ନିମାପଡ଼ା: 'ଆମ ଓଡ଼ିଶା ନବୀନ ଓଡ଼ିଶା' ବ୍ୟାଗ ଜାଳିଦେବା ଘଟଣା । ସାଇଁସ ସରପଞ୍ଚଙ୍କ ସମେତ କେତେକ କର୍ମୀଙ୍କ ନାମରେ ମାମଲା ରୁଜୁ କଲା ବଳଙ୍ଗା ପୋଲିସ । "ସରକାରଙ୍କ ଜିନିଷକୁ ଏଭଳି ଅପବ୍ୟବହାର କରିବା ତଥା ଜଣେ ଜନପ୍ରତିନିଧି ବ୍ୟାଗକୁ ପୋଡ଼ିଦେବା ଅତି ନିନ୍ଦନୀୟ ଘଟଣା । ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ୪୬ ଟି ପଞ୍ଚାୟତ ଓ ଗୋଟିଏ ଏନଏସିରେ ବ୍ୟାଗ୍ ଓ ଟଙ୍କା ବଣ୍ଟନ ହୋଇଥିଲାବେଳେ ଗୋଟିଏ ପଞ୍ଚାୟତରେ ଏଭଳି ହୋଇଛି" ବୋଲି ନିମାପଡ଼ା ବିଜେଡି ବ୍ଲକ ସଭାପତି ଅଶୋକ କୁମାର ସାହୁ କହିଛନ୍ତି । ସେପଟେ ବିଜେପି ମଣ୍ଡଳ ସଭାପତି ମାନସ ପ୍ରଧାନ କହିଛନ୍ତି,"ବ୍ୟାଗ୍ ବାଣ୍ଟିବା ଏକ ପ୍ରହସନ । ସରପଞ୍ଚଙ୍କ ବିରୋଧରେ ଯଦି ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନିଏ ତେବେ ବଡ଼ ଧରଣର ଆନ୍ଦୋଳନ କରାଯିବ ।"
ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ରାସନ କାର୍ଡ ହିତାଧିକାରୀଙ୍କୁ ୨ଟି ବ୍ୟାଗ୍ ମାଗଣାରେ ରାଜ୍ୟ ସରକାର ବଣ୍ଟନ କରୁଛନ୍ତି । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ସାଇଁସ ପଞ୍ଚାୟତର ୨ଟି ଡିଲର ପଏଣ୍ଟରେ ବ୍ୟାଗ୍ ବଣ୍ଟନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ପଞ୍ଚାୟତରେ ଡ଼ିଲର ହିତାଧିକାରୀଙ୍କୁ ବ୍ୟାଗ୍ ଓ ଏକ ହଜାର ଟଙ୍କା ଦେଉଥିଲାବେଳେ ଏହି ବ୍ୟାଗ ବଣ୍ଟନକୁ ସ୍ଥାନୀୟ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ଓ ତାଙ୍କ ସମର୍ଥକମାନେ ବିରୋଧ କରିଥିଲେ । ସରପଞ୍ଚ ଓ ଡିଲରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ସରପଞ୍ଚଙ୍କ ସମର୍ଥକମାନେ 'ଆମ ଓଡ଼ିଶା ନବୀନ ଓଡ଼ିଶା ବ୍ୟାଗ୍' ଆଣି ରାସ୍ତାରେ ସର୍ବସାଧାରଣଙ୍କ ଆଗରେ ଜାଳିଦେଇଥିଲେ ।