ଓଡିଶା

odisha

ETV Bharat / state

ଗର୍ଭବତୀଙ୍କ ପାଇଁ ଅଧିକ ବିପଦଜ୍ଜନକ ଜିକା; ରାଜ୍ୟ ଗୁଡିକୁ ଆଡଭାଇଜରୀ ଜାରି - Zika virus

Health Ministry advisory on Zika virus: ଦେଶରେ ଜିକା ଭାଇରସ୍ ସଂକ୍ରମଣକୁ ନେଇ ବଢିଲା ଚିନ୍ତା । ଏହି ଭାଇରସ ବିଶେଷକରି ଗର୍ଭବତୀ ମହିଳାଙ୍କ ପ୍ରତି ଅଧିକ ବିପଦଜ୍ଜନକ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟଗୁଡିକୁ ଆଡଭାଇଜରୀ ଜାରି କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 4, 2024, 6:21 PM IST

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ଦେଶରେ ଧିରେ ଧିରେ ବଢିବାରେ ଲାଗିଛି ଜିକା ଭାଇରସ୍ ସଂକ୍ରମଣ । ବିଶେଷକରି ମହାରାଷ୍ଟ୍ରରେ ଏହି ଭୂତାଣୁ ସଂକ୍ରମଣ ଉଦବେଗଜନକ ରହିଛି । ଏହି ବଢୁଥିବା ସଂକ୍ରମଣକୁ ନେଇ ଏବେ ରାଜ୍ୟଗୁଡିକୁ ସତର୍କ କରିଛନ୍ତି କେନ୍ଦ୍ର ସରକାର । ଜିକା ଭୂତାଣୁ ବିଶେଷକରି ଗର୍ଭବତୀ ମହିଳାଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି କରୁଛି । ତେଣୁ ଗର୍ଭବତୀ ମହିଳାଙ୍କ ଭଲ ଭାବେ ଯାଞ୍ଚ କରିବା, ଜିକା ସଂକ୍ରମଣର ଚିହ୍ନଟ ହୋଇଥିବା ଗର୍ଭବତୀଙ୍କ ଭ୍ରୂଣର ବିକାଶ ଉପରେ ନଜର ରଖିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ଏଡିସ୍ ମଶା ମୁକ୍ତ କରିବାକୁ ତଦାରଖ ନିମନ୍ତେ ଜଣେ ନୋଡାଲ ଅଫିସରଙ୍କୁ ଦାୟିତ୍ଵ ଦିଆଯାଇଛି । ଆବାସିକ ଅଞ୍ଚଳ, କର୍ମସ୍ଥଳୀ, ବିଦ୍ୟାଳୟ, ନିର୍ମାଣସ୍ଥଳ, ଅନୁଷ୍ଠାନ ଏବଂ ସ୍ୱାସ୍ଥ୍ୟ ସୁବିଧାରେ କୀଟ ବିଜ୍ଞାନ ନିରୀକ୍ଷଣକୁ ସୁଦୃଢ଼ କରିବା ସହିତ ଭେକ୍ଟର (ମଶକବାହୀ ରୋଗ) ନିୟନ୍ତ୍ରଣ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି ।

ଗର୍ଭବତୀଙ୍କ ପାଇଁ ଅଧିକ ବିପଦଜନକ ଜିକା ଭୂତାଣୁ:
ବିଶେଷ ଭାବରେ ଜିକା ଭୂତାଣୁ ଗର୍ଭବତୀ ମହିଳାଙ୍କ ଭ୍ରୁଣକୁ ପ୍ରଭାବିତ କରିପାରେ । କାରଣ ଏହା ଭ୍ରୁଣର ମାଇକ୍ରୋସେଫାଲି ଏବଂ ସ୍ନାୟବିକ ପରିଣାମ ସହିତ ଜଡିତ । ତେଣୁ ଡାକ୍ତରମାନେ ଅତି ସତର୍କତାର ସହିତ ଏହାର ତଦାରଖ କରିବା ପାଇଁ ପରାମର୍ଶ ଦିଆଯାଇଛି । ଜିକା ଭୂତାଣୁ ସଂକ୍ରମଣ ପାଇଁ ଗର୍ଭବତୀ ମହିଳାମାନଙ୍କର ଯାଞ୍ଚ କରିବା, ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ଚିହ୍ନଟ ହୋଇଥିବା ଗର୍ଭବତୀଙ୍କ ଭ୍ରୂଣର ବିକାଶ ଉପରେ ନଜର ରଖିବା, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରଭାବିତ ଅଞ୍ଚଳରୁ ଆସୁଥିବା ମାଆମାନଙ୍କର ଭଲ ଭାବରେ ଯାଞ୍ଚ କରିବାକୁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟଗୁଡିକୁ କୁହାଯାଇଛି ।

ଜିକା ଭୂତାଣୁ ସତର୍କତା:ବିଶେଷକରି ଆବାସିକ ଅଞ୍ଚଳ, କର୍ମକ୍ଷେତ୍ର, ବିଦ୍ୟାଳୟ, ନିର୍ମାଣ ସ୍ଥଳ, ଅନୁଷ୍ଠାନ ଏବଂ ସ୍ୱାସ୍ଥ୍ୟ ସୁବିଧାରେ କୀଟ ବିଜ୍ଞାନ ନିରୀକ୍ଷଣକୁ ସୁଦୃଢ଼ କରିବା ଏବଂ ଭେକ୍ଟର ନିୟନ୍ତ୍ରଣ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା । ଜିକା ଭୂତାଣୁର ସଂକ୍ରମଣ ଅନ୍ୟ ଯେକୌଣସି ଭୂତାଣୁ ସଂକ୍ରମଣ ପରି ହୋଇଥିବାରୁ ଏବଂ ଅଧିକାଂଶ ମାମଲା ଲକ୍ଷଣ ବିହୀନ ତଥା ସାମାନ୍ୟ ଲକ୍ଷଣ ଯୁକ୍ତ ଥିବାରୁ ଲୋକମାନଙ୍କ ମଧ୍ୟରେ ଏ ବାବଦରେ ଆତଙ୍କକୁ କମ୍ କରିବା ପାଇଁ ସାମାଜିକ ଗଣମାଧ୍ୟମ ଏବଂ ଅନ୍ୟ ପ୍ଲାଟଫର୍ମରେ ସତର୍କତାମୂଳକ ଆଇଇସି ବାର୍ତ୍ତା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବା ଉଚିତ୍ । ଯଦିଓ ଏହା ମାଇକ୍ରୋସେଫାଲି ସହ ଜଡ଼ିତ ବୋଲି କୁହାଯାଉଛି, କିନ୍ତୁ ୨୦୧୬ ପରଠାରୁ ଦେଶରେ କୌଣସି ଜିକା ସମ୍ବନ୍ଧିତ ମାଇକ୍ରୋସେଫାଲିର ରିପୋର୍ଟ ସାମ୍ନାକୁ ଆସିନାହିଁ ।


ଜିକା କ'ଣ:ଜିକା ଡେଙ୍ଗୁ ଓ ଚିକୁନଗୁନିଆ ଭଳି ଏଡିସ ମଶାବାହିତ ଭୂତାଣୁ ଜନିତ ରୋଗ । ଏହା ଏକ ଅଣ-ପ୍ରାଣଘାତୀ ରୋଗ । ତେବେ ପ୍ରଭାବିତ ଗର୍ଭବତୀ ମହିଳାଙ୍କ ଠାରୁ ଜନ୍ମ ହୋଇଥିବା ଶିଶୁମାନଙ୍କର ମାଇକ୍ରୋସେଫାଲି (ମୁଣ୍ଡର ଆକାର ହ୍ରାସ) ସହିତ ଜିକା ଜଡିତ । ଯାହା ଏହାକୁ ଏକ ବଡ଼ ଚିନ୍ତାର କାରଣ ଭାବରେ ପରିଣତ କରିଛି ।

ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍‌ଆଇଭି)ରେ ଜିକା ଭୂତାଣୁ ପରୀକ୍ଷା ସୁବିଧା ଉପଲବ୍ଧ ରହିଛି । ଏହାସହ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ଦିଲ୍ଲୀ ଏବଂ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର କିଛି ଚୟନ ହୋଇଥିବା ଭୂତାଣୁ ଗବେଷଣା ଏବଂ ନିଦାନ ପରୀକ୍ଷାଗାରରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେଉଛି ।

ଦେଶର ଏହି ସ୍ଥାନରେ ପ୍ରଥମେ ଜିକା ଦେଖାଯାଇଥିଲା: ୨୦୧୬ରେ ଗୁଜୁରାଟରୁ ଦେଶର ପ୍ରଥମ ଜିକା ଭୂତାଣୁ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ତାମିଲନାଡୁ, ମଧ୍ୟପ୍ରଦେଶ, ରାଜସ୍ଥାନ, କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ ଓ କର୍ଣ୍ଣାଟକରେ ଏହି ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୦୨୪ରେ (ଜୁଲାଇ ୨ ତାରିଖ ସୁଦ୍ଧା ) ମହାରାଷ୍ଟ୍ରର ପୁଣେରେ ୬ ଜଣ ଚିହ୍ନଟ ହୋଇଥିବା ବେଳେ କୋହ୍ଲାପୁରରୁ ଗୋଟିଏ ମାମଲା ସାମ୍ନାକୁ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details