ଓଡିଶା

odisha

ETV Bharat / state

ବିଦେଶରେ ଚମକିଲା କୋରାପୁଟ କଫି, ମହିଳା ଉଦ୍ୟୋଗୀ କରୁଛନ୍ତି ଆଦିବାସୀଙ୍କୁ ସ୍ବାବଲମ୍ବୀ - KORAPUT COFFEE FARMING

Women Become Self Reliant By Coffee Farming: ମହିଳା ଉଦ୍ୟୋଗୀ ରାଜେଶ୍ବରୀ ରେଡ୍ଡୀ ଓ ତାଙ୍କ ମା ନିର୍ମଳା ଦେବୀଙ୍କ କଫି ବଗିଚାରୁ କଫି ମଞ୍ଜି ସୁଦୂର ଆମେରିକାରେ ଲୋକପ୍ରିୟ ହୋଇ ପାରିଛି । ସ୍ଥାନୀୟ ଆଦିବାସୀ ମହିଳାମାନଙ୍କ ପାଇଁ କର୍ମ ନିଯୁକ୍ତି ସୃଷ୍ଟି କରିଥିବା କଫି ଚାଷ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 27, 2024, 7:12 PM IST

ବିଦେଶରେ ଚମକିଲା କୋରାପୁଟ କଫି, ମହିଳା ଉଦ୍ୟୋଗୀ କରୁଛନ୍ତି ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ
ବିଦେଶରେ ଚମକିଲା କୋରାପୁଟ କଫି, ମହିଳା ଉଦ୍ୟୋଗୀ କରୁଛନ୍ତି ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ

ବିଦେଶରେ ଚମକିଲା କୋରାପୁଟ କଫି, ମହିଳା ଉଦ୍ୟୋଗୀ କରୁଛନ୍ତି ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ

କୋରାପୁଟ: ଅନ୍ତର୍ଜାତୀୟ ସ୍ତରରେ ଚମକିଲା କୋରାପୁଟର କଫି । କଫି ଉତ୍ପାଦନ ପାଇଁ ମିଳିଲା ଓଡିଆ ମହିଳା ଉଦ୍ୟୋଗୀଙ୍କୁ ସ୍ବୀକୃତି । ଏଭଳି ପ୍ରେରଣାଦାୟୀ ସଫଳତାର ଉତ୍ସ ପାଲଟିଛନ୍ତି ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କେଲାର ଗ୍ରାମର ଯୁବ ଉଦ୍ୟୋଗୀ ରାଜେଶ୍ବରୀ ରେଡ୍ଡୀ ଓ ତାଙ୍କ ମା ନିର୍ମଳା ଦେବୀ । କେଲାର ଗାଁରେ ମଧୁ ଆଗ୍ରୋ କଫି ପ୍ଲାଣ୍ଟେସନ ଜରିଆରେ ସେମାନେ ସ୍ଥାନୀୟ ଆଦିବାସୀ ମହିଳାଙ୍କ ସହଯୋଗରେ ପ୍ରସ୍ତୁତ ହେଉଥିବା କଫିକୁ ନେଇ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି ।

ବର୍ତ୍ତମାନ ତାଙ୍କ କଫି ମଞ୍ଜି ସୁଦୂର ଆମେରିକାର କାଲିଫର୍ଣ୍ଣିଆ ଅନ୍ତର୍ଗତ ବର୍କଲେ ସହରର ଜନୈକ ମହିଳା ଉଦ୍ୟୋଗୀଙ୍କ ଦ୍ଵାରା ପରିଚାଳିତ ହୋଇ ଖ୍ୟାତି ଅର୍ଜନ କରିଥିବା ରୋଷ୍ଟର କମ୍ପାନୀ କାବେରୀ କଫି ମାଧ୍ୟମରେ ଆମେରିକାର କଫି ପ୍ରେମୀଙ୍କ ଦ୍ଵାରା ଆଦୃତ ହୋଇଥିବା ରାଜେଶ୍ବରୀ ଜଣାଇଛନ୍ତି । ବିନା କୌଣସି ମଧ୍ୟସ୍ଥିରେ ଆମେରିକା, ଇଂଲଣ୍ଡ ଓ ଇଟାଲୀ ଭଳି ବିଦେଶରେ ପ୍ରତିଷ୍ଠିତ କଫି ଗ୍ରାହକଙ୍କ ପାଖରେ ପହଞ୍ଚିବା ଫଳରେ କୋରାପୁଟ ଜିଲ୍ଲାରେ ଉତ୍ପାଦିତ ହେଉଥିବା କଫି ତଥା ସମସ୍ତ କଫି ଉଦ୍ୟୋଗୀଙ୍କ ପାଇଁ ଏକ ନୂତନ ସମ୍ଭାବନାର ଦ୍ବାର ଖୋଲି ଦେଇଥିବା ରାଜେଶ୍ବରୀ ମତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ରୋଜଗାରର ବାଟ ଦେଖାଇଛି ଛତୁ ଚାଷ, ସ୍ବାବଲମ୍ବୀ ହେଉଛନ୍ତି ଗାଁ ମହିଳା - MUSHROOM FARMING

