURAJPUR (ETV Bharat Odisha) - ପଟ୍ଟଚିତ୍ରର ମୂଲ୍ୟ କେତେ ଟଙ୍କା ରହିଥାଏ ?
ରଘୁରାଜପୁର ଗ୍ରାମ କମିଟିର ସମ୍ପାଦକ ଅଭିରାମ ଦାଶ କହିଛନ୍ତି," ପଟ୍ଟଚିତ୍ରର ଆକାର ଓ ନିଖୁଣ ସୂକ୍ଷ୍ମ ଚିତ୍ରକଳାକୁ ନେଇ ଭିନ୍ନ ଭିନ୍ନ ଦର ରହିଛି । ୮ / ୧୦, ୧୯/୧୩, ୨୪/୪୦ ଆଦି ବିଭିନ୍ନ ଆକାରକୁ ନେଇ ଭିନ୍ନ ଭିନ୍ନ ଦର ରହିଛି । ୧,୫୦୦ ଟଙ୍କାରୁ ଆରମ୍ଭ କରି ୩ ରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଟ୍ଟଚିତ୍ର ମଧ୍ୟ ବିକ୍ରି ହେଉଛି । ଏକ ଭଲ ସୂକ୍ଷ୍ମ ପଟ୍ଟଚିତ୍ର ତିଆରି ପାଇଁ ଚିତ୍ରକରମାନଙ୍କୁ ପ୍ରାୟ ତିନି ମାସ ସମୟ ଲାଗେ ।
Raghurajpur Village (ETV Bharat Odisha) - ରଘୁରାଜପୁର ଗ୍ରାମ ସମ୍ପର୍କରେ...
ଐତିହ୍ୟ ଗ୍ରାମ ରଘୁରାଜପୁରର ଦୂରତା ଓଡ଼ିଶାର ରାଜଧାନୀ ଭୁବନେଶ୍ବରରୁ ପ୍ରାୟ 50 କିଲୋମିଟର । ଏହା ପୁରୀ ସହରଠାରୁ ମାତ୍ର 12 କିଲୋମିଟର ଓ ଚନ୍ଦନପୁରଠାରୁ 1 କିଲୋମିଟର ଦୂରରେ ରହିଛି । ଏହି ଐତିହ୍ୟ ଗ୍ରାମକୁ ବୁଲିବାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ପ୍ରତ୍ୟେକ ଦିନ ଆସିଥାନ୍ତି । ପର୍ଯ୍ୟଟକଙ୍କୁ ବିଭିନ୍ନ ଚିତ୍ରକଳା ଦେଖାଇବେ ଓ ସୂଚନା ପ୍ରଦାନ ପାଇଁ ରଘୁରାଜପୁର ଗ୍ରାମରେ ଏକ ପ୍ରଦର୍ଶନୀ କେନ୍ଦ୍ର ରହିଛି । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ମଧ୍ଯ ହେଇଥାଏ । ଗ୍ରାମରେ ମୋଟ୍ 160 ଟି ପରିବାର ରହୁଛନ୍ତି । 875 ଜଣ ମୋଟ କାରିଗର ରହିଛନ୍ତି । ସମସ୍ତେ ଚିତ୍ରକଳା କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଅନେକ ଯୁବପିଢ଼ି ଉଚ୍ଚଶିକ୍ଷିତ ଥିଲେ ମଧ୍ୟ ପାରମ୍ପରିକ ଚିତ୍ରକଳାକୁ ଶିକ୍ଷା ଲାଭ କରି ଚିତ୍ରକଳା ବ୍ୟବସାୟ କରୁଛନ୍ତି । କେତେକ ଚିତ୍ରଶିଳ୍ପୀ ଅନଲାଇନ ମଧ୍ୟ ପଟ୍ଟଚିତ୍ର ବ୍ୟବସାୟ କରୁଛନ୍ତି । ପରିବାରରେ ଥିବା ମହିଳାମାନେ ମଧ୍ୟ ଏହି ପାରମ୍ପରିକ ଚିତ୍ରକଳା ଶିଖି ବ୍ୟବସାୟ କରୁଛନ୍ତି । ତେବେ ଅଳ୍ପ ବ୍ୟବସାୟ କରୁଥିବା ପରିବାର ମାସିକ ହାରାହାରି 10 ରୁ 15 ହଜାର ଟଙ୍କା ଯାଏ ରୋଜଗାର କରୁଛନ୍ତି । କେତେକ ପରିବାର ମାସିକ ହାରାହାରି 15 ରୁ 30 ହଜାର ମଧ୍ୟ ରୋଜଗାର କରୁଛନ୍ତି ।
Pattachitra Art By Artisans (ETV Bharat Odisha) - ଚିତ୍ରଶିଳ୍ପୀଙ୍କ ରୋଜଗାର ବଢାଇବାକୁ ସରକାରଙ୍କ ପ୍ରଚେଷ୍ଟା:
ଚିତ୍ରକାରମାନେ ପଟ୍ଟଚିତ୍ର ସହିତ କାଠ କଣ୍ଢେଇ, ଗାଈ କଣ୍ଢେଇ, କାଚ ବୋତଲ, ପଇଡ, ତାଳପତ୍ରରେ ବିଭିନ୍ନ ଆକର୍ଷଣୀୟ ଘର ସାଜସଜ୍ଜା ଜିନିଷ ମଧ୍ୟ ବିକ୍ରି କରୁଛନ୍ତି । ଏହି ଗ୍ରାମକୁ ଅଧିକ ପର୍ଯ୍ୟଟକ ଆସିବା ପାଇଁ ଓଡ଼ିଶା ଓ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ପ୍ରଚାର ପ୍ରସାର କରୁଥିବାବେଳେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ହସ୍ତଶିଳ୍ପ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଯେଉଁ ମେଳା ଅନୁଷ୍ଠିତ ହେଉଛି ରଘୁରାଜପୁର ଗ୍ରାମର ଚିତ୍ରଶିଳ୍ପୀଙ୍କୁ ସେଠାକୁ ନିଆଯାଉଛି । ଏହାଦ୍ବାରା ଅନେକ ଚିତ୍ରଶିଳ୍ପୀ ଭଲ ରୋଜଗାର କରିପାରୁଛନ୍ତି । ଚିତ୍ରଶିଳ୍ପୀଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ରାଜ୍ୟ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସବସିଡିରେ ବ୍ୟାଙ୍କରୁ ଋଣ ଯୋଗାଇ ଦିଆଯାଉଛି । ରଘୁରାଜପୁର ପରିଦର୍ଶନ ପାଇଁ ଯାଉଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏକ ଅଭ୍ୟର୍ଥନା କେନ୍ଦ୍ର ରହିଛି । ସେଠାରେ ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି।
Pattachitra Art By Artisans (ETV Bharat Odisha) - ଓଡ଼ିଶୀ ନୃତ୍ୟଗୁରୁଙ୍କ ଜନ୍ମସ୍ଥାନ:
ଏହି ଗ୍ରାମରେ ଓଡ଼ିଶୀ ଗୁରୁ କେଳୁଚରଣ ମହାପାତ୍ର ଜନ୍ମଗ୍ରହଣ କରିଥିଲେ । ଗୋଟିପୁଅ ନୃତ୍ୟରେ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ନୃତ୍ୟଗୁରୁ ମାଗୁଣି ଚରଣ ଦାସ ପୁରୀ ଜିଲ୍ଲାର ରଘୁରାଜପୁରରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶାର ପାରମ୍ପରିକ ନୃତ୍ୟ ଗୋଟିପୁଅ ଲୋପ ପାଇ ଆସୁଥିବାବେଳେ ସେ ତାହାର ପୁନଃରୁଦ୍ଧାର କରିଥିଲେ । ରଘୁରାଜପୁରରେ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ବିଦ୍ୟାଳୟରେ ନୃତ୍ୟ ତାଲିମ ଦିଆଯାଉଛି । ପ୍ରସିଦ୍ଧ ମର୍ଦ୍ଦଳ ବାଦକ ତଥା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ମର୍ଦ୍ଦଳ ଗୁରୁ ବନାମାଳି ମହାରଣା ଏହି ରଘୁରାଜପୁରରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶୀ ମର୍ଦ୍ଦଳକୁ ଏକ ଶାସ୍ତ୍ରୀୟ ବାଦ୍ୟ ହିସାବରେ ପରିଚିତ କରାଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
Pattachitra Art By Artisans (ETV Bharat Odisha) - ମହିଳାଙ୍କୁ ସ୍ବାବଲମ୍ବୀ କରିଛି ପଟ୍ଟଚିତ୍ର
ରଘୁରାଜପୁର ଗ୍ରାମର ଜଣେ ମହିଳା ଚିତ୍ରସିଳ୍ପୀ ସଖୀ ସ୍ୱାଇଁ କହିଛନ୍ତି,‘‘ ଆମ ଗାଁର ପ୍ରତ୍ୟେକ ମହିଳା ଏହି ପଟ୍ଟଚିତ୍ର କାର୍ଯ୍ୟ କରୁଛନ୍ତି । ଏହାକୁ ଛାଡି ଗୋବର କଣ୍ଢେଇ, କାଠରେ ବିଭିନ୍ନ ସାମଗ୍ରୀ, କେଟଲି, ଡେକିଚି ଉପରେ ଚିତ୍ରକଳା ସହିତ ପେନଷ୍ଟାଣ୍ଡ ସହିତ ବିଭିନ୍ନ ଘର ସାଜସଜ୍ଜା ଜିନିଷ କରି ବିକ୍ରି କରୁଛନ୍ତି । ଏହି ଚିତ୍ରକଳାକୁ ପର୍ଯ୍ୟଟକମାନେ ବେଶ୍ ପସନ୍ଦ କରିବା ସହ ଏହାକୁ କିଣିବାରେ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ଆମେ ଅନ-ଲାଇନରେ ମଧ୍ୟ ବ୍ୟବସାୟ କରୁଛୁ । ଆମେ ଗୃହଲକ୍ଷ୍ମୀ ନାମକ ଏକ ସ୍ବଂୟ ସହାୟିକା ଗୋଷ୍ଠୀ କରିଛୁ । ଆମକୁ 10 ଲକ୍ଷ ଟଙ୍କା ସରକାର ଆର୍ଥିକ ସହଯୋଗ ଦେଇଥିଲେ । ସେହି ଟଙ୍କାରୁ ଆମେ ବ୍ୟବସାୟ କରି ଋଣ ସୁଝୁଛୁ । ତେବେ ଆମ ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁଁ ଆମେ ବେଶ ଅସୁବିଧା ଭୋଗୁଛୁ । ଆମେ ମହିଳାମାନେ ଆମ ଗ୍ରାମର ପାରମ୍ପରିକ ଚିତ୍ରକଳାକୁ ବଞ୍ଚାଇ ରଖିଛୁ । ଆମେ ପୁରୁଷାନୁକ୍ରମିକ ଭାବେ ଏହି କାର୍ଯ୍ୟ କରି ଆମ ଚିତ୍ରକଳାକୁ ବଞ୍ଚାଇ ରଖିଛୁ । ସରକାରଙ୍କ ପକ୍ଷରୁ ହେଉଥିବା ବିଭିନ୍ନ ମେଳାରେ ଆମେ ସାମିଲ ହେଉ । ଆଗକୁ ମଧ୍ୟ ଏହା ଜାରି ରହିବ ।’’
Art On Kettle (ETV Bharat Odisha) - ଚିତ୍ରକଳାକୁ ପେଶା କରିଛନ୍ତି ଉଚ୍ଚଶିକ୍ଷିତ ଯୁବକ
କେବଳ ପୁରୁଷାନୁକ୍ରମିକ ନୁହେଁ ବରଂ ଉଚ୍ଚଶିକ୍ଷା ସମାପ୍ତ କରୁଥିବା ଗ୍ରାମର ଯୁବପିଢି ମଧ୍ୟ ଏହି ବୃତ୍ତିକୁ ଆଗ୍ରହ ସହ ଆପଣାଛନ୍ତି । ରଘୁରାଜପୁର ଗ୍ରାମର ସମ୍ପାଦକ ଅଭିରାମ ଦାସ ଜଣେ ଉଚ୍ଚଶିକ୍ଷିତ ଯୁବକ । ସେ ସ୍ନାତକ ପାଠ ପରେ ହୋଟେଲ୍ ମ୍ୟାନଜମେଣ୍ଟ ଟୁରିଜିମରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି । ତେବେ ସେ ଜଣେ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଚାକିରି ପଛରେ ନଯାଇ ପାରମ୍ପରିକ ଚିତ୍ରକଳାକୁ ନିଜର ପେଶା କରିଛନ୍ତି । ସେ ଏହାକୁ ଆଗାମୀ ଦିନରେ ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି ।
Tourist At Raghurajpur (ETV Bharat Odisha) ଅଭିରାମ ନିଜ ପ୍ରତିକ୍ରିୟାରେ କହିଛନ୍ତ,‘‘ଆମ ଗ୍ରାମ ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି । ଆମ ପୂର୍ବପୁରୁଷମାନେ ଯେଉଁ ପାରମ୍ପରିକ ଚିତ୍ରକଳା କରିଥିଲେ ସେଥିପାଇଁ ଆମେ ବହୁତ ଗର୍ବିତ । ଏହାକୁ ଆଗେଇ ନେବା ପାଇଁ ଆମ ଗ୍ରାମର ଯୁବକମାନେ କାର୍ଯ୍ୟ କରୁଛନ୍ତି । ଉଚ୍ଚଶିକ୍ଷିତ ହେଲେ ମଧ୍ୟ କେହି ବି ପାରମ୍ପରିକ ପଟଚିତ୍ର କଳା ଛାଡିନାହାନ୍ତି । ଆମ ଗ୍ରାମକୁ ଭାରତ ସରକାର ଓ ଓଡ଼ିଶା ସରକାର ଅନେକ ସହଯୋଗ କରି ପ୍ରଚାର ପ୍ରସାର କରୁଛନ୍ତି । ତେବେ ଯୁବପିଢ଼ିଙ୍କୁ ସରକାର ଆଉ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେଲେ ସେମାନେ ଅଧିକ ଉତ୍ସାହିତ ହେବେ । ଏହା ଫଳରେ ପଟ୍ଟଚିତ୍ର ଭଳି ଆମ ପୁରାତନ କଳା ସଂସ୍କୃତି ବଞ୍ଚି ରହିବା ସହ ସମସ୍ତେ ଓଡିଶାର ସମୃଦ୍ଧ କଳା,ସଂସ୍କୃତି ସମ୍ପର୍କରେ ଜାଣି ପାରିବେ ।
Singapore PM At Raghurajpur(File Photo) (ETV Bharat Odisha) - ଗ୍ରାମବାସୀଙ୍କ କଣ ଅସୁବିଧା ରହିଛି:
ରଘୁରାଜପୁର ନିଜର କଳା, ସଂସ୍କୃତି ପାଇଁ ଐତିହ୍ୟ ଗ୍ରାମ ମାନ୍ୟତା ପାଇଥିଲେ ମଧ୍ୟ ଗ୍ରାମବାସୀଙ୍କର କିଛି ସମସ୍ୟା ରହିଛି । ମୁଖ୍ୟତଃ ପାନୀୟ ଜଳ ଓ ରାସ୍ତା ସମସ୍ୟା ରହିଛି। ଫଳରେ ବେଶ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ରଘୁରାଜପୁରକୁ ଆସିବାକୁ ହେଲେ ଭାର୍ଗବୀ ନଦୀ ବନ୍ଧ ଉପରେ ଏକ ଛୋଟ ରାସ୍ତା ରହିଛି । ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି । ଫଳରେ ପର୍ଯ୍ୟଟକମାନେ ଆସିବାବେଳେ ବେଶ ଅସୁବିଧା ଭୋଗୁଛନ୍ତି । ଏଣୁ ଗ୍ରାମକୁ ଏକ ଓସାରିଆ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ମତ ରଖିଛନ୍ତି ।
ମୁମ୍ବାଇରୁ ଆସିଥିବା ତନଭି ବୋରେ କହିଛନ୍ତି, "ରଘୁରାଜପୁର ଗ୍ରାମ ବହୁତ ସୁନ୍ଦର । ବିଶେଷ କରି ଗ୍ରାମଟି ବେଶ ପରିଷ୍କାର । ଲୋକଙ୍କ ବ୍ୟବହାର ଉଚ୍ଚ କୋଟୀର । ବିଶେଷକରି ହାତରେ ପ୍ରସ୍ତୁତ ହେଇଥିବା ବିଭିନ୍ନ ରଙ୍ଗବେରଙ୍ଗ ଘର କରଣା ସାଜସଜ୍ଜା ସାମଗ୍ରୀ, ବିଭିନ୍ନ ମୁଖା, କଣ୍ଢେଇ, ପଟ୍ଟଚିତ୍ର ବହୁତ ଆକର୍ଷଣୀୟ । ଆମ ଦେଶରେ ଅନେକ ସ୍ଥାନକୁ ବୁଲି ଯାଇଛି । ହେଲେ ରଘୁରାଜପୁର ସ୍ଵତନ୍ତ୍ର । ବିଭିନ୍ନ ଉପହାର ସାମଗ୍ରୀ ନେବା ପାଇଁ ଅନେକ ଜିନିଷ ରହିଛି । ଓଡ଼ିଶାର ଚିତ୍ରକଳା ବେଶ ସୁନ୍ଦର ଓ ଆକର୍ଷଣୀୟ ।" ଆଉ ଜଣେ ପର୍ଯ୍ୟଟକ ରାଜେନ୍ଦ୍ର ବୋରେ କହିଛନ୍ତି, "ଆମେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲୁ । ଆମେ ଯେଉଁ ହୋଟେଲରେ ଥିଲୁ ସେଠାରେ ପ୍ରଭୁ ଜଗନ୍ନାଥଙ୍କ ଏକ ଚିତ୍ର ଦେଖିଥିଲୁ। ତେବେ ଏହା ରଘୁରାଜପୁରରେ ତିଆରି ହେଉଥିବା ଜାଣିବା ପରେ ମୁଁ ଏଠାକୁ ଆସିଲି । ଏଠାକୁ ଆସିବା ପରେ ମୁଁ ବିସ୍ମିତ ହୋଇଗଲି । ଏଠାରେ ହାତରେ ଅନେକ ଆକର୍ଷଣୀୟ ଜିନିଷ ବିକ୍ରି ହେଉଛି। ଏଠାକୁ ପର୍ଯ୍ୟଟକ ଆସିଲେ ଏକ ନିଆରା ଅନୁଭୂତି ନେଇ ଫେରିବେ। ଅନେକ କଥା ଜାଣିବେ। ପାରମ୍ପରିକ ଜିନିଷ କିଣିପାରିବେ ।"
ପୁରୀ ଜିଲ୍ଲା ରଘୁରାଜପୁରରୁ ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ...ଇଟିଭି ଭାରତ