ନୂଆପଡା: ଚାଷୀମାନଙ୍କ ଭୋଟ ବର୍ଜନ ନିଷ୍ପତ୍ତି ହୋଇଛି ପ୍ରତ୍ୟାହୃତ । ନୂଆପଡା ଜିଲ୍ଲା ଅଣ ଜଳସେଚିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିଆଯାଇଥିବା ଭୋଟ ବର୍ଜନ ଚେତାବନୀ ପ୍ରତ୍ୟାହାର ହୋଇଥିବା କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ଜଳସେଚନ ସମସ୍ୟାର ସମାଧାନ ପାଇଁ ନୂଆପଡା ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା 546 ତାରିଖ 8/5/24 ଲିଖିତ ପ୍ରତିଶ୍ରୁତି ମିଳିବା ପରେ 5ଗୋଟି ଗ୍ରାମ ପଞ୍ଚାୟତର 22 ଖଣ୍ଡ ଗ୍ରାମବାସୀ ଚଳିତ ନିର୍ବାଚନରେ ମତଦାନ କରିବାକୁ ରାଜି ହୋଇଛନ୍ତି ।
ତିଖାଲି ଲୋୟର ଇନ୍ଦ୍ର ଡ୍ୟାମ ପାଣି ନିଜ ଚାଷ ଜମିକୁ ଜଳସେଚିତ କରିବା ପାଇଁ ସାନମହେଶ୍ୱର, ଚାନ୍ଦୋପଲା , ଭୋଜପୁର, ବରଗାଁ, ଚନାବେଡା ଆଦି 5ଟି ଗ୍ରାମ ପଞ୍ଚାୟତର 22 ଗୋଟି ଗ୍ରାମର ଚାଷୀମାନେ ଗତ 2014 ମସିହାରୁ ରାଜ୍ୟ ସରକାରଙ୍କୁ ଦାବି କରିଆସୁଥିଲେ । ହେଲେ ରାଜ୍ୟ ସରକାର ଚାଷୀଙ୍କ ଦାବିକୁ ଗୁରୁତ୍ୱ ଦେଉନଥିଲେ । ଚାଷୀଙ୍କ ଜମି ଜଳସେଚନ ବ୍ୟବସ୍ଥାରୁ ବଞ୍ଚିତ ହେଉଥିଲା । ଫଳରେ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପାଇଥିଲା । ଧୀରେ ଧୀରେ ଚାଷୀ ଅସନ୍ତୋଷ ଆନ୍ଦୋଳନର ଦାନା ବାନ୍ଧିଥିଲା । କାଳକ୍ରମେ 2024 ସାଧାରଣ ନିର୍ବାଚନ ଆସି ପହଞ୍ଚିବା ବେଳକୁ ସମୂହ ଚାଷୀ ଗାଁ ଗାଁରେ ପଲ୍ଲୀ ସଭା କରି ଭୋଟ ବର୍ଜନ ପାଇଁ ଚୂଡାନ୍ତ ନିଷ୍ପତ୍ତି ନେଇ ସରକାରଙ୍କୁ ଚେତାବନୀ ଦେଇଥିଲେ ।