ଭୁବନେଶ୍ୱର: ବିଜେଡିରେ ମିଶିଲେ ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ କାର୍ଯ୍ୟକ୍ରମରେ ହଜାରରୁ ଅଧିକ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ଅଂଶୁମାନଙ୍କୁ ବିଜେଡି ନେତୃବୃନ୍ଦ ଉପଢୌକନ ଦେଇ ସ୍ୱାଗତ କରିଛନ୍ତି । ମିଶ୍ରଣ ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେବା ସହ 5T ଓ ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଭେଟିଛନ୍ତି ଅଂଶୁମାନ ।
ବିଜେଡିରେ ଯୋଗ ଦେବା ପରେ ଅଂଶୁମାନ ମହାନ୍ତି କହିଛନ୍ତି, "ଆଜି ମୋ ପାଇଁ ଗର୍ବର ଦିନ । ବିଜେଡିରେ ଯୋଗ ଦେଇ ବାପାଙ୍କ ପୁରୁଣା ପରିବାରକୁ ଫେରି ଆସିଥିବାରୁ ବହୁତ ଖୁସି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ହିଁ ଏହା ସମ୍ଭବ ହୋଇଛି । ଦଳରେ ମୋତେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ନୂତନ ଓଡ଼ିଶା ଗଠନରେ ନିଜକୁ ସାମିଲ କରି ଗର୍ବ ଅନୁଭବ କରୁଛି । ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ତୃଣମୂଳସ୍ତରରେ ସଂଗଠନକୁ ଆହୁରି ମଜବୁତ କରିବା ପାଇଁ କାମ କରିବି । ରାଜନଗର, ପଟ୍ଟମୁଣ୍ଡାଇର ବିକାଶ ଧାରାକୁ ଦ୍ୱିଗୁଣିତ କରାଯିବ ।"
ବିଜେଡିର ମିଶ୍ରଣ ପର୍ବରେ ଉପସ୍ଥିତ ରହି ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡିଶା ନବୀନ ଓଡିଶା, ରୂପାନ୍ତରଣ ଓଡିଶା ଓ ସମୃଦ୍ଧ ଓଡିଶା ଗଠନରେ ଆକୃଷ୍ଟ ହୋଇ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡ଼ିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜନଗରରେ ଯେଉଁ ଉନ୍ନତି ହୋଇଚାଲିଛି, ଅଂଶୁମାନ ଯୋଗ ଦେବା ପରେ ରାଜନଗରରେ ଉନ୍ନତି ଦ୍ୱିଗୁଣିତ ହେବ । ଅଂଶୁମାନଙ୍କ ପରିବାର ସହ ସମସ୍ତଙ୍କ ପୁରୁଣା ସମ୍ପର୍କ । ମୋ ବାପା ଅଶୋକ ଦାସ, ଅଂଶୁମାନଙ୍କ ବାପା ନଳିନୀ ମହାନ୍ତି ବନ୍ଧୁ ଥିଲେ । ନଳିନୀ ବାବୁଙ୍କର ବିଜୁ ପଟ୍ଟନାୟକଙ୍କ ସହ ସମ୍ପର୍କ ନିବିଡ଼ ଥିଲା । ସେ ୭ ଥର ବିଧାୟକ ଥିଲେ । ବିଜୁ ପରିବାର ପ୍ରତି ସମର୍ପଣ ଓ ଭଲ ପାଇବା ସର୍ବଦା ରହିଆସିଥିଲା । ରାଜନଗର ସବୁବେଳେ ବିଜେଡି ସହ ଅଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଯେଉଁମାନେ ତାଙ୍କ ଉପରେ ଆସ୍ଥା ରଖି ଦଳରେ ଯୋଗ ଦେଇଛନ୍ତି ସମସ୍ତଙ୍କ ସମ୍ମାନ ଓ ଆତ୍ମବିଶ୍ୱାସ ସର୍ବଦା ବଜାୟ ରହିବ । ଅଂଶୁମାନ ବିଜେଡିରେ ସାମିଲ ହେବା ପାଇଁ ଆବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କରିଛନ୍ତି । ତେଣୁ ଏହି ମିଶ୍ରଣ କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।"
ସେପଟେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି, "ଦୁଇ ଦିନ ତଳେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ିଥିଲେ । ଅଂଶୁମାନ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ମିଶିବାକୁ କରିଥିବା ଆବେଦନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଅଂଶୁମାନଙ୍କ ସହ ତାଙ୍କର ହଜାରେରୁ ଊର୍ଦ୍ଧ୍ୱ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ମୁଖ୍ୟତଃ ରାଜନଗର କଂଗ୍ରେସର ବିଭିନ୍ନ ପଦବୀରେ ଥିବା ନେତା ଓ ପଞ୍ଚାୟତ ପ୍ରତିନିଧି ଅଛନ୍ତି ।"