ଭୁବନେଶ୍ବର:ପୂର୍ବତନ ମନ୍ତ୍ରୀ ଡମ୍ବରୁ ଧର ଉଲାକାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି କଂଗ୍ରେସ । କଂଗ୍ରେସ ଭବନରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମରଶରୀରକୁ ଫୁଷ୍ପମାଲ୍ୟ ସହ ଦଳୀୟ ପତକା ଅର୍ପଣ କରାଯାଇଛି । ସେହିପରି ବିଧାନସଭାରେ ମଧ୍ୟ ଡମ୍ବରୁ ଧରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଡମ୍ବରୁଧର ଉଲାକା ଜଣେ ଦକ୍ଷ ରାଜନେତା ଥିଲେ । ସାଧାରଣ ଲୋକଙ୍କ ସହ ଜଡିତ ହୋଇ ରହୁଥିଲେ ଆଦିବାସୀ ସମ୍ପ୍ରଦାୟର ଜଣେ ଆଗ ଧାଡିର ନେତା ଭାବେ ସୁପରିଚିତ ଥିଲେ । ତାଙ୍କର ଦେହାନ୍ତରେ ଦକ୍ଷ ରାଜନେତାଙ୍କ ଅନ୍ତ ହୋଇଛି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ । ସେ କହିଛନ୍ତି ଯେ, କଂଗ୍ରେସ ଜଣେ ବରିଷ୍ଠ ନେତାଙ୍କୁ ହରାଇଲା । ତାଙ୍କ ସହ ମିଶି ବହୁ ରାଜନୈତିକ କାର୍ଯ୍ୟକ୍ରମ କରିଛି । ଏହି ଅବସରରେ କଂଗ୍ରେସ ଦଳର ଉପସଭାପତି ଶିବାନନ୍ଦ ରାୟଙ୍କ ସହ ଅନ୍ୟ କର୍ମୀମାନେ ମଧ୍ୟ ଡମ୍ବରୁଙ୍କ ଶେଷ ସମ୍ମାନ ଜଣାଇଥିଲେ । ସେହିପରି ପୂର୍ବତନ ମନ୍ତ୍ରୀ ଡମ୍ବୁରୁ ଧର ଉଲାକାଙ୍କ ମର ଶରୀରକୁ ବିଧାନସଭାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ବିଧାନସଭା ସଚିବ ଦାଶରଥି ଶତପଥୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସେ ଜଣେ ଆଦିବାସୀ ନେତା ଭାବେ ସାରା ଓଡ଼ିଶାରେ ସୁପରିଚିତ ଥିଲେ । ଅଭିଭକ୍ତ କୋରାପୁଟ ଜିଲ୍ଲାରେ ତାଙ୍କର ପ୍ରଭାବ ଥିଲା । ସେ ବିଷମ କଟକରୁ 5 ଥର କଂଗ୍ରେସ ପକ୍ଷରୁ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ । ତାଙ୍କ ବିୟୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେ ଜଣେ କଂଗ୍ରେସ ଦଳର ବରିଷ୍ଠ,ଉତ୍ସର୍ଗୀକୃତ ଜନନେତା ଥିଲେ । ବିଷମ କଟକବାସୀଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ ଥିଲା ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଶରତ ପଟ୍ଟନାୟକ ।