ଓଡିଶା

odisha

By ETV Bharat Odisha Team

Published : Mar 26, 2024, 10:54 PM IST

ETV Bharat / state

ଜମି ବିବାଦରୁ ବାପା ପୁଅଙ୍କୁ ମରଣାନ୍ତକ ଆକ୍ରମଣ, ଗାଁ ରାସ୍ତାରେ ବୋହିଲା ରକ୍ତର ହୋଲି - Father And Son Brutally Attacked

Father And Son Brutally Attacked In Deogarh: ଜମିବାଡି ବିବାଦରୁ ଜଘନ୍ୟ କାଣ୍ଡ। ରାସ୍ତା ମଝିରେ ବାପା ପୁଅଙ୍କୁ ମରଣାନ୍ତକ ଆକ୍ରମଣ । ଅଧିକ ପଢ଼ନ୍ତୁ

ଜମି ବିବାଦରୁ ବାପା ପୁଅଙ୍କୁ ମରଣାନ୍ତକ ଆକ୍ରମଣ
ଜମି ବିବାଦରୁ ବାପା ପୁଅଙ୍କୁ ମରଣାନ୍ତକ ଆକ୍ରମଣ

ଦେବଗଡ଼: ନୃଶଂସତାର ଚରମ ସୀମା ଟପିଗଲା ମଣିଷ । ଜମିବାଡ଼ି ବିବାଦକୁ ନେଇ ରାସ୍ତା ମଝିରେ ବାପା ପୁଅକୁ ଟାଙ୍ଗିଆରେ ହାଣି ମରଣାତ୍ମକ ଆକ୍ରମଣ କଲେ ଅନ୍ୟ ଏକ ପରିବାରର ବାପ-ପୁଅ । ସିସିଟିଭି ଭିଡିଓ ହେଲା ଭାଇରାଲ । ସବୁଠି ରଙ୍ଗର ପର୍ବ ହୋଲିର ମାହୋଲ ଚାଲିଥିବା ବେଳେ ଗାଁରେ ଚାଲିଥିଲା ରକ୍ତର ହୋଲି । ଆଜି ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟିଙ୍କିବିର ଗ୍ରାମରେ ।

ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଟିଙ୍କବିରୀ ଗ୍ରାମର ଲୋକନାଥ ସାହୁ ଓ ମିଟୁ ଧଳଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ଏ ସଂପର୍କରେ ପୂର୍ବରୁ ମଧ୍ୟ ରିଆମାଳ ଥାନାରେ ଅଭିଯୋଗ ହୋଇଥିଲା । କିଛିଦିନ ପୂର୍ବରୁ ରିଆମାଳ ପୋଲିସ ଉଭୟ ପରିବାରକୁ ଥାନାକୁ ଡକାଇ ଗଣ୍ଡଗୋଳ ନକରିବାକୁ ଚୁକ୍ତି କରି ଆପୋଷ ବୁଝାବଣା କରି ଛାଡି ଦେଇଥିଲେ । କିନ୍ତୁ ଆଜି ସାରା ଜିଲ୍ଲା ହୋଲି ପାଇଁ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ପୂର୍ବରୁ ଥିବା ଜମିବାଡ଼ି ସମ୍ପର୍କିତ ତିକ୍ତତା ପୁଣିଥରେ ଉଗ୍ରରୂପ ଧାରଣ କରିଥିଲା । ଆଜି ଟିଙ୍କବିରି ଗ୍ରାମର ପୁଅ ଲୋକନାଥ ସାହୁ ଓ ବାପା ମନୁ ସାହୁ ଏକ ବାଇକ ଯୋଗେ ଯାଉଥିବା ସମୟରେ ବାପା ମିଟୁ ଧଳ ଓ ତାଙ୍କ ପୁଅ ପପୁ ଧଳ ଗାଁର ରାସ୍ତା ଉପରେ କୁରାଢିରେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଭାଇ ସାଜିଲା ଭଗାରୀ, ଜମି ପାଇଁ ନେଲା ସାଇ ଭାଇର ଜୀବନ

ତେବେ ବେସ କିଛି ସମୟ ଧରି ଏହି ନିର୍ମମ କାଣ୍ଡ ଗାଁ ରାସ୍ତା ଉପରେ ଘଟିଥିଲେ ସୁଦ୍ଧା ଭୟରେ କେହି ପାଖକୁ ଆସିନଥିଲେ । ଶେଷରେ ବାପପୁଅ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଖବର ପାଇ ଗ୍ରାମବାସୀ ଓ ପରିବାର ଲୋକେ ଘଟଣା ସ୍ଥଳରୁ ଲୋକନାଥ ଓ ମନୁ ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଉଭୟଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି । ରିଆମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ଆକ୍ରମଣ ସମୟର ସିସିଟିଭି ଭିଡିଓ ଭାଇରାଲ ହେବାପରେ ଏନେଇ ସାରା ଜିଲ୍ଲାରେ ଗଭୀର ଆଲୋଡନ ସୃଷ୍ଟି କରିଛି । ଏହି ଘଟଣାରେ ଅଭିଯୁକ୍ତ ବାପାକୁ ପୋଲିସ ଗିରଫ କରିଥିବା ବେଳେ, ପୁଅ ଫେରାର ଥିବା ଜଣାପଡିଛି । ଆକ୍ରମଣର ଶିକାର ହୋଇଥିବା ମନୁ ସାହୁ ଓ ଲୋକନାଥ ସାହୁଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପର୍ଣ୍ଣ ଥିବା ଜଣାପଡିଛି ।

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details