ଭୁବନେଶ୍ୱର: ଆଉ ନାହାନ୍ତି ବିଜେଡିର ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି । ୬୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ସେ ଭୁବନେଶ୍ୱର- ମଧ୍ୟ ଆସନରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।
ହୃଦଘାତର ଶିକାର ହୋଇଥିଲେ:
କିଛି ଦିନ ପୂର୍ବରୁ ତାଙ୍କର ହୃଦଘାତ ହୋଇଥିଲା । ସେବେ ଠାରୁ ସେ ଅସୁସ୍ଥ ରହିଆସୁଥିଲେ । ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ପହଞ୍ଚିବା ବେଳେକୁ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ସୂଚନା ରହିଛି । ତେବେ ତାଙ୍କର ଦେହାନ୍ତ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି । କ୍ୟାପିଟାଲ ହସ୍ପିଟାଲରେ ଏକାମ୍ର ବିଧାୟକ ବାବୁ ସିଂ ଏବଂ ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା ତାଙ୍କୁ ଶେଷ ଦର୍ଶନ କରିଛନ୍ତି । ଏହାପରେ ତାଙ୍କୁ ଶଙ୍ଖ ଭବନ ପରିସରରେ ଶ୍ରଦ୍ଧାଞ୍ଜଳି ଏବଂ ଶେଷ ଦର୍ଶନ କରାଯିବ ।
2 ଥର ବିଧାୟକ ଭାବେ ନିର୍ବାଚିତ:
ବିଜୟ କୁମାର ମହାନ୍ତି ୧୯୬୪ ମସିହା ଅକ୍ଟୋବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଯୁବାବସ୍ଥାରୁ ସେ ରାଜନୀତିରେ ସକ୍ରିୟ ଥିଲେ । ବିଜୟ ମହାନ୍ତି ବିଜେଡିରୁ ୨ ଥର ବିଧାୟକ ହୋଇଥିଲେ । ୨୦୦୯ ଓ ୨୦୧୪ରେ ସେ ନିର୍ବାଚନ ଜିତି ଭୁବନେଶ୍ବର ମଧ୍ୟ ଆସନରୁ ବିଧାୟକ ହୋଇଥିଲେ । ତାପରେ ସେ ଆଉ ନିର୍ବାଚନ ଲଢି ନ ଥିଲେ । କିନ୍ତୁ ବିଜେଡିର ରହି ସେ କାଯ୍ୟ କରୁଥିଲେ । ବିଜୟ ମହାନ୍ତିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ଶୋକ ପ୍ରକାଶ କଲେ ବିଜେଡି ସୁପ୍ରିମୋ:
ଏକ୍ସ (X) ହ୍ୟାଣ୍ଡେଲରେ ସେ ଲେଖିଛନ୍ତି, "ପୂର୍ବତନ ବିଧାୟକ ତଥା ଦଳର ବରିଷ୍ଠ ନେତା ବିଜୟ କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଲୋକଙ୍କ କଲ୍ୟାଣ ଦିଗରେ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି । ଓଁ ଶାନ୍ତି ।"