ଭୁବନେଶ୍ବର: ଦୀପାବଳି ପରେ ପରେ ରାଜ୍ୟରେ ବାୟୁ ପ୍ରଦୂଷଣର ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ବିଶେଷ ଭାବରେ ଭୁବନେଶ୍ୱର, କଟକ, ତାଳଚେର ଓ ବାଲେଶ୍ଵର ଭଳି ସହରରେ ଯୁଆଡ଼େ ଚାହିଁବେ, ଖାଲି ଧୂଆଁ ଆଉ ଧୂଆଁ ଭଳି ନଜର ଆସୁଛି । ଦୁଇ ଦିନ ଧରି ଦୀପାବଳି ପାଳନ ସମୟରେ ବାଣ ଫୁଟାଇବା ପରେ ବିଗିଡ଼ିଯାଇଛି ସଂପୂର୍ଣ୍ଣ ପରିବେଶ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମକୁ ଫୁ କରି ଉଡ଼ାଇ ଦେଇଛନ୍ତି ସହର ବାସିନ୍ଧା । ବାଣ ଯୋଗୁଁ କୁତ୍ରିମ କୁହୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯାହା ଶ୍ଵାସ ଜନିତ ରୋଗ ଉପରେ ଅଧିକ ପ୍ରଭାବ ପଡିବ ବୋଲି କହିଛନ୍ତି OUAT ବୈଜ୍ଞାନିକ ଅମରେଶ ଖୁଣ୍ଟିଆ।
ରାଜଧାନୀ ଆକାଶରେ କୃତ୍ରିମ କୁହୁଡ଼ି:
ପ୍ରଦୂଷଣକୁ ନେଇ ଓୟୁଏଟିର କୃଷି ବୈଜ୍ଞାନିକ ଅମରେଶ ଖୁଣ୍ଟିଆ କହିଛନ୍ତି,"ଦୀପାବଳି ଯୋଗୁଁ ଭୁବନେଶ୍ୱର ଆକାଶରେ କୁତ୍ରିମ କୁହୁଡ଼ି ଦେଖିବାକୁ ମିଳିଛି । ଶୁକ୍ରବାର ରାତିରୁ ସକାଳ ୭ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହିଥିଲା । ଯାହାର ଭିଜିବିଲିଟି ୫୦ରୁ ୧୦୦ ମିଟର ରହିଛି । ତେବେ ଏହା କୁହୁଡ଼ି ନୁହେଁ ବରଂ ଏହା ହେଉଛି SMOG ।"
'ଗ୍ରୀନ ବାଣ ଧୂଆଁରୁ ଅଧିକ ମାତ୍ରାରେ ହେଉଛି କୃତ୍ରିମ କୁହୁଡ଼ି'
ବୈଜ୍ଞାନିକ ଅମରେଶ ଖୁଣ୍ଟିଆ କହିଛନ୍ତି, "ରାଜଧାନୀରେ ଅତ୍ୟଧିକ ବାୟୁ ପ୍ରଦୂଷଣ ଦେଖିବାକୁ ମିଳିଛି । ଗ୍ରୀନ ବାଣରୁ ନିର୍ଗତ ଧୂଆଁ ଅଧିକ ହେଉଥିବାରୁ କୃତ୍ରିମ କୁହୁଡ଼ି ହୋଇଛି । ଗ୍ରୀନ ବାଣରେ କେଉଁ ଗ୍ୟାସ ରହୁଛି ଏହାକୁ ବାରମ୍ବାର ଯାଞ୍ଚ କରିବା ଆବଶ୍ୟକ । ଗ୍ରୀନ ବାଣ ପ୍ରଭାବରେ ବାୟୁ ପ୍ରଦୂଷଣ ଅଧିକ ହେଉଛି । ଯାହାଫଳରେ କି ଏହି SMOGର ପ୍ରଭାବ ବିଶେଷ ଭାବରେ ଶ୍ଵାସରୋଗୀ, ହୃଦୟ ରୋଗୀ ଓ ଫୁସଫୁସ ଜନିତ ରୋଗରେ ପୀଡିତ ଥିବା ଲୋକଙ୍କ ଉପରେ ଅଧିକ ପ୍ରଭାବ ପଡିବ ।"
ରାଜ୍ୟରେ କିଭଳି ରହିଛି AQI ରେକର୍ଡ:
ଭୁବନେଶ୍ୱରରେ ବିଗିଡ଼ିଗଲା ବାୟୁମଣ୍ଡଳ ସ୍ଥିତି । ଆଜି ସକାଳେ ଏହା ୧୮୧ AQI ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ରହିଛି ପ୍ରଦୂଷଣ ନିୟନ୍ତ୍ରଣର ୨ଟି ଷ୍ଟେସନ । ଲିଙ୍ଗରାଜ ଷ୍ଟେସନ ଅଧୀନରେ ଆସୁଥିବା ଅଞ୍ଚଳରେ ସ୍ଥିତି ଉଦବେଗଜନକ ରହିଛି । ଏଠାରେ ୨୨୮ AQI ରେକର୍ଡ କରାଯାଇଛି । ସେହିପରି ପଟିଆ ଷ୍ଟେସନ ଅଧୀନସ୍ଥ ଅଞ୍ଚଳରୁ ୧୩୪ AQI ରେକର୍ଡ ହୋଇଛି । ସେପଟେ ତାଳେଚର ୨୩୩ AQI, ବାଲେଶ୍ୱର ୧୧୭ AQI, ରାଉରକେଲା ୧୯୦ AQI ଓ ଅନୁଗୁଳ ୧୭୧ AQI ରହିଛି । ଗତକାଲି ସୁଦ୍ଧା କଟକର ସ୍ଥିତି ଭଲ ଥିଲା । ହେଲେ ଆଜି ସକାଳେ ଏହା ୧୨୬ AQI ହେବାରୁ ଚିନ୍ତା ବଢୁଛି । ଗତକାଲି ବାଣ ଫୁଟିବାରୁ ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ରା ବଢିଥିବା ଅନୁମାନ କରାଯାଉଛି । ଯେଉଁଥିପାଇଁ ଭୁବନେଶ୍ୱର ଏକ ଧଳା ଚାଦର ପରି ଦୃଶ୍ୟମାନ ହେଉଥିଲା ବୋଲି ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।