ଅନୁଗୋଳ:ଜଙ୍ଗଲ ଅଧ୍ୟୁଷିତ ଲୋକଙ୍କ ପାଇଁ ଗମନାଗମନର ବାଟ ଫିଟାଇଲେ ରାଜ୍ୟ ସରକାର । ସାତକୋଶିଆ ଅଭୟାରଣ୍ୟ ପୁରୁଣାଗଡ଼ଠାରୁ ଜଗନ୍ନାଥପୁର ପର୍ଯ୍ୟନ୍ତ ଘଞ୍ଚ ଜଙ୍ଗଲ ଓ ପାହାଡ଼ ଭିତରେ ୧୬ କିଲୋମିଟର ରାସ୍ତାର ଦୋହରୀକରଣ ପାଇଁ ପ୍ରାୟ ୧୯ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି। ଏହି ରାସ୍ତା ହେଲେ ଅଭୟାରଣ୍ୟ ଅଞ୍ଚଳର ୮ଟି ପଞ୍ଚାୟତର ଲୋକେ ଉପକୃତ ହେବେ। ସ୍ଥାନୀୟ ବିଧାୟକ ଏହାର ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ ।
ସୂଚନା ଅନୁସାରେ, ଅନୁଗୋଳ ସଦର ମହକୁମାଠାରୁ ପର୍ଯ୍ୟଟନସ୍ଥଳରୁ ସାତକୋଶିଆର ଟିକରପଡ଼ାର ଦୂରତା ହେଉଛି ପ୍ରାୟ ୬୦କିଲୋମିଟର। ଫଳରେ ସାତକୋଶିଆ ଅଞ୍ଚଳର ପ୍ରାୟ ୮ଟି ପଞ୍ଚାୟତରେ ବସବାସ କରୁଥିବା ଲୋକେ ଥାନା, ଡାକ୍ତରଖାନା ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସିବାକୁ ହେଲେ ବହୁ ସମୟ ଓ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ତେଣୁ ସେମାନଙ୍କ ପାଇଁ ଗମନାଗମନ ସୁବିଧାକୁ ସରଳ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କହିଛନ୍ତି, "ପୁରୁଣାଗଡ଼ଠାରୁ ଜଗନ୍ନାଥପୁର ପର୍ଯ୍ୟନ୍ତ ପ୍ରାୟ ୧୬କିମି ରାସ୍ତାର ଦୋହରିକରଣ ହାତକୁ ନେଲେ ସରକାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ୧୯କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି। ଚଳିତ ମାସ ୧୧ ତାରିଖ ଠାରୁ କାର୍ଯ୍ୟ ଆରମ୍ଭ କରାଯିବ। ସେଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଆସନ୍ତା ମେ ମାସ ୨୦୨୫ ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି ।"