ଜଗତସିଂହପୁର:ପୁଣି ଦେଖାଦେଇଛି ଧାନ ମଣ୍ଡି ସମସ୍ୟା । ନିର୍ଦ୍ଧାରିତ ସମୟରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉନଥିବାରୁ ତେଜୁଛି ଅସନ୍ତୋଷ । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ କୁଇଣ୍ଟାଲ ପିଛା 5 କିଲୋରୁ ଅଧିକ ଧାନ କଟାଣି ଛଟଣି କରାଯାଉଥିବା ଅଭିଯୋଗ ହେଉଛି । ମିଲରମାନେ ଠିକ ସମୟରେ ଆସୁନଥିବାରୁ ଦିନ ଦିନ ଧରି ମଣ୍ଡିରେ ଧାନ ପଡିକି ରହୁଛି । ଫଳରେ ଚାଷୀ ନାହିଁ ନଥିବା ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି ।
ତେବେ ଜିଲ୍ଲାରେ ମୋଟ ୧ଲକ୍ଷ ୨୨ ହାଜର, 869 ଜଣ ଚାଷୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 2023-24 ଖରିଫ ଋତୁରେ ସେମାନଙ୍କ ଧାନ ବିକ୍ରି ପାଇଁ ୫୧ ହଜାର,୯୧୦ ଜଣ ଚାଷୀ ପଞ୍ଜୀକରଣ କରାଇଥିଲେ । ବିଭାଗୀୟ ଅପାରଗତା ଯୋଗୁଁ ଜିଲ୍ଲାରେ ଚାଷୀ ତାର ଧାନର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା ନେଇ ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି । ତେବେ ନବ ନିର୍ମାଣ କୃଷକ ସଙ୍ଗଠନର ଆବାହକ ରଶ୍ମି ରଞ୍ଜନ ସ୍ୱାଇଁ କହିଛନ୍ତି ଯେ, ରାଜ୍ୟ ସରକାର ଚାଷୀ ମାରଣ ନୀତି ଅବଲମ୍ବନ କରୁଛନ୍ତି । ପଡୋଶୀ ରାଜ୍ୟରେ ଧାନର ମୂଲ୍ୟ ଓଡିଶା ଠାରୁ ବେଶ ଅଧିକ । କିନ୍ତୁ ରାଜ୍ୟ ସରକାର ଧାନର ଦର ବୃଦ୍ଧି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ।