ଓଡିଶା

odisha

ETV Bharat / state

ବୌଦ୍ଧରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, କଲବଲ ରୋଗୀ - HEALTH CARE DISRUPTIVE

ବୌଦ୍ଧ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟାରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବରୁ ସ୍ବାସ୍ଥ୍ୟ ସେବାରେ ବ୍ୟାଘାତ ଘଟୁଛି ।

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : Jan 19, 2025, 6:43 PM IST

ବୌଦ୍ଧ: ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟ ସେବା । ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁ ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କ ପାଇଁ ସ୍ବାସ୍ଥ୍ୟ ସେବା ବ୍ୟାହତ । ବିଶେଷ ଭାବରେ ଡେଙ୍ଗୁ, ଡାଇରିଆ, ମ୍ୟାଲେରିଆ, କିଡନୀ ଭଳି ରୋଗ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ବ୍ୟାପିବା ସହିତ ଉପଯୁକ୍ତ ଚିକିତ୍ସା ଅଭାବରୁ ଲୋକେ ଗୁଣିଗାରେଡି, ଝଡା ଫୁଙ୍କା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି ।

ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇ ପଡିଥିବା କହିଲେ ଭୁଲ ହେବନି । ସାଧାରଣ ନାଗରିକ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପାଞ୍ଚଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ସମସ୍ତ ପଞ୍ଚାୟତ ସ୍ତରରେ ପ୍ରାଥମିକ ଆରୋଗ୍ୟ କେନ୍ଦ୍ର ରହିଛି । କିନ୍ତୁ କେବଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଛାଡିଦେଲେ ଅନ୍ୟ କୌଣସି ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନାହାନ୍ତି । ଏହାଛଡା ଆବଶ୍ୟକ ସଂଖ୍ୟକ ପାରାମେଡିକାଲ ତଥା କର୍ମଚାରୀଙ୍କ ଅଭାବରୁ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି ।

ବୌଦ୍ଧରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା (ETV BHARAT ODISHA)


ଏହା ମଧ୍ୟ ପଢନ୍ତୁ-ଅସୁସ୍ଥ ସ୍ବାସ୍ଥ୍ୟ ବିଭାଗ: 100 ଡାକ୍ତରଙ୍କ ଭରସାରେ 12 ଲକ୍ଷ ଲୋକଙ୍କ ଜୀବନ ! - ରାୟଗଡା ଖବର

ଏହା ମଧ୍ୟ ପଢନ୍ତୁ-ଉପାନ୍ତରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ଲୋକେ ହନ୍ତସନ୍ତ - Harabhanga Medical Facility

ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ତିନି ଶହ ଶଯ୍ୟା ବିଶିଷ୍ଟ ନୂତନ କୋଠା ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇ ନଥିବାରୁ ପୁରୁଣା ଡାକ୍ତରଖାନାରେ ରୋଗୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଅଧିକାଂଶ ସମୟରେ ରୋଗୀ ଡାକ୍ତରଖାନାର ଚଟାଣରେ ଚିକିତ୍ସିତ ହେଉଥିବା ବେଳେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବରୁ ରୋଗୀଙ୍କୁ ବୁର୍ଲା ପଠାଇ ଦିଆଯାଉଛି । ଇତି ମଧ୍ୟରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହିତ ନୂତନ ଡାକ୍ତରଖାନାର କୋଠା ପରିଦର୍ଶନ କରି ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା କରିଥିଲେ । ଏହାପରେ ମଧ୍ୟ ସ୍ବାସ୍ଥ୍ୟ ସେବାରେ ସୁଧାର ଆସିପାରୁ ନାହିଁ ।

LACK OF DOCTOR IN HOSPITAL (ETV BHARAT ODISHA)

ସେପଟେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହେତୁ ସେସବୁ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଓ ସ୍ବାସ୍ଥ୍ୟ ସେବା ଆଜି ପର୍ଯ୍ୟନ୍ତ ଠିକରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହୋଇଛି । ହରଭଙ୍ଗା ବ୍ଲକର ବଣ ପାହାଡ ଘେରା କଣ୍ଡରା, କାଚପାଜୁ, ଫାଲପାଜୁ, ମାରଡା, ରାଣୀସାହି, ଲେଙ୍ଗେରପାଜୁ, ସୁଲକେଟୀ, ଗେରେଡିସାହି ଭଳି ପ୍ରାୟ ତିରିଶରୁ ଉର୍ଦ୍ଧ୍ବ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଅତ୍ୟନ୍ତ ଦୁର୍ବିସହ ହୋଇ ପଡିଥିବା ଅଭିଯୋଗ ହୋଇଛି । ଅଧିକାଂଶ ଗ୍ରାମରେ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନଥିବାରୁ ରୋଗୀ ବିଶେଷ ଭାବରେ ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ମୁଖ୍ୟ ସଡକକୁ ନେବାକୁ ପଡୁଛି । ଅନେକ ସମୟରେ ଲୋକେ ଚିକିତ୍ସା ଅଭାବରୁ ଆଧୁନିକ ଚିକିତ୍ସା ଉପରେ ନିର୍ଭର ନକରି ବାଧ୍ୟ ହୋଇ ଝଡା ଫୁଙ୍କା ଓ ଗୁଣିଗାରେଡି ଉପରେ ନିର୍ଭର କରୁଛନ୍ତି । ଏଭଳି ଘଟଣାକୁ ଜିଲ୍ଲାର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ସ୍ବୀକାର କରିଛନ୍ତି ।

LACK OF DOCTOR IN HOSPITAL (ETV BHARAT ODISHA)

ବୁଦ୍ଧିଜୀବୀ ସୂର୍ଯ୍ୟ ନାରାୟଣ ମହାପାତ୍ର କହିଛନ୍ତି, ''ବୌଦ୍ଧରେ ସ୍ବାସ୍ଥ୍ୟ ସେବା ପୁରା ବିପର୍ଯ୍ୟସ୍ତ ହୋଇପଡିଛି । ଡେଙ୍ଗୁ, ଡାଇରିଆ, ମ୍ୟାଲେରିଆ ରୋଗୀ ସଂଖ୍ୟା ବଢିବାରେ ଲାଗିଛି । ସେମାନଙ୍କୁ ଚିକିତ୍ସା କରିବା ପାଇଁ ଏଠାରେ ସ୍ବାସ୍ଥ୍ୟ କର୍ମଚାରୀ, ଡାକ୍ତର ନାହାନ୍ତି । ନାହିଁ ନାହିଁରେ ଡାକ୍ତରଖାନା ଚାଲିଛି । ନୂଆ ଡାକ୍ତରଖାନା କେବେ ହେବ ତାହା ଜଣା ନାହିଁ । ପୁରା ଜିଲ୍ଲାରେ ଡାକ୍ତର ନାହାନ୍ତି । ସରକାରଙ୍କୁ ଅନୁରୋଧ ଡାକ୍ତର ବିଶେଷଜ୍ଞ ପଠାନ୍ତୁ । ''

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details