ବୌଦ୍ଧ: ବୌଦ୍ଧରେ ଜିଲ୍ଲାର ପ୍ରଥମ କ୍ରିକେଟ୍ ଏକାଡେମୀ ଉଦଘାଟିତ । ଏହାଛଡା ଜିଲ୍ଲାରେ ପ୍ରଥମ ଥର ପାଇଁ ଟଫ୍ କ୍ରିକେଟ ପଡିଆ ନିର୍ମାଣ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଭାସି ଜରିଆରେ ଏହାର ଉଦଘାଟନ କରିଛନ୍ତି । ମଙ୍ଗଳବାର କଟକରେ ଐତିହାସିକ ବାରବାଟୀ ଷ୍ଟାଡିମର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ଏକା ସାଙ୍ଗରେ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 41ଟି କ୍ରିକେଟ୍ ଏକାଡେମୀର ଉଦ୍ଘାଟନ ମଧ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟରେ କ୍ରୀଡା ଓ କ୍ରୀଡାବିତ୍ଙ୍କ ଉନ୍ନତି ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପୂର୍ବରୁ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ତଥା ଖେଳ ପଡ଼ିଆର ଅଭାବ ଯୋଗୁଁ ଅନେକ କୃତି ଖେଳାଳୀ ଏହି କ୍ଷେତ୍ରରେ ଉନ୍ନତି କିମ୍ବା କ୍ୟାରିୟର ଗଠନ କରିପାରୁନଥିଲେ । ହେଲେ ବର୍ତ୍ତମାନ ସମୟରେ ସରକାର ଖେଳ ଓ ଖେଳାଳିଙ୍କ ବିକାଶ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରିଛନ୍ତି । ବୌଦ୍ଧ ଭଳି ଛୋଟ ଜିଲ୍ଲାରେ ସନ୍ତରଣ, ଆଥଲେଟ, ଫୁଟବଲ, ହକି, ବ୍ୟାଡମିଣ୍ଟନ, ତୀରନ୍ଦାଜୀ, କ୍ରିକେଟ୍ ଭଳି ଖେଳରେ ଅନେକ କୃତି ଖେଳାଳି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ କଚେରୀ ପଡିଆ ଓ ଜିଲ୍ଲା ଷ୍ଟାଡିୟମକୁ ଛାଡିଦେଲେ କଣ୍ଟାମାଳ, ବାଉଶୁଣୀ, ପୁରୁଣା କଟକ ତଥା ଅନ୍ୟାନ୍ୟ ସ୍ଥାନରେ ଖେଳ ଉପଯୋଗୀ ପଡିଆ ରହିଛି । ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ କଥା ହେଲା ବୌଦ୍ଧ ଜିଲ୍ଲାରେ ଦୀର୍ଘ ଦିନ ହେଲା ଟର୍ଫ ୱିକେଟ ପାଇଁ ଦାବି ହେଉଥିବା ବେଳେ ଆବଶ୍ୟକ ପଡିଆ ଅଭାବରୁ ଏହା ସମ୍ଭବ ହୋଇ ପାରୁନଥିଲା ।