ଓଡିଶା

odisha

ETV Bharat / state

ଶୁଖୁନି ଲୁହ ଥମୁନି କୋହ; ସିନ୍ଦୁର ବଞ୍ଚାଇବା ପାଇଁ ସ୍ତ୍ରୀ ମାଗୁଛି ସହାୟତା - Wife Seeks Help For Husband - WIFE SEEKS HELP FOR HUSBAND

Helpless Wife Seeks Help For Her Husbands Kidney Treatment: ସ୍ବାମୀ 3 ବର୍ଷ ହେଲା କିଡନୀ ଜନିତ ରୋଗରେ ପୀଡ଼ିତ । ଘରେ ଯାହା ଟଙ୍କା ଥିଲା ସବୁ ଚିକିତ୍ସାରେ ସରିଗଲାଣି । ଏବେ ଅର୍ଥର ଆଵଶ୍ୟକତା ପଡୁଥିବା ବେଳେ ପାଖରେ କାଣିକଉଡ଼ି ଟିଏ ନାହିଁ । ଏଭଳି ସ୍ଥଳରେ ନିଜ ସିନ୍ଦୁରକୁ ରକ୍ଷା କରିବା ପାଇଁ ସ୍ବାମୀ ପାଇଁ ସହାୟତା ମାଗୁଛି ସ୍ତ୍ରୀ । ଅଧିକ ପଢ଼ନ୍ତୁ

ସିନ୍ଦୁର ବଞ୍ଚାଇବା ପାଇଁ ସ୍ତ୍ରୀ ମାଗୁଛି ସହାୟତା
ସିନ୍ଦୁର ବଞ୍ଚାଇବା ପାଇଁ ସ୍ତ୍ରୀ ମାଗୁଛି ସହାୟତା (ETV Bharat Odisha)

By ETV Bharat Odisha Team

Published : Jul 1, 2024, 6:20 PM IST

ବାଲେଶ୍ବର: ବେଶ ହସଖୁସିରେ ଗଡି ଚାଲିଥିଲା ସଂସାର ରଥ । ଗୋଟିଏ ପୁଅକୁ ନେଇ ସୁଖ ଦୁଃଖର ତେଲ ଲୁଣ ସଂସାର ଭିତରେ ସବୁକିଛି ଠିକ ଚାଲିଥିଲା । ହେଲେ ବିଧାତାର ଖେଳ ଆଗରେ କିଏ ବା ଜିତି ପାରିବ । ହସ ଖୁସିର ପରିବାର ଭିତରକୁ ଘୋଟି ଆସିଥିଲା କଳା ଅନ୍ଧାର । ଘରର ରୋଜଗାରିଆ ମଣିଷକୁ ଗ୍ରାସ କରିନେଲା କିଡନୀ ଜନିତ ରୋଗ । ରୋଗ ଭଲ କରିବା ପାଇଁ ପରିବାର ଲୋକେ ଅନେକ ପ୍ରଚେଷ୍ଠା ପରେ ଏବେ ଅର୍ଥର ଆଵଶ୍ୟକତା ପଡୁଛି । ଯାହାକୁ ନେଇ ସବୁବେଳେ ଚିନ୍ତାରେ ରହୁଛନ୍ତି ପରିବାର ଲୋକେ । କେମିତି ଭଲ କରିବେ, କେମିତି ଫେରି ଆସିବ ସେ ପୁରୁଣା ଦିନ ଏହି ଚିନ୍ତାରେ ଭାଙ୍ଗି ପଡିଛନ୍ତି ସ୍ତ୍ରୀ ଓ ପରିବାର । ଯାହାକୁ ନେଇ ସ୍ବାମୀଙ୍କ ଚିକିତ୍ସା ପାଇଁ ସହାୟତା ମାଗୁଛି ସ୍ତ୍ରୀ ।

ସିନ୍ଦୁର ବଞ୍ଚାଇବା ପାଇଁ ସ୍ତ୍ରୀ ମାଗୁଛି ସହାୟତା (ETV Bharat Odisha)
ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ମାଝୀ ସାହିର ମନୋଜ ବେହେରା । ଗତ 3 ବର୍ଷ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି । ମନୋଜ ନିଜ ଚିକିତ୍ସା ପାଇଁ ବର୍ତମାନ ସୁଦ୍ଧା ସମସ୍ତ ଅର୍ଥ ବ୍ୟୟ କରିସାରି ଅସହାୟ ହୋଇପଡିଛନ୍ତି । ନା ମେଡ଼ିସିନ କିଣିବାକୁ ସକ୍ଷମ ଅଛି ନା ଘର ଚଳାଇବାକୁ ସାମର୍ଥ୍ୟ ଅଛି । ଅର୍ଥାଭାବ ଭିତରେ ପୁଣି ପ୍ରତି ମାସ ମେଡ଼ିସିନରେ 12 ହଜାର ଟଙ୍କା ଆବଶ୍ୟକ ହେଉଥିବା ବେଳେ ପାଖରେ ଅର୍ଥ ନଥିବାରୁ ମେଡ଼ିସିନ ଖାଇବାରୁ ସେ ବଞ୍ଚିତ ହେଉଛନ୍ତି । ଭାଗ୍ୟର ଖେଳ ଆଗରେ ମଥା ପାତି ନିଜର କଷ୍ଟକୁ ନିଜ ଭିତରେ ଚାପି ରଖି ଆଖିରୁ କେବଳ ଲୁହ ଗଡାଉଛନ୍ତି ମନୋଜ । ଅନ୍ୟପଟେ ସ୍ତ୍ରୀ କୁମୁଦୁନୀ ନିଜର ସିନ୍ଦୁର ବଞ୍ଚାଇବାକୁ ଅନ୍ୟମାନଙ୍କୁ ସହାୟତା ଭିକ୍ଷା କରୁଛନ୍ତି । ଏପଟେ ଏକ ମାତ୍ର ପୁଅର ପାଠ ପଢାରେ ମଧ୍ୟ ସମସ୍ୟା ଦେଖାଯାଇଛି । ଅଧାଦିନ ସ୍କୁଲ ଗଲେ ପୁଣି ଅଧାଦିନ ବନ୍ଦ ରହୁଛି ।

ମନୋଜଙ୍କୁ କିଡନୀ ପ୍ରତ୍ୟାରୋପଣ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ଏଥିପାଇଁ ପାଇଁ 25 ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଯେଉଁଠି କି ଘର ଚଳାଇବା ପାଇଁ ଏହି ପରିବାର ପାଖରେ କାଣୀ କଉଡ଼ିଟିଏ ବି ନାହିଁ । ସବୁଠୁ ଦୁଃଖର କଥା ହେଉଛି ମନୋଜ ନିଜର ଡାଇଲିସିସ ପାଇଁ ଦୀର୍ଘ 22 କିମି ବାଇକ ଯୋଗେ ସୋର ହସ୍ପିଟାଲ ନିଜ ସ୍ତ୍ରୀକୁ ନେଇ ଆସନ୍ତି ପୁଣି ସ୍ତ୍ରୀକୁ ଗାଁକୁ ନେଇ ରାତିରେ ଫେରନ୍ତି । ମନୋଜ ସମ୍ପୂର୍ଣ୍ଣ ଦୁର୍ବଳ ଥିଲେ ବି କଷ୍ଟକୁ ସହି ସୋର ହସ୍ପିଟାଲକୁ ଆସୁଛନ୍ତି । ସ୍ତ୍ରୀ କୁମୁଦୁନି ସ୍ୱାମୀଙ୍କୁ କେମିତି ଆରୋଗ୍ୟ କରିବେ, ପରିବାର କେମିତି ଚାଲିବ ଏଇ କଥା ଭାବି ଭାବି ଆଖିରୁ କେବଳ ଲୁହ ଗଡାଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...କାଳବୈଶାଖୀ ଭାଙ୍ଗିଦେଲା ମୂର୍ତ୍ତି କାରିଗରଙ୍କ ମେରୁଦଣ୍ଡ, ସରକାରୀ ସହାୟତାକୁ ଅପେକ୍ଷା - Thunderstorm Cause loss

ଏମିତି ଏକ ଦୁଃଖଦ ଘଟଣା ବିଷୟରେ ସୋର ଅଞ୍ଚଳର ସାମାଜିକ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ଅବଗତ ହେବାପରେ ସଦସ୍ୟ ସଦସ୍ୟାମାନେ ମନୋଜ ବେହେରାଙ୍କ ପାଖରେ ପହଁଚି 10 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହ ଦୁଇ ମାସର ରାସନ, ନୂଆ ପୋଷାକ ସହ ମନୋଜଙ୍କ ପୁଅକୁ ପାଠ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । କୀଡୀନି ରୋଗୀ ମନୋଜଙ୍କ ଦେହ ଦିନକୁ ଦିନକୁ ଗୁରୁତର ହେଉଥିବାରୁ ବର୍ତ୍ତମାନ ପାଖରେ ମେଡ଼ିସିନ ଖାଇବାକୁ ପଇସା ନାହିଁ । କେମିତି ସେ ମେଡ଼ିସିନ ଖାଇବେ କେମିତି ପରିବାର ଚଳାଇବେ ଏଥିପାଇଁ ସ୍ତ୍ରୀ କୁମୁଦୁନି ରାଜ୍ୟବାସୀଙ୍କ ସହାୟତା ଲୋଡିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ସାମାଜିକ ଅନୁଷ୍ଠାନ ମନୋଜଙ୍କୁ ସହଯୋଗର ହାତ ବଢାଇବାକୁ ଚାହୁଁଥାନ୍ତି ତେବେ ତାଙ୍କର PhonePe ନମ୍ବର 7894459025ରେ ସହାୟତା ରାଶି ପଠାଇ ପାରିବେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details