ବ୍ରହ୍ମପୁର: ଋଷିକୁଲ୍ୟା ନଦୀର ପିପଳପଙ୍କା ଡ୍ୟାମ୍ ନିର୍ମାଣ ପ୍ରସ୍ତାବକୁ ବିରୋଧ । ଗତ କିଛି ମାସ ଧରି ରଷିକୁଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ପ୍ରସ୍ତାବକୁ ବିରୋଧ କରାଯାଉଛି । ଏନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହିତ ଧାରଣା ଦିଆଯାଇଛି । ଏପରିକି ପିପଳପଙ୍କାରେ ଡ୍ୟାମ୍ ନିର୍ମାଣ କଲେ ଋଷିକୂଲ୍ୟା ନଦୀକୁ ମାରିଦେବ ବୋଲି ଦାବି କରିଛନ୍ତି ଆନ୍ଦେଳନକାରୀ । ଏହାସହ ଆଗାମୀ ଦିନରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ତଥା ଜିଲ୍ଲାର କୃଷି, କୃଷକ ଓ ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ରଖି ପିପଳପଙ୍କାରେ ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ବାତିଲ କରିବା ଦାବି ନେଇ ପିପଳପଙ୍କା ଠାରୁ ଗଞ୍ଜାମ ମୁହାଣ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରାଯିବ କହିଛନ୍ତି ଆନ୍ଦୋଳନକାରୀ ।
ସରକାରୀ ଅର୍ଥରେ ଘରୋଇ କମ୍ପାନୀମାନଙ୍କୁ ପାଣି ଯୋଗାଇବାକୁ ନିଷ୍ପତ୍ତିକୁ ବିରୋଧ:
ଗଞ୍ଜାମ ଜିଲ୍ଲା ବାସିନ୍ଦା ଜଳସେଚନ ଠାରୁ ଆରମ୍ଭ କରି ପାନୀୟ ଜଳ ପାଇଁ ମୁଖ୍ୟତଃ ଋଷିକୂଲ୍ୟା ନଦୀ ଉପରେ ନିର୍ଭର କରନ୍ତି । ସେପଟେ ସରକାରୀ ଅର୍ଥରେ ପିପଳପଙ୍କା ଠାରେ ଡ୍ୟାମ୍ ନିର୍ମାଣ କରାଯିବା ପାଇଁ ଯୋଜନା କରାଯାଇଛି । ଋଷିକୂଲ୍ୟା ନଦୀର ପାଣିକୁ ଉପର ମୁଣ୍ଡରୁ ଦୀର୍ଘ ୧୦୦ କି.ମି ଲମ୍ବା ପାଇପଲାଇନ ଯୋଗେ ନେଇ ଗୋପାଳପୁର ଓ ଛତ୍ରପୁର ଅଞ୍ଚଳରେ ରହିଥିବା କମ୍ପାନୀଙ୍କୁ ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଦ୍ଧ କରିଛି ରଷିକୁଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ।
'ଡ୍ୟାମ ହେଲେ ୨୩ ଖଣ୍ଡ ଗାଁ ପ୍ରଭାବିତ ହେବ':
