ଭୁବନେଶ୍ବର:ଆଜିଠାରୁ ଆରମ୍ଭ ହୋଇଛି ଓଡି଼ଆ ଭାଷାର ଉଲ୍ଲାସର ପର୍ବ । ପ୍ରଥମ 'ବିଶ୍ବ ଓଡି଼ଆ ଭାଷା ସମ୍ମିଳନୀ'କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡି଼ଆ ଭାଷାର ଭବିଷ୍ୟତ ଉଜ୍ଜ୍ବଳ କରିବାକୁ ମାର୍ଗ ପ୍ରସ୍ତୁତ କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ମିଳନୀରେ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରଥମ 'ବିଶ୍ବ ଓଡି଼ଆ ଭାଷା ସମ୍ମାନ'ରେ ସମ୍ମାନିତ ହୋଇଥିବାବେଳେ ପ୍ରତିଷ୍ଠିତ ଲେଖିକା ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର, ପ୍ରଫେସର ଆର୍ଲୋ ଗ୍ରୀଫିଥ ସମ୍ବର୍ଦ୍ଧିତ ହୋଇଛନ୍ତି । ଆଜି ଭୁବନେଶ୍ବର ଜନତା ମଇଦାନରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ 'ବିଶ୍ବ ଓଡି଼ଆ ଭାଷା ସମ୍ମିଳନୀ'ର ଉଦଘାଟନ କରିଛନ୍ତି । ସମ୍ମିଳନୀରେ ସାରା ରାଜ୍ୟ ଏବଂ ଦେଶ ବିଦେଶରେ ଥିବା ଓଡି଼ଆ ଆଜି ଯୋଗ ଦେଇଥିବାବେଳେ ସମସ୍ତେ ଗୋଟିଏ ସ୍ବରରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରିଛନ୍ତି । "ସମ୍ମିଳନୀରେ ଯାହା ପ୍ରସ୍ତାବ ଆସିବ, ରାଜ୍ୟ ସରକାର ତାକୁ ଗ୍ରହଣ କରି ଏକ ସ୍ବତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ" ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, "ନୂଆ ସଂସ୍କୃତି ଓ ବୈଷୟିକ ଜ୍ଞାନର ପ୍ରଭାବ ଭାଷା ଉପରେ ରହୁଛି । ତେଣୁ ଭାଷାର ସବୁ ଦିଗ ଉପରେ ଆଲୋଚନା ହେଉ । ଓଡିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ । ସମ୍ମିଳନୀରେ ଆମେ ଆମ ଭାଷାର ଇତିହାସ ଜାଣିବା । ବର୍ତ୍ତମାନକୁ ଦେଖିବା ଓ ଭବିଷ୍ୟତ ପାଇଁ ରାସ୍ତା ତିଆରି କରିବା ।" ତେବେ ବିଶିଷ୍ଟ ଲେଖକ ଓ ଗବେଷକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି , "ଏହି ସମ୍ମିଳନୀ ହେଉଛି ଓଡିଆ ଅସ୍ମିତାର ପରିଚୟ। ଶାସ୍ତ୍ରୀୟ ଭାଷା ଓଡିଆକୁ ଅଧିକ ଲୋକପ୍ରିୟ କରିବା ଏବଂ ଆମ ଭାଷାକୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଜରିଆରେ କିଭଳି ଆଗକୁ ନେଇ ପାରିବା, ତା' ହେଉଛି ଏହି ସମ୍ମିଳନୀର ଆଭିମୁଖ୍ୟ ।"
ସେହିପରି ଓଡି଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଛନ୍ତି , "ଆଜି ଆମ ସମସ୍ତଙ୍କ ପାଇଁ ଏହି ସମ୍ମିଳନୀ ହେଉଛି ଏକ ଭାଷାର ପର୍ବ ଓ ଉତ୍ସବ । ଓଡି଼ଶାରେ ରୂପାନ୍ତର ପ୍ରକ୍ରିୟା ଜାରି ରହିଛି । ରୂପାନ୍ତର ପ୍ରକ୍ରିୟାରେ ଭାଷାର ବହୁତ ବଡ ଭୂମିକା ରହିଛି । ସେଥିପାଇଁ ଆମ ଭାଷାର ଗୌରବ ବୃଦ୍ଧି ଓ ଜୟଗାନ ପାଇଁ ମୁଖ୍ୟମନ୍ତ୍ରୀ ଏହି ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଆୟୋଜନ କରିଛନ୍ତି । ଏହି ସମ୍ମିଳନୀରେ ୪ଟି ଦେଶର ଭାଷା ବିଶେଷଜ୍ଞଙ୍କ ସମେତ ୧୦୦ରୁ ଅଧିକ ବିଦ୍ବାନ ଏକତ୍ରିତ ହୋଇଛନ୍ତି । ବୈଷୟିକ ଜ୍ଞନକୌଶଳର ପ୍ରୟୋଗରେ ଆମ ଭାଷାର ଅଭିବୃଦ୍ଧି ପାଇଁ ସେମାନେ ଆମକୁ ଦିଗଦର୍ଶନ ଦେବେ ।"