ଅନେକ ବାଧାବିଘ୍ନ ମଧ୍ୟ ଦେଇ ମା ଓ ଝିଅଙ୍କ ନେତୃତ୍ବରେ ଗତି କରିଥିବା କେଲାର ଗ୍ରାମର କଫି ବଗିଚା ଅନ୍ତର୍ଜାତୀୟ ସ୍ତରରେ କୋରାପୁଟକୁ ସୁନାମ ଆଣିଥିବା ଯୋଗୁଁ ରାଜେଶ୍ବରୀଙ୍କ ମା ନିର୍ମଳା ରେଡ୍ଡୀ ଗର୍ବ ଅନୁଭବ କରିଥିବା ଜଣାଇଛନ୍ତି । ତେବେ ମା ଝିଅଙ୍କ ଏହି ସଫଳ କାହାଣୀର ଯାତ୍ରା ସହଜ ନଥିଲା । ୨୦୧୪ ରେ ଆସିଥିବା ହୁଡହୁଡ ବାତ୍ୟା ଫଳରେ ତାଙ୍କ କଫି ବଗିଚାଟି ସମ୍ପୂର୍ଣ୍ଣ ଭାବେ ଉଜୁଡି ଯାଇଥିଲା । ବାପାଙ୍କ ଅକାଳ ବିୟୋଗ ପରେ ମାଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଉଜୁଡି ଯାଇଥିବା କଫି ବଗିଚାକୁ ରାଜେଶ୍ବରୀ ପୁଣିଥରେ ସଜାଡ଼ିବାକୁ ଆରମ୍ଭ କରିଥିଲେ । ବନ୍ଧୁ ବାନ୍ଧବ, ସାଙ୍ଗସାଥୀ, ଶୁଭେଚ୍ଛୁ ମାନେ ଏହି କଫି ବଗିଚାକୁ ବିକି ଦେଇ ଅନ୍ୟତ୍ର ଚାଲିଯିବା ପାଇଁ ମତ ଦେଇଥିଲେ । କିନ୍ତୁ ରାଜେଶ୍ବରୀଙ୍କ ସାମନାରେ ମା' ଓ ବାପା ଦେଖିଥିବା ସ୍ବପ୍ନ ଏବଂ ବିଶେଷକରି ଏହି ଅଞ୍ଚଳର ନିରୀହ ଜନତାଙ୍କ ପାଇଁ ଏକ ସୁରକ୍ଷିତ କର୍ମସ୍ଥଳୀ ଭାବେ ଠିଆ ହୋଇଥିବା କଫି ବଗିଚା ତାଙ୍କ ହୃଦୟକୁ ସ୍ପନ୍ଦିତ କରିଥିଲା । ମା ନିର୍ମଳା ଦେବୀଙ୍କ ବଳିଷ୍ଠ ଇଚ୍ଛାଶକ୍ତି ଓ ରାଜେଶ୍ବରୀଙ୍କ ଭିତରେ ସଫଳ ଉଦ୍ୟୋଗୀ ହୋଇଉଠିବାର ସଂକଳ୍ପ ସେମାନଙ୍କୁ ପ୍ରେରିତ କରିଥିଲା ।

ମହିଳା ବହୁଳ ଏହି କଫି ବଗିଚାରେ କାମ କରୁଥିବା ଆଦିବାସୀ ମହିଳା ମଧ୍ୟ ଏହାକୁ ନିଜ ଉଦ୍ୟୋଗ ଭାବେ ଦେଖିବାକୁ ଆରମ୍ଭ କରି ମା ଝିଅଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । କାମ କରୁଥିବା ମଜୁରିଆ ଭାବେ ନୁହେଁ ବରଂ ପରିବାରର ଏକ ସଦସ୍ୟ ଭାବେ ରାଜେଶ୍ବରୀ ଓ ନିର୍ମଳା ଦେବୀ ସେମାନଙ୍କୁ ବ୍ୟବହାର ପ୍ରଦର୍ଶନ କରୁଥିବା ଯୋଗୁଁ ସେମାନେ ମଧ୍ୟ ଦ୍ବିଗୁଣିତ ଉତ୍ସାହର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି । ପୁଣିଥରେ ଏହି କିଛି ବର୍ଷ ମଧ୍ୟରେ 12 ରୁ 15 ଟନ କଫି ଓ 3 ଟନ ଗୋଲମରିଚ ଉତ୍ପାଦନ କରିବାରେ ଏହି ବଗିଚା ସକ୍ଷମ ହୋଇପାରିଛି । ରାଜେଶ୍ବରୀ ଓ ତାଙ୍କ ମା ନିର୍ମଳା ଦେବୀ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଅନନ୍ୟ ଉଦାହକଣ ସୃଷ୍ଟି କରିଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details