ଏନେଇ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି, "୧୯୯୫-୯୮ ମସିହାରେ ତତ୍କାଳୀନ ସରକାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ତାହାକୁ ବିରୋଦ୍ଧ କରି ଅନେକ ଜନ ଆନ୍ଦୋଳନ କରାଯାଇଥିଲା । ଶେଷରେ ସରକାର ସେହି ନିଷ୍ପତ୍ତିରୁ ଓହରିଥିଲେ । ଏପରିକି ଜଳସେଚନ ବିଭାଗ ତାର ରିପୋର୍ଟରେ ଅକ୍ଟୋବର ମାସରୁ ଜୁନ୍ ପର୍ଯ୍ୟନ୍ତ ନଦୀରେ ପାଣି ଆସିବ ନାହିଁ ବୋଲି କହିଛି । ଏପରି ନିଷ୍ପତ୍ତି ଋଷିକୁଲ୍ୟା ନଦୀରେ ଯେଉଁ ଧାରଟି ଆସୁଛି ତାହା ମରିଯିବ । ଏହି ଡ୍ୟାମ୍ ହେଲେ ଏହାର ପ୍ରଭାବ ୨୩ ଖଣ୍ଡ ଗ୍ରାମକୁ ପଡିବା ସହିତ ଗଞ୍ଜାମ ଏବଂ ଛତ୍ରପୁର ବ୍ଲକର ଲୋକେ ଲୁଣି ପାଣି ପିଇବାକୁ ପଡିବ । ଏହାର ପ୍ରଭାବରେ ନଦୀର ବେକ୍ ୱାର୍ଟର ନଥିଲେ ମାଛମାନଙ୍କ ପାଇଁ ଅନେକ ସମସ୍ୟା ଦେଖାଦେବ । ତେଣୁ ଏହି ସମସ୍ତ ବିଷୟକୁ ଅନୁଧ୍ୟାନ କଲେ ସରକାର କେଉଁ କାରଣ ପାଇଁ ଏହି ପିପଳପଙ୍କା ଡ୍ୟାମ୍ କରୁଛନ୍ତି ? ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଖୋଦ୍ ଜଳସମ୍ପଦ ମନ୍ତ୍ରୀ ରହିଥିବା କାରଣରୁ ଏହି କମିଟି ସହିତ ଆଲୋଚନା କରିବା ସହିତ ଏକ୍ସପର୍ଟ ଟିମ୍ ଏନେଇ ଆଲୋଚନା କରିବାର ଆବଶ୍ୟକତା ରହିଛି ।"
'ଋଷିକୁଲ୍ୟା ନଦୀ ସ୍ରୋତ ସଂପୂର୍ଣ୍ଣ ଶୁଖିଲା ହୋଇପଡିବ':
ସେପଟେ ଋଷିକୂଲ୍ୟା ନଦୀ କ୍ରିୟାନୁଷ୍ଠାନ କମିଟିର ଅନ୍ୟତମ ଆବାହକ ତଥା ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି, "ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଋଷିକୁଲ୍ୟା ନଦୀର ପିପଳପଙ୍କାରେ ଜଳଭଣ୍ଡାର କରିବା ପାଇଁ ବହୁ ଆଗରୁ ଦାବି ରହିଥିଲା । ହେଲେ ସେହି ସମୟରେ ଋଷିକୁଲ୍ୟାକୁ ମିଶିଥିବା ଅନ୍ୟ ନଦୀମାନଙ୍କରେ ଡ୍ୟାମ୍ ନଥିଲା । ହେଲେ ବର୍ତ୍ତମାନ ରଷିକୁଲ୍ୟା ସହିତ ସଂଯୋଗ ହୋଇଥିବା ସମସ୍ତ ନଦୀରେ ଡ୍ୟାମ୍ ହୋଇଯାଇଛି । ଘୋଡାହାଡ ଠାରୁ ଆରମ୍ଭ କରି ବଡନଦୀ, ବାଘୁଆ, ଧନେଇ, ବଡନଦୀ ସହିତ ସଂଯୋଗ ହୋଇଥିବା ଡହ ନଦୀରେ ମଧ୍ୟ ଡ୍ୟାମ୍ ରହିଛି । ଏପରିକି ପଦ୍ମା ନଦୀରେ ବ୍ୟାରେଜ ରହିଥିବା ବେଳେ ଗତ ୫୦ ବର୍ଷ ମଧ୍ୟରେ ଋଷିକୁଲ୍ୟା ସହିତ ସଂଯୋଗ ହୋଇଥିବା ସମସ୍ତ ନଦୀରେ ଡ୍ୟାମ୍ ହେବା ସହ ଜଳସେଚନର ସୁବିଧା ହୋଇସାରିଛି ।"